ହସ୍ପିଟାଲର ପଛରୁ ମଣିଷ କଙ୍କାଳ ଠାବ ; ମନ୍ତ୍ରୀ କହିଲେ ଦାବିବାର ନଥିବା ମୃତଦେହର କଙ୍କାଳ

ପାଟଣା : ବିହାରର ମୁଜାଫରପୁରସ୍ଥିତ ଶ୍ରୀକୃଷ୍ଣ ମେଡିକାଲ୍‌ କଲେଜ ଓ ହସ୍ପିଟାଲର ପଛ ପଟରୁ ୧୦୦ରୁ ମଣିଷ କଙ୍କାଳ ମିଳିଛି । ଏହି କଙ୍କାଳ ଗୁଡିକ ଏଭଳି ପରିସ୍ଥିତିରେ ଉଦ୍ଧାର ହୋଇଛି ଯେଉଁସମୟରେ ଏସକେଏମସିଏଚ ହସ୍ପିଟାଲରେ ମସ୍ତିଷ୍କ ରୋଗରେ ଦେଢ ଶହରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇସାରିଛି । ଏହାକୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ବିହାରର ମନ୍ତ୍ରୀ ଅଶୋକ ଚୌଧୁରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗଣମାଧ୍ୟମ ଏହାକୁ ଭିନ୍ନ ରୂପରେ ଉପସ୍ଥାପନ କରୁଛି ।

ସେ କହିଛନ୍ତି ଯେ, ଏହି କଙ୍କାଳଗୁଡିକ ଅଜଣା ମୃତଦେହ ବା କୌଣସି ଦାବିବାର ନଥିବା ମୃତଦେହର ହୋଇଥାଇପାରେ । ଅନେକ ଥର ଏଭଳି ଦେଖିବାକୁ ମିଳେ ଯେ କିଛି ମୃତଦେହର କେହି ଦାବିଦାର ନଥାନ୍ତି । ପ୍ରକ୍ରିୟା ଅନୁସାରେ ଯଦି ୭୨ ଘଣ୍ଟା ମଧ୍ୟରେ ମୃତଦେହର କେହି ଦାବିଦାର ନଆସନ୍ତି, ତେବେ ଶବବ୍ୟବଚ୍ଛେଦ ବିଭାଗର କର୍ତ୍ତବ୍ୟ ଯେ ମୃତକଙ୍କ ଧର୍ମ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରିବେ । ତେଣୁ ମୃତଦେହର ଶେଷକୃତ୍ୟ ପାଇଁ ହସ୍ପିଟାଲର ବ୍ୟବଚ୍ଛେଦ ବିଭାଗକୁ ୨ ହଜାର ଟଙ୍କା ଲେଖାଏଁ ଦିଆଯାଏ । କିନ୍ତୁ ବ୍ୟବଚ୍ଛେଦ ବିଭାଗର କିଛି କର୍ମଚାରୀ ଏହାକୁ ଅମାନ୍ୟ କରି ମୃତଦେହକୁ ଫିଙ୍ଗି ଦିଅନ୍ତି । ଏଗୁଡିକ ସେହି ମୃତଦେହର କଙ୍କାଳ ହୋଇଥାଇପାରେ । ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି ବୋଲି ମନ୍ତ୍ରୀ ଅଶୋକ ଚୌଧୁରୀ କହିଛନ୍ତି । ସୂଚନାଯୋଗ୍ୟ, ଏସକେଏମସିଏଚ ହସ୍ପିଟାଲର ପଛ ପଟରେ ମଣିଷ କଙ୍କାଳ ପଡିଥିବା କେତେକ ଜାତୀୟ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା ।

Comments are closed.