ସାଇକେଲରେ ଘରକୁ ଫେରୁଥିବା ସ୍କୁଲ ଛାତ୍ରୀଙ୍କୁ ଗଣବଳାତ୍କାର ଅଭିଯୋଗ

ପାଟଣା : ବିହାର ସାରଣ ଜିଲାରେ ଅଭାବନୀୟ ଘଟଣା ଘଟିଛି । ସ୍କୁଲରୁ ଫେରୁଥିବା ଜଣେ ୧୭ ବର୍ଷୀୟ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି । ଜିଲା ଏସପିଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ଛାତ୍ରୀ ଜଣଙ୍କ ସାଇକେଲରେ ସ୍କୁଲରୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଏକ ଗାଡିରେ ଉଠାଇ ନେଇଥିଲେ । ଏହା ପରେ କିଛି କିଲୋମିଟର ଦୂରରେ ତାଙ୍କୁ ଫିଙ୍ଗି ଦେଇ ଚାଲିଯାଇଥିଲେ । ପୀଡିତା ଜଣଙ୍କ ଫୋନ ମାଧ୍ୟମରେ ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।

ପୀଡିତାଙ୍କ ବୟାନ ଅନୁସାରେ ଗାଡିରେ ମୋଟ ୫ ଜଣ ଦୁର୍ବୃତ୍ତ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପୀଡିତାଙ୍କ ସହ ବଳାତ୍କାର କରିଥିଲେ । ପୀଡିତାଙ୍କ ଘରଠାରୁ ମାତ୍ର ୪ରୁ ୫ କିମି ଦୂରତାରେ ଏହି ଘଟଣା ଘଟିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଛାନଭିନ୍ ଚଳାଇଛି ।

Comments are closed.