ଗାଁରେ ବସି ସମସ୍ୟାର ସମାଧାନ ଉଦ୍ୟମ କଲେ ମନ୍ତ୍ରୀ

ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଯାଜପୁର: ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଗାଁକୁ ଯାଇ ଗାଁ ତୋଟାରେ ଗ୍ରାମବାସୀଙ୍କ ସହିତ ବସି ସେମାନଙ୍କ ସମସ୍ୟାକୁ ଶୁଣି ସମାଧାନ କରିବାର ପ୍ରଚେଷ୍ଟା କରିଛନ୍ତି ।  ମନ୍ତ୍ରୀ ସୁକିନ୍ଦା ବ୍ଲକ କଅଁସ ଓ ଚିଙ୍ଗୁଡ଼ିପାଳ ପଞ୍ଚାୟତରେ ଏହି ଭଳି ବୈଠକ କରିଛନ୍ତି । ଏହି ସମୟରେ  ସୁକିନ୍ଦା ତହସିଲଦାର, ବିଡିଓ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ସମ୍ପର୍କରେ ମନ୍ତ୍ରୀ ବିଭିନ୍ନ ନିର୍ଦେଶ ଦେଇଛନ୍ତି । ବୈଠକର ନିଷ୍ପତ୍ତି ଅନୁଯାୟୀ ପଂଚାୟତ ବାସୀଙ୍କୁ ଜମିପଟ୍ଟା ପ୍ରଦାନ ପ୍ରକ୍ରିୟା ତ୍ବରାନ୍ବିତ ହେବ । ପକ୍କାଘର ପାଇବାକୁ ଯୋଗ୍ୟ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବ । ବିଭିନ୍ନ ସ୍ଥାନରେ ଅଚଳ ହୋଇଥିବା ନଳକୂପ ଏବଂ ସୌର ଜଳ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯିବାକୁ ପଦକ୍ଷେପ ନେବାକୁ ନିଷ୍ପତି ନିଆଯାଇଛି ।
ଆଗାମୀ ଦିନରେ ବିଭିନ୍ନ ଆଡିବନ୍ଧର ପୁନରୁଦ୍ଧାର କରି ଜମିକୁ ଜଳ ଯୋଗାଣକୁ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ । ଏହା ସହିତ ବିଭିନ୍ନ ସ୍କୁଲର ଭିତ୍ତିଭୂମି ବିକାଶ ସହିତ ଶିକ୍ଷକ ନିଯୁକ୍ତିକୁ ମଧ୍ୟ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହା ସହିତ ରାସ୍ତାର ଉନ୍ନତିକରଣ ଓ ଡ୍ରେନ ନିର୍ମାଣ, ମିନି ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା, ଗାଁ ପୂଜା ମଣ୍ଡପ ଓ ଖେଳପଡିଆର ଉନ୍ନତି କରଣ କରିବାକୁ ସ୍ଥିର ହୋଇଛି। ଦୀର୍ଘ ସମୟ ଧରି ମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ନିଜନିଜ ସମସ୍ୟାକୁ ପ୍ରକାଶ କରି ଏହାର ସମାଧାନ ପାଇଁ ପ୍ରତିଶୃତି ପାଇଥିବାରୁ ଗ୍ରାମବାସୀ ଖୁସିବ୍ୟକ୍ତ କରିବା ସହିତ ବିଧାୟକ ତଥା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।

Comments are closed.