ଡେରାସ ସି-ଫୁଡ୍ ପାର୍କ ପରିଦର୍ଶନ କଲେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଡେରାସ ସି-ଫୁଡ୍‌ ପାର୍କ ପରିଦର୍ଶନ କରିବା ସହ ସେଠାରେ ଥିବା ସୁବିଧାସୁଯୋଗ, ଶୀତଳ ଭଣ୍ଡାର ୟୁନିଟ୍‌, ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ୟୁନିଟ୍‌ ବୁଲି ଦେଖିଥିଲେ। ଏଥି ସହିତ ଏଠାରେ ଥିବା ବି-ୱାନ୍‌ ମାରାଇନ୍‌ କମ୍ପାନୀ ବୁଲି ଦେଖିବା ସହ ପ୍ରମୋଟରମାନଙ୍କ ସହ ଆଲୋଚନା କରିଥିଲେ। ଆଇଟି ଓ ଆଇଟି ସଂପର୍କିତ ସେବା ଦ୍ୱାରା ସେମାନଙ୍କ ଉତ୍ପାଦନ ବୃଦ୍ଧି ସହ ସେମାନେ କିପରି ଅଧିକ ଲାଭାନ୍ୱିତ ହୋଇପାରିବେ ସେ ନେଇ ମନ୍ତ୍ରୀ ଶ୍ରୀ ବେହେରା ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀ ରାଜ୍ୟରେ ପୁଞ୍ଜୀନିବେଶ ଓ ଶିଳ୍ପ ପ୍ରତିଷ୍ଠା ଜରିଆରେ ରାଜ୍ୟର ବିକାଶଧାରାକୁ ଆଗେଇ ନେବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଆଇଟି ଅନ୍ତର୍ଭୁକ୍ତିକରଣ ସନ୍ଧାନ ପାଇଁ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ବେହେରାଙ୍କ ଏହି ଶିଳ୍ପ ପାର୍କ ଗସ୍ତ ଏକ ଶୁଭ ସୂଚନା। ସବୁ ବିଭାଗରେ ୫-‘ଟି’ ଉପକ୍ରମ ଅନୁସାରେ ସମୟ ଓ ସ୍ୱଚ୍ଛତା ପାଳନର ଯଥେଷ୍ଟ ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଶିଳ୍ପ ଓ ସୂଚନା ପ୍ରଯୁକ୍ତି ବିଭାଗ ସହଯୋଗରେ ଏହି ପାର୍କର ଆହୁରି ଅଧିକ ଉନ୍ନତି ସାଧିତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମର ଅବସରରେ ଇଡ୍‌କୋର ମୁଖ୍ୟ ପ୍ରବନ୍ଧକ ବିଜୟ ଚନ୍ଦ୍ର ତ୍ରିପାଠୀ, ଇଡ୍‌କୋର ଆଞ୍ଚଳିକ ମୁଖ୍ୟ ଏସ.କେ. ଜେନାଙ୍କ ସହ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.