ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୨-୨୩ ଆଗତ

ଅଭିବୃଦ୍ଧି ୭.୮% ଛୁଇଁବ

ମୁଣ୍ଡ ପିଛା ଆୟ ଜାତୀୟ ହାରଠୁ ପଛରେ, ବଢ଼ିଛି ମୁଦ୍ରାସ୍ଫୀତି, ଶିଳ୍ପର ଅବଦାନ ସର୍ବାଧିକ ୪୧.୩%

ଭୁବନେଶ୍ୱର : ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶା ଅର୍ଥନୀତିର ବାସ୍ତବ ଅଭିବୃଦ୍ଧି ୭.୮ପ୍ରତିଶତକୁ ବଢ଼ିବ ବୋଲି ଆକଳନ କରାଯାଇଛି। ଏହା ଜାତୀୟ ଅଭିବୃଦ୍ଧି ହାର(୭%)ଠାରୁ ଅଧିକ ରହିବ। ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ଓଡ଼ିଶା ଅର୍ଥନୀତିର ଅଭିବୃଦ୍ଧି ହାର ଆଗକୁ ବଢ଼ିଛି ଏବଂ ପ୍ରାକ୍‌ କୋଭିଡ କାଳର ହାରାହାରି ଅଭିବୃଦ୍ଧି ହାର (୨୦୧୨-୧୩ରୁ ୨୦୧୯-୨୦) ୭.୧ ଶତାଂଶଠାରୁ ଆଗରେ ରହିଛି। ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ଓଡ଼ିଶାର ଅବଦାନ ୨୦୧୧-୧୨ରେ ୨.୬ପ୍ରତିଶତରୁ ୨୦୨୨-୨୩ରେ ୨.୮କୁ ବଢ଼ିଛି। ଦେଶର କିଛି ଉଚ୍ଚ ଆୟକାରୀ ରାଜ୍ୟ ଏବଂ ଓଡ଼ିଶା ମଧ୍ୟରେ ଆର୍ଥିକ ବିକାଶ କ୍ଷେତ୍ରରେ ଦୂରତା କମିବା ସହିତ ରାଜ୍ୟ ପ୍ରଗତି ପଥରେ ଦ୍ରୁତ ଆଗଉଛି। ଓଡ଼ିଶା ଅର୍ଥନୀତି ସର୍ଭେ ରିପୋର୍ଟ ୨୦୨୨-୨୩ରେ ଏହା ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୧-୨୨ରେ ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା।
ବିଧାନସଭାରେ ଗୁରୁବାର ଉପସ୍ଥାପିତ ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ୨୦୨୧ରୁ ୨୦୩୦ର ଦଶନ୍ଧିରେ ଭାରତ ଅର୍ଥନୀତି ଅନୁକୂଳ ସ୍ଥିତିରେ ରହିବାର ସମ୍ଭାବନା ଥିବାବେଳେ ମୌସୁମି ପ୍ରବାହ, ଯୁଦ୍ଧ ବିଭୀଷିକା ଏବଂ ମୁଦ୍ରାସ୍ଫୀତି ଭଳି ବିପଦ ଆଶଙ୍କା ନରହିଲେ ଓଡ଼ିଶା ଅର୍ଥନୀତି ୨୦୨୩-୨୪ରେ ୮ରୁ ୮.୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ। ବିଶ୍ୱବ୍ୟାଙ୍କ ମୂଲ୍ୟାୟନ ଅନୁସାରେ ବିଶ୍ୱ ଅର୍ଥନୀତି ଅଭିବୃଦ୍ଧି ହାର ୨୦୨୨ରେ ୨.୯ ପ୍ରତିଶତ ରହିଛି। କୋଭିଡ, ଯୁଦ୍ଧ ଓ ମୁଦ୍ରାସ୍ଫୀତି ଏହା ପଛର କାରଣ ବୋଲି କୁହାଯାଉଛି। ଏହାସତ୍ତ୍ବେ ଓଡ଼ିଶା ସ୍ଥିତି ସୁଦୃଢ଼ ରହିଛି।
ଆର୍ଥିକ ବିକାଶ ସତ୍ତ୍ୱେ ଓଡ଼ିଶାର ମୁଣ୍ଡ ପିଛା ଆୟ ଜାତୀୟ ହାରଠୁ ପଛରେ ରହିଛି। ୨୦୨୨-୨୩ରେ ଦେଶର ମୁଣ୍ଡ ପିଛା ଆୟ ୧,୭୦,୬୨୦ଟଙ୍କାରେ ପହଞ୍ଚିବା ଆକଳନ କରାଯାଇଥିବାବେଳେ ଓଡ଼ିଶାର ମୁଣ୍ଡ ପିଛା ଆୟ ୧,୫୦,୬୭୬ ଟଙ୍କାରେ ରହିବ। ତେବେ ଗତ ୭ବର୍ଷ ଭିତରେ ରାଜ୍ୟ ଓ ଜାତୀୟସ୍ତର ଭିତରେ ମୁଣ୍ଡ ପିଛା ଆୟର ସ୍ଥିତି ୨୦୧୫-୧୬ରେ ୩୧.୬ ପ୍ରତିଶତରୁ ୨୦୨୨-୨୩ରେ ୧୨ ପ୍ରତିଶତକୁ ହ୍ରାସ ପାଇଛି। ଋଷିଆ-ୟୁକ୍ରେନ ଯୁଦ୍ଧ ପ୍ରଭାବରେ ଯୋଗାଣ କ୍ଷେତ୍ର ବାଧାପ୍ରାପ୍ତ ହୋଇଛି। ଶକ୍ତି, ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା ତୈଳ ଦର ମାତ୍ରାଧିକ
ବଢ଼ିବା ସହିତ ଏହା ମୁଦ୍ରାସ୍ଫୀତିକୁ ବାଟ କଢ଼ାଇଛି। ମୁଦ୍ରାସ୍ଫୀତି ୨୦୨୧-୨୨ରେ ୩.୭ ପ୍ରତିଶତରୁ ୨୦୨୨-୨୩ରେ ୬.୫୬ ପ୍ରତିଶତକୁ ବଢ଼ିଛି। ତେବେ ମୁଦ୍ରାସ୍ଫୀତି ଜାତୀୟ ହାର(୬.୮୧%) ତୁଳନାରେ କମ୍‌ ରହିଛି।
ରାଜ୍ୟର ବିତ୍ତୀୟ ଶୃଙ୍ଖଳା ୨୦୨୧-୨୨ରେ ସନ୍ତୋଷଜନକ ଥିବାବେଳେ ୨୦୨୨-୨୩ରେ ମଧ୍ୟ ଏହା ଅପରିବର୍ତ୍ତିତ ରହିବ ବୋଲି ଆକଳନ କରାଯାଇଛି। ଓଡ଼ିଶା କିଛି ବର୍ଷ ଧରି କ୍ରମାଗତ ଭାବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହେବା ସହିତ ଏହାର ବିତ୍ତୀୟ ନିଅଣ୍ଟ ଏଫଆରବିଏମ ସୀମା ଭିତରେ ରହିଛି। ଗତ ୧୫ବର୍ଷ ଧରି ଋଣ-ମୋଟ ଘରୋଇ ଉତ୍ପାଦ ଅନୁପାତ ସର୍ବାଧିକ ସୀମା ୨୫ ପ୍ରତିଶତ ତଳେ ରହିଛି।
ମୋଟ ଘରୋଇ ଉତ୍ପାଦରେ ଶିଳ୍ପର ଅବଦାନ ସର୍ବାଧିକ ୪୧.୩ ଶତାଂଶ ଥିବାବେଳେ ସେବା କ୍ଷେତ୍ରର ୩୬.୨ ଓ କୃଷି କ୍ଷେତ୍ରର ଅବଦାନ ୨୨.୫ ପ୍ରତିଶତ ରହିଛି। ଏକଦା କୃଷିର ବିକାଶ ଉପରେ ନିର୍ଭର କରୁଥିବା ଅର୍ଥନୀତିର ଢାଞ୍ଚା ବଦଳିବା ସହିତ ଏହା ଶିଳ୍ପ ଓ ସେବା ଦିଗକୁ ମୁହାଁଇଛି। ଅଭିବୃଦ୍ଧିରେ ଶିଳ୍ପ ଓ ସେବା କ୍ଷେତ୍ର କୃଷିକୁ ଟପିଯାଇଥିଲେ ହେଁ ଏବେବି ପ୍ରାୟ ୪୬.୮ପ୍ରତିଶତ ଶ୍ରମିକ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିୟୋଜିତ ଅଛନ୍ତି।
ସର୍ବେକ୍ଷଣ ତଥ୍ୟ ଅନୁସାରେ ରାଜ୍ୟରେ ଶ୍ରମ ଶକ୍ତି ବିନିଯୋଗ ହାର ୨୦୧୯-୨୦ରେ ୫୩.୩ପ୍ରତିଶତରୁ ୨୦୨୦-୨୧ରେ ୫୬.୫ ପ୍ରତିଶତକୁ ବଢ଼ିଥିଲା। ସର୍ବଭାରତୀୟସ୍ତରରେ ୧୫ବର୍ଷରୁ ଊର୍ଦ୍ଧ୍ବ ୫୨.୬ ପ୍ରତିଶତ ଲୋକ ଶ୍ରମ କ୍ଷେତ୍ରରେ କାର୍ଯ୍ୟରତ ଥିବାବେଳେ ଓଡ଼ିଶାରେ ଏହି ହାର ୫୩.୫ପ୍ରତିଶତ ରହିଛି। ଏହାଛଡ଼ା ୨୦୨୦-୨୧ ବର୍ଷର ହିସାବ ଅନୁସାରେ ମହିଳା ଶ୍ରମ ଶକ୍ତି ବିନିଯୋଗ କ୍ଷେତ୍ରରେ ଓଡ଼ିଶାର ହାର (୩୩.୨) ରହିଛି। ଏ କ୍ଷେତ୍ରରେ ଜାତୀୟ ହାର(୩୨.୫) ରହିଛି।
ବିତ୍ତୀୟ ଶୃଙ୍ଖଳା ଆଣିବାରେ ସଫଳ ହୋଇଥିବା ଓଡ଼ିଶା ଏଫଆରବିଏମ ନୀତି କାର୍ଯ୍ୟକାରୀ ପରେ ଗତ ୧୭ବର୍ଷ ଧରି କ୍ରମାଗତ ଭାବେ ରାଜସ୍ୱ ବଳକା ସ୍ଥିତିରେ ରହିଛି। ଏଥିସହିତ ରାଜ୍ୟର ପୁଞ୍ଜି ବାବଦ ବ୍ୟୟବରାଦ ବଢ଼ିବା ସହିତ ହରିଆନା, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁଠାରୁ ଆଗରେ ରହିଛି। ବିତ୍ତୀୟ ଶୃଙ୍ଖଳା ଯୋଗୁଁ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଋଣ ଭାର ମୋଟ ଘରୋଇ ଉତ୍ପାଦର ୧୫.୬ ପ୍ରତିଶତରେ ସୀମିତ ରହିବ ବୋଲି ଆକଳନ କରାଯାଇଛି।
ରାଜ୍ୟର ଅଭିବୃଦ୍ଧି ସକାରାତ୍ମକ ରହିଛି। ସଂସ୍କାରଧର୍ମୀ ପ୍ରଶାସନ, ବିତ୍ତୀୟ ଶୃଙ୍ଖଳା, ଗୁଣାତ୍ମକ ଖର୍ଚ୍ଚ ବ୍ୟବସ୍ଥା, ବନ୍ଦର ସଡ଼କ ଯୋଗାଯୋଗ ଆଦି ଭିତ୍ତିଭୂମିର ବିକାଶ, ପୁଞ୍ଜିନିବେଶ ପାଇଁ ପ୍ରୋତ୍ସାହନ ଜାରି ରହିଲେ ରାଜ୍ୟ ଅଭିବୃଦ୍ଧି ବାଟରେ ଆଗେଇଚାଲିବ ବୋଲି କୁହାଯାଇଛି।

Comments are closed.