କ୍ବାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା କାରଣରୁ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ

ଭଦ୍ରକ : କ୍ବାରେଣ୍ଟାଇନ ସେଣ୍ଟରରେ ଖାଦ୍ୟ ଦିଆ ଯାଇ ନଥିବା ଏବଂ କୌଣସି ପ୍ରକାର ସୁବିଧା ନ ଥିବା ପ୍ରତିବାଦ କରି ମଙ୍ଗଳବାର ସକାଲୁ ହଜାର ହଜାର ପ୍ରବାସୀ ଭଦ୍ରକଠାରେ ୧୬ ନମ୍ବର୍ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି। ଗତକାଲି ଭଦ୍ରକର ଚରମ୍ପା ରେଳ ଷ୍ଟେସନରେ ବିଭିନ୍ନ ଜିଲାର ପ୍ରାୟ ୩ହଜାର ୪ ଶହ ପ୍ରବାସୀ ଓହ୍ଲାଇଥିଲେ । ପରେ ପ୍ରବାସୀ ମାନଙ୍କୁ ଭଦ୍ରକ ସରକାରୀ ମହାବିଦ୍ୟାଳୟରେ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ହେଲେ ସେଠାରେ ଗତ ରାତିରେ ଖାଦ୍ୟ ପାନୀୟ ଦିଆନଯିବା ଏବଂ କୌଣସି ସୁବିଧା ନ ଥିବାର ଅଭିଯୋଗ ହୋଇଛି। ଏହାକୁ ନେଇ ଉତକ୍ଷିପ୍ତ ହୋଇ ପ୍ରବାସୀମାନେ ୧୬ ନମ୍ବର୍ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପ୍ରବାସୀଙ୍କ ଅଭିଯୋଗ ଅନୁସାରେ ସେମାନଙ୍କୁ ଭଦ୍ରକ କଲେଜରେ ରଖାଯାଇଥିଲେ ମଧ୍ୟ ସେଠାରେ ଖାଇବାକୁ ଦିଆନଯିବା ସହ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନଥିଲା । ଫଳରେ ପ୍ରବାସୀମାନେ ଭୋକ ଉପାସରେ ରାତି ଅନିଦ୍ରା ହୋଇ ସେଠାରେ ରହିଥିଲେ ।

ଅନ୍ୟପଟେ ସେଠାରେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ କହିବା ପରେ ମଧ୍ୟ ସେ କୌଣସି ପ୍ରକାର ବ୍ୟବସ୍ଥା କରିନଥିଲେ। ଶେଷରେ ବାଧ୍ୟ ହୋଇ ଶହ ଶହ ପ୍ରବାସୀ ଓଡିଆ ଦୀର୍ଘ ସମୟ ଧରି ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଏହା ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରୁ ଆସୁଥିବା ହଜାର ହଜାର ଗାଡ଼ି ଅଟକି ରହିଛି। ଗୋଟିଏ ପଟେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀଠାରୁ ଏବଂ ଅନ୍ୟ ପଟେ ସିମୁଳିଆଠାରୁ ରାସ୍ତା ଜାମ୍ ରହିଛି। ଏହାଫଳରେ ଯାତାୟତ ସଂପୂର୍ଣ୍ଣ ବ୍ୟାହତ ହୋଇଥିବାର ଖବର ମିଳିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଛି। ତେବେ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିବା ଜଣାଯାଇଛି।

Comments are closed.