୨୦୧୪ ଇଂଲଣ୍ଡ ଗସ୍ତ ଟେଷ୍ଟ ଜୀବନର ମାଇଲଖୁଣ୍ଟ: କୋହଲି

ନୂଆଦିଲ୍ଲୀ : ୨୦୧୪ ଓ ୨୦୧୮ରେ ଭାରତୀୟ ଟେଷ୍ଟ ଦଳ ସହ ଇଂଲଣ୍ଡ ଗସ୍ତରେ ଯାଇଥିଲେ ବିରାଟ କୋହଲି। ତେବେ ଉଭୟ ଗସ୍ତରେ ବର୍ତ୍ତମାନର ଭାରତୀୟ ଅଧିନାୟକଙ୍କୁ ବିପରୀତ ଫଳାଫଳ ମିଳିଥିଲା। ୨୦୧୪ ଗସ୍ତରେ ଘରୋଇ ଇଂଲଣ୍ଡ ବିପକ୍ଷରେ କୋହଲି ୫ଟି ଟେଷ୍ଟର ୧୦ଟି ଇନିଂସରୁ ମୋଟ ୧୩୪ ରନ୍‍ କରିଥିଲେ। ତାଙ୍କ ଆଭ୍‍ରେଜ୍‍ ଥିଲା ୧୩.୪। ତେବେ ୨୦୧୮ ଇଂଲଣ୍ଡ ଗସ୍ତ କୋହଲିଙ୍କ ପାଇଁ ସଫଳ ହୋଇଥିଲା। ଏହି ଗସ୍ତରେ କୋହଲି ୫ଟି ଟେଷ୍ଟର ୧୦ଟି ଇନିଂସରୁ ମୋଟ ୫୯୩ ରନ୍‍ କରିଥିଲେ। ତାଙ୍କ ଆଭ୍‍ରେଜ୍‍ ଥିଲା ୫୯.୩। ଏପରି ପରିସଂଖ୍ୟାନ ସତ୍ତ୍ବେ ଶୁକ୍ରବାର କୋହଲି କହିଛନ୍ତି ଯେ ୨୦୧୪ରେ ଇଂଲଣ୍ଡ ଗସ୍ତ ତାଙ୍କ ଟେଷ୍ଟ ଜୀବନର ଏକ ମାଇଲଖୁଣ୍ଟ ଥିଲା। ଆଇସିସି ଟେଷ୍ଟ ମାନ୍ୟତାରେ ୨ନଂ ସ୍ଥାନରେ ଥିବା ବିରାଟ କୋହଲି କହିଛନ୍ତି, ୨୦୧୪ରେ ଇଂଲଣ୍ଡ ଗସ୍ତ ମୋ ପାଇଁ ଏକ ମସ୍ତବଡ଼ ମାଇଲଖୁଣ୍ଟ ଥିଲା। କାରଣ ଏହି ଗସ୍ତ ମୋତେ ଶିଖାଇଥିଲା ଯେ ଟେଷ୍ଟ କ୍ରିକେଟ୍‍ରେ ସଫଳ ହେବା କେତେ କଷ୍ଟକର।

ତେବେ ୨୦୧୮ ଇଂଲଣ୍ଡ ଗସ୍ତ ପୂର୍ବରୁ ମୁଁ ନର୍ଭସ ନଥିଲି ବୋଲି ଯଦି କହିବି; ତାହା ମିଛ। ପ୍ରଥମ ଟେଷ୍ଟମ୍ୟାଚ୍‍ ପୂର୍ବରୁ ମୁଁ ବହୁତ ନର୍ଭସ ଥିଲି। ବହୁତ ଲୋକ ଏକ ସଫଳ ଗସ୍ତକୁ ତାଙ୍କ କ୍ରିକେଟ୍‍ ଜୀବନର ମାଇଲଖୁଣ୍ଟ ବୋଲି ମନେକରନ୍ତି। ହେଲେ ମୁଁ ୨୦୧୪ରେ ଇଂଲଣ୍ଡ ଗସ୍ତକୁ ମାଇଲଖୁଣ୍ଟ ଭାବେ ବିବେଚନା କରେ। ଉକ୍ତ ଗସ୍ତ ମଝିରେ ଜାଣି ଯାଇଥିଲି ଯେ ମୋର ଖରାପ ସମୟ ଆସୁଛି। କାରଣ ଇଂଲଣ୍ଡ ଗସ୍ତ ପରେ ଆମକୁ ଅଷ୍ଟ୍ରେଲିଆ ଗସ୍ତରେ ଯିବାର ଥିଲା। ଇଂଲଣ୍ଡରେ ବିଫଳତା ପରେ ଭାବିଲି ମୋତେ କିଛି କରିବାକୁ ହେବ। ନିର୍ଭୀକ କ୍ରିକେଟ୍‍ ଖେଳି ଭାଗ୍ୟକୁ ମୋ ଆଡ଼କୁ ମୋଡ଼ିବାକୁ ହେବ। ଏହି ରଣନୀତି ଦିନିକିଆରେ ସଫଳ ହୋଇଥାଏ। ଟେଷ୍ଟ କ୍ରିକେଟ୍‍ରେ ଏହା ବହୁତ କଷ୍ଟକର ଥିଲା। ତେବେ ଉକ୍ତ ଗସ୍ତ ପରେ ନିଜକୁ ସଜାଡ଼ିବାର ପ୍ରୟାସ କରିଥିଲି। ଯଦି ୨୦୧୪ ଇଂଲଣ୍ଡ ଗସ୍ତ ହୋଇନଥାଆନ୍ତା; ମୁଁ ସେହିପରି ଖେଳି ଚାଲିଥାଆନ୍ତି ଏବଂ ନିଜଠାରେ ପରିବର୍ତ୍ତନ ଆଣି ପାରି ନଥାଆନ୍ତି। ଆଜି ଟେଷ୍ଟ ବ୍ୟାଟ୍‍ସମ୍ୟାନ ଭାବେ ଯେଉଁ ସ୍ତରରେ ପହଞ୍ଚିଛି; ସେଠାରେ ପହଞ୍ଚି ପାରିନଥାଆନ୍ତି।

Comments are closed.