ଜେନେରାଲ ରାୱତଙ୍କୁ ଚିଦମ୍ବରମ୍‌ଙ୍କ ପରାମର୍ଶ : ନିଜକଥା ନିଜେ ବୁଝନ୍ତୁ

ତିରୁଅନନ୍ତପୁରମ୍‌/ହାଇଦରାବାଦ : ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତଙ୍କ ‘ନେତାପଣ’ ମନ୍ତବ୍ୟ ନେଇ ପ୍ରତିକ୍ରିୟା ବନ୍ଦ ହେଉ ନାହିଁ। ବିଭିନ୍ନ ମହଲରୁ ସେ ସମାଲୋଚିତ ହେଉଛନ୍ତି। କଂଗ୍ରେସର ବରିଷ୍ଠ ନେତା ପି, ଚିଦମ୍ବରମ୍‌ ଶନିବାର ଏହି ପରିପ୍ରେକ୍ଷୀରେ ଜେନେରାଲ ରାୱତଙ୍କୁ ରାଜନୀତି ପ୍ରତି ଆକୃଷ୍ଟ ନ ହୋଇ ନିଜ କଥା ବୁଝିବାକୁ ଓ ନିଜ କର୍ତ୍ତବ୍ୟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। କେରଳ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଜନସମାବେଶରେ ଉଦ୍‌ବୋଧନ ଦେଲାବେଳେ ଚିଦମ୍ବରମ୍‌ କହିଛନ୍ତି ଯେ ସେନାଧ୍ୟକ୍ଷ ଓ ଉତ୍ତରପ୍ରଦେଶ ପୁଲିସ ମହାନିର୍ଦେଶକ ଓ.ପି ସିଂହ ରାଜନୈତିକ ମନ୍ତବ୍ୟ ଦେବା ଶୋଭାନୀୟ ନୁହେଁ। ସେମାନେ ନିଜ ଦାୟିତ୍ବ ଭୁଲି ସରକାରଙ୍କ କଥାରେ ପରିଚାଳିତ ହେବା ଲଜ୍ଜାଜନକ। ଜେନେରାଲ ରାୱତ ନିଜ କାର୍ଯ୍ୟ ଓ ଦାୟିତ୍ବ ସମ୍ପର୍କରେ କହିଲେ ଭଲ। ସେହିଭଳି ସିପିଆଇ(ଏମ୍‌) ନେତା ସୀତରାମ ୟେଚୁରୀ କହିଛନ୍ତି ଯେ ସେନାଧ୍ୟକ୍ଷ ଯଦି ଆଭ୍ୟନ୍ତରୀଣ ରାଜନୀତି ସମ୍ପର୍କରେ କଥାବର୍ତ୍ତା କରନ୍ତି; ତେବେ ଦେଶ ଅସୁରକ୍ଷିତ ହୋଇପଡ଼ିବ। ରାଜନେତା ତାଙ୍କ କାମ କରିବେ, ଅଧିକାରୀମାନେ ନିଜ କାମ କରନ୍ତୁ ବୋଲି ସେ କହିଛନ୍ତି।

Comments are closed.