ସମୀରଙ୍କ ଉଦାରତା : ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ମନ୍ତ୍ରୀ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ସମ୍ମୁଖରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାସ୍ତା ଉପରେ ବେହୋସ ଅବସ୍ଥାରେ ପଡିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‍ ହସ୍‍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀଙ୍କ ଏହି ମହାନତା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ପ୍ରାପ୍ତ ସୂଚନା ଅନୁଯାଇ, ସିଫା ନିକଟରେ ବାଇକ୍‌ରେ ଯାଉଥିବା ଜଣେ ଯୁବକ ଆଜି ରାତି ୮ଟା ସମୟରେ କୌଣସି କାରଣରୁ ଦୁର୍ଘଟଣାର ସମ୍ମୁଖିନ ହୋଇ ବାଇକ୍‍ ସହ ରାସ୍ତା ଉପରେ ସଂଜ୍ଞାହୀନ ହୋଇ ପଡିଥିଲେ। ଘଟଣା ସ୍ଥଳରେ ଗାଡିମୋଟର ଅଟକି ଯିବା ସହ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇଥିଲା। ଏହି ସମୟରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସେହିବାଟ ଦେଇ ଭୁବନେଶ୍ୱର ଯାଉଥିଲେ। ଘଟଣାସ୍ଥଳରେ ମନ୍ତ୍ରୀ ଶ୍ରୀଦାଶ ଅଟକିଥିଲେ। ମନ୍ତ୍ରୀ ନିଜେ ସେଠାରୁ ଟ୍ରାଫିକ୍‍ ସମସ୍ୟା ତଥା ଲୋକଙ୍କ ଭିଡ ହଟାଇ ରାସ୍ତାରେ ଗାଡିମୋଟର ଚଳାଚଳକୁ ସ୍ୱାଭାବିକ୍‍ କରିବା ସହ ଗୁରୁତର ଆହତ ଯୁବକଙ୍କୁ ନିଜ ଗାଡିରେ ନେଇ କ୍ୟାପିଟାଲ ହସ୍‍ପିଟାଲରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣା ସଂପର୍କରେ ମନ୍ତ୍ରୀ ପିପିଲି ଏସ୍‍ଡିପିଓଙ୍କୁ ମୋବାଇଲ ଯୋଗେ ସୂଚନା ଦେବାପରେ ପିପିଲି ପୁଲିସ ଓ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଦୁର୍ଘଟଣାଗସ୍ତ ବାଇକ୍‍କୁ ଜବତ କରି ଫାଣ୍ଡିକୁ ନେଇଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ମନ୍ତ୍ରୀ ହସ୍‍ପିଟାଲ୍‌ରେ ଉପସ୍ଥିତ ରହି ଆହତ ଯୁବକର ଚିକିତ୍ସାରେ ସହଯୋଗ କରୁଥିବା ସୂଚନା ମିଳିଛି। ଆହତ ଯୁବକର ଘର ପିପିଲି ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ନାମ ମୁନା ହୋଇଥିବା ସୂଚନା ମିଳିଛି। ପରିବାର ଲୋକେ ହସ୍‍ପିଟାଲ୍‌ରେ ପହଞ୍ଚିବା ପରେ ଆହତ ଯୁବକର ସମସ୍ତ ପ୍ରକାର ଚିକିତ୍ସା ବନ୍ଦୋବସ୍ତ କରି ଘରକୁ ଫେରିବିି ବୋଲି ମନ୍ତ୍ରୀ ଶ୍ରୀଦାଶ ଆମ ପ୍ରତିନିଧିଙ୍କୁ କହିଛନ୍ତି। ମନ୍ତ୍ରୀ ଶ୍ରୀଦାଶଙ୍କ ଏହି ମହାନତାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିବା ବେଳେ ‘ମନ୍ତ୍ରୀ ହେବ ତ ଏମିତି’ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

Comments are closed.