ମନରେଗା ଯୋଜନା: ଜିଆର୍ଏସ୍ଙ୍କୁ ୨୦୧୯ରେ ସମ୍ମାନୀତ, ୨୦୨୦ରେ ବହିସ୍କୃତ

ଲୋଇସିଂହା: ଲୋଇସିଂହା ବ୍ଲକ ହିରାପୁର ପଞ୍ଚାୟତ। ଏହି ପଞ୍ଚାୟତର ଜିଆର୍ଏସ୍ ଅଜିତ କୁମାର ସାହୁ। ଭଲ କାମ କରିଥିବା ପ୍ରମାଣପତ୍ର ଦେଇଥିଲେ ବ୍ଲକର ବିଡିଓ। ପୁରସ୍କାର ପାଇଁ ନାମ ସୁପାରିଶ କରିଥିଲେ। ମନରେଗା ଯୋଜନାରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୯ରେ ମାନପତ୍ର ସହ ସମ୍ମାନିତ ହୋଇଥିଲେ ଶ୍ରୀ ସାହୁ। ତେବେ ଜିଆର୍ଏସ୍ ଶ୍ରୀ ସାହୁ ମନରେଗା ଯୋଜନାରେ ହେରଫେର କରି ବହିଷ୍କୃତ ହୋଇଛନ୍ତି।
ଗତ ୪ ବର୍ଷ ତଳେ ଲୋଇସିଂହା ବ୍ଲକରେ ୩କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅନିୟମିତତା ଓ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ତତ୍କାଳୀନ କୋଷାଧ୍ୟକ୍ଷ ଓ ଭାରପ୍ରାପ୍ତ ବିଡିଓଙ୍କଠାରୁ ପୁନଃ ଆଦାୟ ପାଇଁ ନିର୍ଦେଶ ହୋଇଥିଲା। କିନ୍ତୁ ଜିଲା ପ୍ରଶାସନର ଫାଇଲ ତଳେ ଏହି ମାମଲା ରହିଗଲା। ତତ୍କାଳୀନ ଭାରପ୍ରାପ୍ତ ବିଡିଓ ଓ କୋଷାଧ୍ୟକ୍ଷଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଏବଂ ସେମାନେ ବର୍ତ୍ତମାନ ସୁଦ୍ଧା ନିଜ ପଦ ପଦବୀରେ କାର୍ଯ୍ୟରତ ଅଛନ୍ତି। ଲୋଇସିଂହା ବ୍ଲକ ହିରାପୁର ପଞ୍ଚାୟତରେ ମନରେଗା ଯୋଜନାରେ ଅନିୟମିତତା ଓ ଅର୍ଥ ଆତ୍ମସାତ ଅଭିଯୋଗ ହୋଇଥିଲା। ଗାଁ ଲୋକଙ୍କ ଅଭିଯୋଗରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଜିଆରଏସ ଶ୍ରୀ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା। ମାତ୍ର ସେ କୌଣସି ଉତ୍ତର ଦେଇ ନଥିବାରୁ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ବ୍ଲକ ସୂତ୍ରରୁ ଜଣାପଡିଛି। ତେବେ ସଂପୃକ୍ତ ଜିଆର୍ଏସ୍ କୈଫିୟତ ତଲବର ଉତ୍ତର ବ୍ଲକରେ ଦେଇଥିଲେ ହେଁ ସେମାନେ ପଠାଇ ନଥିବା ଜିଆର୍ଏସ୍ ଶ୍ରୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ପଞ୍ଚାୟତରେ ନରେଗା ତଥା ଯେକୌଣସି ଉନ୍ନୟନ କାମ ହେଲେ ଜିଆର୍ଏସ୍୍ଠାରୁ ଆରମ୍ଭ କରି ଜିପିଟିଏ, ଇଓ, ଜିପିଇଓ, ବିଡିଓ ସମେତ ଅନେକ ଅଧିକାରୀ ରହିଛନ୍ତି। ତେବେ ଲୋଇସିଂହା ବ୍ଲକରେ ଅଭିଯୋଗକାରୀଙ୍କ ସନ୍ତୁଷ୍ଟିକରଣ ପାଇଁ ତଳିଆ କର୍ମଚାରୀ ମୁଣ୍ଡରେ ଅଠା ବୋଳି ସମସ୍ତ ଅଧିକାରୀଙ୍କୁ ଘଣ୍ଟ ଘୋଡାଯାଉଥିବା ଲୋଇସିଂହା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।