ମଧ୍ୟପ୍ରାଚ୍ୟର ମହାନାଟକ

ଗତ କିଛିଦିନ ହେବ ଅନ୍ତର୍ଜାତୀୟ, ଜାତୀୟ ଓ ସ୍ଥାନୀୟ ଗଣମାଧ୍ୟମରେ ବିଶେଷକରି ଟିଭି ଚାନେଲଗୁଡ଼ିକରେ ଇରାନ୍‌-ଆମେରିକା ବିବାଦର ବିଶେଷ ବିବରଣୀ ଘନଘନ ପ୍ରସାରିତ ହେଉଛି। ମନେହେଉଛି ଯେଭଳି ବିଶ୍ବ ବର୍ତ୍ତମାନ ତୃତୀୟ ବିଶ୍ବଯୁଦ୍ଧର ଦ୍ବାରଦେଶରେ। କାସିମ୍‌ ସୁଲେମାନିଙ୍କ ଉପରେ ଆକ୍ରମଣ କରି ମୃତ୍ୟୁ ସୁନିଶ୍ଚିତ କରିବା ପରେ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ଅସ୍ଥିରତା ଲାଗି ରହିଥିବା ମଧ୍ୟପ୍ରାଚ୍ୟରେ ପରିସ୍ଥିତିକୁ ଆହୁରି ଜଟିଳ କରିଦେଲା। ଯେଭଳି ଭାବେ ମରଣାନ୍ତକ ଆକ୍ରମଣକୁ ସଙ୍ଗଠିତ ଓ କାର୍ଯ୍ୟକାରୀ କରାଗଲା ଏହା ପ୍ରମାଣିତ କଲା ଆମେରିକାର ଉନ୍ନତ ଧରଣର ଅସ୍ତ୍ରଶସ୍ତ୍ର ଶତ୍ରୁକୁ କାବୁକରି ନିର୍ଭୁଲ ଭାବରେ ନିପାତ କରିବାରେ ସକ୍ଷମ। ଟ୍ରମ୍ପଙ୍କ ଘୋଷଣାରେ ଆତ୍ମସନ୍ତୁଷ୍ଟି ସହିତ ବିଶ୍ବକୁ ବାର୍ତ୍ତା ଥିଲା ଯେ ସୁଲେମାନି ଏକ ଦୁର୍ଦ୍ଧର୍ଷ ଆତଙ୍କବାଦୀ ଯାହାର ମୃତ୍ୟୁରେ ଯୁଦ୍ଧ ନୁହେଁ, ବରଂ ଯୁଦ୍ଧ ସମ୍ଭାବନାର ସମାପ୍ତି ଘଟିଲା। ଏଥିସହିତ ବିଭିନ୍ନ ସମୟରେ ଆମେରିକା ରାଷ୍ଟ୍ରପତି ଇରାନ୍‌କୁ ଚେତାବନୀ ଦେଲେ ଯେ ଆମେରିକାର କ୍ଷମତା ରହିଛି, ଇରାନ୍‌ର ସହର ଓ ଐତିହ୍ୟସ୍ଥଳୀଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାର, କିନ୍ତୁ ତା’ସହିତ ଅର୍ଥନୈତିକ କଟକଣା (ସାଙ୍କସନ୍‌)କୁ ଆହୁରି ଅଧିକ ଓ ଦୃଢ଼ୀଭୂତ କରି ଇରାନ୍‌କୁ ପଙ୍ଗୁ କରିଦେବାର ଧମକ ମଧ୍ୟ ଦିଆଗଲା। ତତ୍‌ସହିତ ଆମେରିକା ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଇଙ୍ଗିତ ଦେଲା।
ଆକ୍ରମଣର ପ୍ରତିକ୍ରିୟା ଓ ପ୍ରତିବାଦ ସାରା ଇରାନ୍‌ରେ ବିକ୍ଷୋଭ ମାଧ୍ୟମରେ ପ୍ରକାଶ ପାଇଲା। ଇରାନ୍‌ର ମୁଖ୍ୟ ଓ ସରକାର ଆମେରିକା ଆକ୍ରମଣର ଉପଯୁକ୍ତ ଓ ସମୁଚିତ ଜବାବ ଦିଆଯିବ ବୋଲି ଘୋଷଣା କଲେ ଏବଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସୈନ୍ୟ, ସଂପତ୍ତି, ସାମରିକ ଘାଟି, ଦୂତାବାସଗୁଡ଼ିକର କ୍ଷତି ପହଞ୍ଚାଇବାର କ୍ଷମତା ଥିବାର ଧମକ ଦିଆଗଲା। କେବଳ ସେତିକି ନୁହେଁ, ମଧ୍ୟପ୍ରାଚ୍ୟରେ ଆମେରିକାର ବନ୍ଧୁ ଓ ସହଯୋଗୀ ଦେଶଗୁଡ଼ିକ ଇରାନ୍‌ କ୍ଷେପଣାସ୍ତ୍ର ଲକ୍ଷ୍ୟ ପରିସୀମାଭୁକ୍ତ ବୋଲି ମଧ୍ୟ ଜଣାଇଲେ। ଇସ୍ରାଏଲ, ହାଇଫା ଓ ୟୁଏଇର ଦୁବାଇ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ବୋଲି ଜଣାଇଲେ। ତାହା ସହିତ ଆମେରିକା ସୈନ୍ୟବାହିନୀର ମଧ୍ୟପ୍ରାଚ୍ୟରୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନର ଦାବି କରାଗଲା। ଇରାକ, ଇରାନ୍‌ ସହିତ ସ୍ବର ମିଳାଇ ସେଇଭଳି ଦାବି କଲା ଯାହା ଟ୍ରମ୍ପ ପ୍ରତ୍ୟାଖ୍ୟାନ କଲେ ଏବଂ ସୂଚାଇଲେ ଯେ ଇରାକର ସୁରକ୍ଷା ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ନିବେଶ କରିଥିବା ସମସ୍ତ ଅର୍ଥ ନ ଫେରାଇଲେ ତାହା ସମ୍ଭବ ନୁହେଁ। ଏସବୁ ଧମକ ଓ ଦାବି ସତ୍ତ୍ବେ ଇରାନ୍‌ର ବିଦେଶ ମନ୍ତ୍ରୀ ଜାରିଫ୍‌ ବକ୍ତବ୍ୟ ରଖିଲେ ଯେ କ୍ରମବର୍ଦ୍ଧମାନ ସଙ୍ଗିନ୍‌ ଅବସ୍ଥାର ଅବସାନ ଓ ପ୍ରଶମିତ କରିବା ପାଇଁ କୂଟନୀତି ମାଧ୍ୟମରେ ଆଲୋଚନାର ଦ୍ବାର ଉନ୍ମୁକ୍ତ। ଇରାନ୍‌ର କେତେକ କ୍ଷେପଣାସ୍ତ୍ର ଇରାକରେ ଆମେରିକା ଦ୍ବାରା ବ୍ୟବହୃତ ହେଉଥିବା ଦୁଇଟି ଘାଟିକୁ ଆକ୍ରମଣ କଲେ, କିନ୍ତୁ ଦୁର୍ଘଟଣା ହେଉ କିମ୍ବା ପୂର୍ବ ପ୍ରାୟୋଜିତ କାରଣରୁ ସେ ଦୁଇଟି କ୍ଷେପଣାସ୍ତ୍ର ଲକ୍ଷ୍ୟ ମୂଳରେ କ୍ଷତି ପହଞ୍ଚାଇବାରେ ନିଷ୍ଫଳ ହେଲେ। ଆମେରିକାର ସୈନ୍ୟମାନେ ସେ ସ୍ଥାନ ପରିତ୍ୟାଗ କରି ଅନ୍ୟ ସ୍ଥାନକୁ ଚାଲିଯାଇଥିଲେ। ଗଣମାଧ୍ୟମରେ ପ୍ରକାଶ ପାଇଲା ଇରାନ୍‌ ଇରାକକୁ ପ୍ରାକ୍‌ ସୂଚନା ଦେଇଥିଲା ଏବଂ ଆମେରିକାର ଇଣ୍ଟେଲିଜେନ୍ସ ଆଗୁଆ ଖବର ପାଇଥିଲା। ଅଥଚ ସୁଲେମାନିଙ୍କ ବିରୋଧରେ ଆକ୍ରମଣ ଯୋଜନାର କୌଣସି ସୂଚନା ଇରାକ୍‌ ଆମେରିକାଠାରୁ ପାଇନଥିଲା। ସାରା ବିଶ୍ବ ଟ୍ରମ୍ପ ଓ ଆୟୋତଲ୍ଲା ଖୋମେନିଙ୍କ ପ୍ରତିକ୍ରିୟା ଓ ଆଗାମୀ ପଦକ୍ଷେପ ବିଷୟରେ ଉତ୍କଣ୍ଠା ସହିତ ଅପେକ୍ଷା କରିଥିଲାବେଳେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ନାଟକୀୟ ଭାବେ ଘୋଷଣା କଲେ ଯେ ତାଙ୍କର ସମସ୍ତ ଈପ୍‌ସିତ ଲକ୍ଷ୍ୟ ପୂରଣ ହୋଇଛି। ଆମେରିକାର କେହି ମୃତାହତ ହୋଇନାହାନ୍ତି କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଘଟଣାକୁ ଅନୁଶୀଳନ କଲେ ମନେହେବ ଉଭୟ ପକ୍ଷ ଲଜ୍ଜାକର ପରିସ୍ଥିତିରୁ ନିଜକୁ ବଞ୍ଚାଇ ଆଲୋଚନା ମାଧ୍ୟମରେ ଭବିଷ୍ୟତ ପନ୍ଥା ସ୍ଥିର କରିବେ। ଆଭ୍ୟନ୍ତରୀଣ ଆବଶ୍ୟକତା ହେତୁ ଏହା ଅପରିହାର୍ଯ୍ୟ ଥିଲା। ଯଦିଓ ପ୍ରାରମ୍ଭରେ ଦୁଇରାଷ୍ଟ୍ର ଜାତିସଂଘର ଧାରା ୫୧କୁ ଉଦ୍ଧୃତ କରି ଆତ୍ମରକ୍ଷା ଉଦ୍ଦେଶ୍ୟରେ ପଦକ୍ଷେପର ଯଥାର୍ଥତା ପାଇଁ ଯୁକ୍ତି ବାଢ଼ିଥିଲେ। କେତେକ ବିଶେଷଜ୍ଞଙ୍କ ମତରେ ଟ୍ରମ୍ପ ତାଙ୍କ ବିରୋଧରେ ମହାଭିଯୋଗ ଓ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଏକ ଦୁଃସାହସିକ ପଦକ୍ଷେପ ନେଲେ ଏବଂ ଇରାନ୍‌ ଉପରେ ଚାପ ସୃଷ୍ଟିକରି ପରମାଣୁ କାର୍ଯ୍ୟକ୍ରମରୁ ନିବୃତ୍ତ କରିବାର ଏହା ଥିଲା ଏକ ଋଣକୌଶଳ। ଆମେରିକା ୟୁରୋପୀୟ ଦେଶମାନଙ୍କର ବିରୋଧ ଓ ଅସମ୍ମତି ସତ୍ତ୍ବେ ୨୦୧୫ ପରମାଣୁ ବୁଝାମଣାରୁ ଓହରିଯିବା ପରେ ପୁରୁଣା ବୁଝାମଣା ସର୍ତ୍ତ କିମ୍ବା ନୂଆ ସର୍ତ୍ତ ଥିବା ଆଲୋଚନାରେ ଇରାନ୍‌ ଭାଗ ନେବା ଏତେ ସହଜ ନୁହେଁ। କାରଣ ଇତିମଧ୍ୟରେ ଇରାନ୍‌ ପରମାଣୁ କ୍ଷେତ୍ରରେ ଆହୁରି ଅଧିକ ଅଗ୍ରଗତି କରିଛି ଏବଂ ୨୦୧୫ ଚୁକ୍ତିର ଉଲ୍ଲଙ୍ଘନ କରିଛି। ଅର୍ଥନୈତିକ କଟକଣାର ଅପସାରଣ, ଦୂରୀକରଣ କିମ୍ବା କୋହଳ ମନୋଭାବ ବିନା ଇରାନ୍‌ ନିଜର ନାଗରିକଙ୍କୁ ନିରାଶ କରିବାର ଅବସ୍ଥାରେ ନାହିଁ। ଇରାନ୍‌କୁ କ୍ଷତିପୂରଣର ଯେଉଁ ଆଶ୍ବାସନା ଦିଆଯାଇଥିଲା ତାହା ଏ ପର୍ଯ୍ୟନ୍ତ ମିଳିନାହିଁ। ଅର୍ଥନୈତିକ କଟକଣା ଏବେ ବି ଜାରୀ ରହିଛି। ଏହାର କଷ୍ଟଦାୟକ ସର୍ତ୍ତ ହେତୁ ଇରାନ୍‌ ବହୁ ବିଲିୟନ ଡଲାରର ଆୟରୁ ବଞ୍ଚିତ ହୋଇଛି ଏବଂ କ୍ଷତି ସହିଛି। ଦୁଇ ରାଷ୍ଟ୍ରଙ୍କର ନୀତି ଓ ଲକ୍ଷ୍ୟ ଇରାକ, ସିରିଆ, ଆଫଗାନିସ୍ତାନ, ଇସ୍ରାଏଲ ଓ ପାଲେଷ୍ଟାଇନରେ ଭିନ୍ନ। ପରସ୍ପର ବିରୋଧୀ। ଏଥର ଆଉ ଗୋଟିଏ କଥା ସମସ୍ତଙ୍କୁ ଆଚମ୍ବିତ କଲା- ଆମେରିକାର ବନ୍ଧୁରାଷ୍ଟ୍ର ବୋଲି ବିବେଚିତ ହେଉଥିବା ସାଉଦି ଆରବ, ୟୁଏଇ, ଏଭଳିକି ପାକିସ୍ତାନ ଓ ଇସ୍ରାଏଲ ଏ ପ୍ରସଙ୍ଗରେ ନୀରବ ରହିଲେ ଏବଂ ସଂଯମରକ୍ଷା ପାଇଁ ଅନୁରୋଧ କଲେ। ଇରାନ୍‌ ଏଭଳି ସଂକଟକାଳରେ ସୁଯୋଗ ପାଇଲା ଜଣାଇବା ପାଇଁ ଯେ ଆମେରିକାର ମଧ୍ୟପ୍ରାଚ୍ୟରେ ହଜାରହଜାର ସୈନ୍ୟ, ସାମରିକ ଘାଟି ଓ ଦୂତାବାସ ପ୍ରଭୃତି ସୁରକ୍ଷିତ ନୁହନ୍ତି। ଏହା ପାଖରେ ଥିବା ପ୍ରଚୁର କ୍ଷେପଣାସ୍ତ୍ର ସେଗୁଡ଼ିକୁ ଧ୍ବଂସ କରିବାରେ ସକ୍ଷମ। ଏହି ପୃଷ୍ଠଭୂମିରେ ନୂତନ ପରମାଣୁ ବିଷୟରେ ଆଲୋଚନାର ସମ୍ଭାବନା କମ୍‌; ଯଦିବା ହୁଏ ତା’ର ରୂପରେଖ କ’ଣ ହେବ ଅନୁମାନ କରିବା କଷ୍ଟ।
ମଧ୍ୟପ୍ରାଚ୍ୟର ଏହି ନାଟକର ପ୍ରଭାବ ତତ୍‌କ୍ଷଣାତ ପ୍ରତିଫଳିତ ହୋଇଥିଲା ତୈଳ ଓ ପେଟ୍ରୋଲିୟମ ପଦାର୍ଥ ବଜାରରେ। ଗୋଟିଏ ଦିନରେ ୩/୪ପ୍ରତିଶତ ମୂଲ୍ୟବୃଦ୍ଧି ପୃଥିବୀର ବିଭିନ୍ନ ପ୍ରାନ୍ତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଭାରତ ସମେତ ବହୁ ଦେଶର ଷ୍ଟକ୍‌ ଏକ୍ସଚେଞ୍ଜ ଓ ଦରଦାମ୍‌ରେ ଅସ୍ଥିରତା ଆଣି ଦେଇଥିଲା। ଯଦି ଏହି ଯୁଦ୍ଧ ଭଳି ପରିସ୍ଥିତି ସମ୍ପ୍ରସାରିତ ହୋଇଥାନ୍ତା ତେବେ ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏଥିରେ ଯୋଡ଼ି ହୋଇଯାଇଥାନ୍ତେ। ଟ୍ରମ୍ପ ତାଙ୍କ ବକ୍ତବ୍ୟରେ ନାଟୋ ସହଯୋଗୀ ରାଷ୍ଟ୍ରଙ୍କର ମଧ୍ୟପ୍ରାଚ୍ୟରେ ଅଧିକ ସମ୍ପୃକ୍ତି ପାଇଁ ନିବେଦନ କରିଥିଲେ, କିନ୍ତୁ ନାଟୋର ଅନ୍ୟ ରାଷ୍ଟ୍ରମାନେ ୟୁରୋପ ବାହାରେ ସମ୍ପୃକ୍ତି ପାଇଁ ଅନିଚ୍ଛୁକ। ନାଟୋର ସୃଷ୍ଟି ସୋଭିଏତ ୟୁନିୟନ ବିରୋଧରେ ହୋଇଥିଲା। ଏହାର ଆଫଗାନିସ୍ତାନ ଯୁଦ୍ଧରେ ସମ୍ପୃକ୍ତି ଫଳପ୍ରଦ ହୋଇନଥିଲା। ଟ୍ରମ୍ପ ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ଚାହାନ୍ତି ଆମେରିକା ସୈନ୍ୟବାହିନୀର ଅପସାରଣ। ସେଥିଲାଗି ନାଟୋ ସଦସ୍ୟଙ୍କ ସମ୍ପୃକ୍ତି ପାଇଁ ବ୍ୟଗ୍ର ଏବଂ ତାହା ଆମେରିକା ସୈନ୍ୟଙ୍କ ମଧ୍ୟପ୍ରାଚ୍ୟରେ ସଂଖ୍ୟା କମାଇବାରେ ସହାୟକ ହେବ, କିନ୍ତୁ ବର୍ତ୍ତମାନ ଇରାନ୍‌ ସହିତ ମୁହାଁମୁହିଁରେ ଆମେରିକା ଆହୁରି ବେଶୀ ସୈନ୍ୟଙ୍କୁ ମୁତୟନ କରିବା ପାଇଁ ବାଧ୍ୟ ହୋଇଛି। ବାହାରିନ୍‌ ଓ କାତାରରେ ଉପସ୍ଥିତି ଅପରିହାର୍ଯ୍ୟ ହୋଇପଡ଼ିଛି।
ମଧ୍ୟପ୍ରାଚ୍ୟରେ କୌଣସି ଅସ୍ଥିରତା ବା ଯୁଦ୍ଧର ପ୍ରଭାବରେ ଭାରତ ନିଶ୍ଚିତ ଭାବେ ବହୁଳଭାବେ କ୍ଷତିଗ୍ରସ୍ତ ହେବ। ପ୍ରଥମତଃ ପେଟ୍ରୋଲିୟମ କ୍ଷେତ୍ରରେ ନିଜର ଚାହିଦା ମେଣ୍ଟାଇବା ପାଇଁ ୮୦ ପ୍ରତିଶତରୁ ବେଶୀ ବିଦେଶରୁ ଆମଦାନୀ ଉପରେ ନିର୍ଭର କରେ। ତାହାର ୫୦ ପ୍ରତିଶତରୁ ଅଧିକ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକରୁ ଆସେ। ଯୁଦ୍ଧ ଫଳରେ ଦେଶର ବିକାଶ ବାଧାପ୍ରାପ୍ତ ହୋଇଥାନ୍ତା। ଦରଦାମ୍‌ ବୃଦ୍ଧିରେ ସାଧାରଣ ନାଗରିକ କ୍ଷତିଗ୍ରସ୍ତ ହୋଇଥାନ୍ତେ। ଦ୍ବିତୀୟରେ ମଧ୍ୟପ୍ରାଚ୍ୟରେ ରହୁଥିବା ଲକ୍ଷଲକ୍ଷ ପ୍ରବାସୀ ଭାରତୀୟଙ୍କ ଜୀବନ ବିପଦସଂକୁଳ ହୋଇଥାନ୍ତା ଓ ସେମାନଙ୍କର ଭାରତକୁ ପ୍ରତ୍ୟାବର୍ତ୍ତନ ଭଳି ଏକ ଜଟିଳ କାର୍ଯ୍ୟକ୍ରମ ସଂଗଠନ ସରକାରଙ୍କ ପାଖେ ଏକ ମୁଖ୍ୟ ଚାଲେଞ୍ଜ ହୋଇଥାନ୍ତା। ପ୍ରବାସୀ ଭାରତୀୟଙ୍କ ଦେଶକୁ ବିଲିୟନବିଲିୟନ ଡଲାର ଅର୍ଥ ପ୍ରେରଣ ବାଧାପ୍ରାପ୍ତ ହୋଇଥାନ୍ତା ଯାହା କେରଳ ଭଳି ବହୁ ପ୍ରଦେଶର ଅର୍ଥନୀତି ଓ ଜୀବନଶୈଳୀକୁ ଦୋହଲାଇ ଦେଇଥାନ୍ତା। ସର୍ବଶେଷରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ କେତେକ ଆତଙ୍କବାଦୀ ଗୋଷ୍ଠୀକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାନ୍ତା। ଆଇଏସ୍‌, ଅଲକାଇଦା ଭଳି ଆତଙ୍କୀ ଗୋଷ୍ଠୀଙ୍କର ପ୍ରମୁଖ ଲକ୍ଷ୍ୟସ୍ଥଳୀ ମଧ୍ୟରେ ଭାରତ ଅନ୍ୟତମ। ଏଭଳି ତରଳ ଅବସ୍ଥାରେ ୟୁକ୍ରେନ୍‌ ବିମାନ ଦୁର୍ଘଟଣା ଓ ଶତାଧିକ ଯାତ୍ରୀଙ୍କର ମୃତ୍ୟୁରେ ଇରାନ୍‌ର ସମ୍ପୃକ୍ତି ଓ ସ୍ବୀକାର ଏବଂ ଏଥିରୁ ଉପୁଜିଥିବା ଜନଆନ୍ଦୋଳନ ଏବଂ ପରିବର୍ତ୍ତନର ଦାବି ସେଠାରେ ଥିବା ପୁଞ୍ଜିଭୂତ ଅସନ୍ତୋଷର ଏକ ଝଲକ।
ଏହି ପରିବର୍ତ୍ତନଶୀଳ ପରିସ୍ଥିତିରେ ଭାରତର ଇରାନ୍‌ ଓ ଆମେରିକା ଭିତରେ ମଧ୍ୟସ୍ଥତା କରିବାର ପ୍ରସ୍ତାବ ଭାରତରେ ଅବସ୍ଥାପିତ ଥିବା ଇରାନ୍‌ର ରାଷ୍ଟ୍ରଦୂତ ସୂଚନା ଦେଇଥିଲେ। ତେବେ ଦୁଇଟି ପରସ୍ପର ବିରୋଧୀ ବନ୍ଧୁ ରାଷ୍ଟ୍ର ଯୁଦ୍ଧକାଳୀନ ପରିସ୍ଥିତିରେ ଦଣ୍ଡାୟମାନ ଅବସ୍ଥାରେ ନିପୁଣତା ଓ ସତର୍କତା ସାପେକ୍ଷ ପଦକ୍ଷେପ ଆବଶ୍ୟକ କରେ। ଇରାନ୍‌ ସହିତ ଭାରତର ସଭ୍ୟତାଭିତ୍ତିକ ସମ୍ପର୍କ ହଜାରହଜାର ବର୍ଷ ଧରି ରହିଛି। ଏବେବି ଦୁଇଦେଶ ବହୁ ଆନ୍ତର୍ଜାତିକ ବିଷୟରେ ଏକମତ ଓ ବାଣିଜ୍ୟ କ୍ଷେତ୍ରରେ ଏକ ପ୍ରଧାନ ସହଯୋଗୀ। ବର୍ତ୍ତମାନ ପରିସ୍ଥିତିରେ ଇରାନରୁ ତେଲ ଆମଦାନୀ ପ୍ରାୟ ଶୂନ୍ୟ ଏବଂ ଛବର ବନ୍ଦରର ନିର୍ମାଣ ଗତି ବ୍ୟାହତ। ସେଥିପାଇଁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତିରେ ରୁଷିଆ ଓ ଅନ୍ୟ ଦେଶ ସହିତ ଆଲୋଚନାରତ ଯଦ୍ଦ୍ବାରା ଭବିଷ୍ୟତରେ ଶକ୍ତି କ୍ଷେତ୍ରରେ ସଙ୍କଟ ନଉପୁଜେ ଓ ବିକାଶର ଧାରା ବ୍ୟାହତ ନହୁଏ। ଆମେରିକା ମଧ୍ୟ ଆମର ବନ୍ଧୁ। ଗତ ଦୁଇ ଦଶନ୍ଧି ଧରି ଏହା ସହିତ ସମ୍ପର୍କ ଆହୁରି ନିବିଡ଼ତର ହେଉଛି। ଆମେରିକା ଭାରତର ଷ୍ଟ୍ରାଟେଜିକ୍‌ ପାଟନର। ସୁରକ୍ଷା ଓ ଅର୍ଥନୀତି କ୍ଷେତ୍ରରେ ଆମର ପ୍ରମୁଖ ସହଯୋଗୀ। ତେଣୁ ମଧ୍ୟସ୍ଥତା ଓ ପରାମର୍ଶର ଗ୍ରହଣୀୟତାରେ ନିଶ୍ଚିତତା ନଥିଲେ ସଂଯମ, ଗମ୍ଭୀର ଆଚରଣ ଭାରତ ପାଇଁ ଶ୍ରେୟସ୍କର।

  • -ଅବସର ବେଉରିଆ

ଏ ୧୬୫, ସହିଦ ନଗର
ଭୁବନେଶ୍ବର- ୭୫୧୦୦୭

Comments are closed.