ନିଜ କାମ କରି ମନରେଗା ଶ୍ରମିକ ପାଇବେ ପାଉଣା; ଦିନକୁ ୨୦୨ ଟଙ୍କା

ଉଦ୍ୟାନ କୃଷି, ଜଳସେଚନ, ଜଳ ସଂରକ୍ଷଣ, ଗୃହ ନିର୍ମାଣ କାର୍ଯ୍ୟ ସାମିଲ

ଭୁବନେଶ୍ବର: କରୋନା ସଂକ୍ରମଣ ଓ ଲକ୍ଡ଼ାଉନ ଯୋଗୁଁ ଘରକୁ ଫେରିଥିବା ପ୍ରବାସୀଙ୍କ ପାଇଁ ସରକାର ଯୋଗାଇବେ କାମ । ମନରେଗା ଯୋଜନାରେ ଏହି ଶ୍ରମିକମାନେ କାମ କରି ପାରିବେ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶ୍ରମିକମାନେ ନିଜ ଜମିରେ ଉଦ୍ୟାନ କୃଷି, ଜଳସେଚନ, ଜଳ ସଂରକ୍ଷଣ ଆଦି ସହ ନିଜର ଗୃହ ନିର୍ମାଣ କାର୍ଯ୍ୟ କଲେ ବି ସରକାର ସେମାନଙ୍କୁ ମଜୁରୀ ଦେବେ । ମନରେଗା ମାର୍ଗଦର୍ଶିକା ଅନୁସାରେ ଶ୍ରମିକମାନଙ୍କୁ ୨୦୨ ଟଙ୍କା ଦୈନିକ ମଜୁରୀ ପ୍ରଦାନ କରାଯିବ । ଅବଶ୍ୟ ଏଥିପାଇଁ କିଛିଟା ନିୟମକାନୁନ ରହିଛି ।

ରାଜ୍ୟର ୧୧୬ ଜିଲାକୁ ଏଥିନିମନ୍ତେ ଚିହ୍ନଟ କରାଯାଇଛି ଏବଂ ଏହାମଧ୍ୟରେ ଓଡ଼ିଶାର ୪ ଜିଲା ସାମିଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଘେଷିତ ଗରିବ କଲ୍ୟାଣ ଯୋଜନାରେ ବର୍ଷକୁ ଶ୍ରମିକମାନଙ୍କୁ ୧୨୫ ଦିନ କାମ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏଥିନିମନ୍ତେ କେନ୍ଦ୍ର ସରକାର ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ଯୋଜନାରେ ଶ୍ରମିକମାନଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ କାର୍ଯ୍ୟ ଯୋଗାଇ ଦିଆଯିବ ।  ରାସ୍ତା ନିର୍ମାଣ, ଗ୍ରାମ୍ୟ ଗୃହ ନିର୍ମାଣ, ଉଦ୍ୟାନ କୃଷି, ବୃକ୍ଷ ରୋପଣ, ଜଳ ସଂରକ୍ଷଣ, ଜଳସେଚନ , ଅଙ୍ଗନବାଡି , ପଞ୍ଚାୟତ ଭବନ , ଜଳ ଜୀବନ ମିଶନ ପରି ୨୫ଟି କାର୍ଯ୍ୟକୁ ଏଥିରେ ସାମିଲ କରାଯାଇଛି ।

କୂପ ଖନନ, ପୋଖରୀ ଖନନ, ବୃକ୍ଷରୋପଣ, ଜଳ ସଂରକ୍ଷଣ, ଉଦ୍ୟାନ କୃଷି, ଗୁହାଳ, ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପରି ଘରୋଇ କାର୍ଯ୍ୟ ସହ ଗୋଷ୍ଠୀ ପରିମଳ ଓ ସଫେଇ, ଜାତୀୟ ରାଜପଥ କାର୍ଯ୍ୟ, ପଞ୍ଚାୟତ ଗୃହ ନିର୍ମାଣ ପରି କାର୍ଯ୍ୟକୁ ଏହି ଯୋଜନାରେ ସାମିଲ କରାଯାଇଥିବା ସୂଚନା ମିଳିଛି ।

ପଞ୍ଜୀକୃତ ପ୍ରବାସୀ ଶ୍ରମିକମାନଙ୍କୁ ଏହି କାର୍ଯ୍ୟ କରିବାକୁ ସୁଯୋଗ ମିଳିବ ଏବଂ ସରକାରୀ ଅଧିକାରୀଙ୍କ ତତ୍ବାବଧାନରେ ଏହା କାର୍ଯ୍ୟାନ୍ବୟନ ହେବ । ସମ୍ପୃକ୍ତ ଜିଲାର ଜିଲାପାଳ ଏହି ସବୁ କାର୍ଯ୍ୟକୁ ଅନୁମୋଦନ କରିବା ପରେ ସମ୍ପୃକ୍ତ କାର୍ଯ୍ୟର ମ୍ୟାପିଂ କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ଏହା ପରେ ଶ୍ରମିକମାନଙ୍କୁ ସେମାନଙ୍କର ପାଉଣା ମିଳିବ ।

Comments are closed.