ରାହା ଖୋଜୁଛନ୍ତି ଅସହାୟ: କୁଆଡ଼େ ଗଲେ ସ୍ଵେଚ୍ଛାସେବୀ ସଙ୍ଗଠନ

କଟକ : ଗୁରୁବାର ଅପରାହ୍ଣ। ସମୟ ପାଖାପାଖି ୫ଟା। ରିଂବନ୍ଧର ଯୋବ୍ରା ଦୁର୍ଗାମଣ୍ଡପ-ମାଲଗୋଦାମ ଥାନା ମଧ୍ୟବର୍ତ୍ତୀ ଅଞ୍ଚଳ ରାସ୍ତାରେ ଅତି ଦୟନୀୟ ଅବସ୍ଥାରେ ପଡିରହିଥିଲେ ଜଣେ ଅସହାୟ ବ୍ୟକ୍ତି। ବୟସ ୫୫ରୁ ୬୦ବର୍ଷ ହେବ। ଦେହରେ ବାସ ନାହିଁ। ଶରୀର ଫୁଙ୍ଗୁଳା। ରାସ୍ତାରେ ଯାଉଥିଲା ଶହଶହ ଗାଡ଼ି ମୋଟର। ଉଣା ଅଧିକେ ସଭିଁଙ୍କ ନଜର ପଡୁଥିଲା ବୃଦ୍ଧଙ୍କ ଉପରେ; ହେଲେ କେହି ସହାୟତା ପାଇଁ ଆଗେଇ ଆସୁ ନ ଥିଲେ। କେବଳ କେତେକ ବ୍ୟକ୍ତି ଗାଡ଼ି ଚଢିଯିବା ଆଶଙ୍କାରେ ତାଙ୍କ ଚାରିପାଖରେ କେଇଖଣ୍ଡ ପଥର ଥୋଇଦେଇଥିଲେ। କାଳେ ଛୁଇଁଲେ କରୋନା ଭୂତାଣୁ ସଂକ୍ରମିତ ହେବ ସେହି ଡ଼ର ବୋଧେ ଘାରିଥିଲା ପଥଚାରୀମାନଙ୍କୁ। ଅସହାୟ ଜଣକ ସତେଯେମିତି ମୃତ୍ୟୁକୁ ଅପେକ୍ଷା କରିଥିଲେ। ବୈଶ୍ବିକ କରୋନା ମହାମାରୀକୁ ନେଇ ସଭିଁଏ ଭୀତତ୍ରସ୍ତ; ଅଥଚ ରାସ୍ତାର ଏଭଳି ଦୃଶ୍ୟ ବି ଥିଲା ମାନବିକତାକୁ ଦୋହଲାଇ ଦେବାପରି। କରୋନା ସଂକ୍ରମଣ ଡରରେ ମଣିଷପଣିଆ ଭୁଲିଯିବା ଆମ ସାମାଜିକ ଜୀବନର ଅସଲ ମୂଲ୍ୟବୋଧକୁ ଉପହାସ କରୁଛି। ପିତୃ ଦିବସ, ମାତୃ ଦିବସରେ ସାମାଜିକ ଗଣମାଧ୍ୟମରେ ବାପା-ମାଙ୍କ ସହ ଫଟୋ ଉଠାଇ ପୋଷ୍ଟ କରିବାରେ ଲୋକମାନେ ଆଦୌ କାର୍ପଣ୍ୟ କରୁ ନାହାନ୍ତି । ମାତ୍ର ରାସ୍ତା କଡ଼ରେ ଯେଉଁ ବାପା-ମା ମାନେ ଅନାହାରରେ ବା ଅର୍ଦ୍ଧାହାରରେ ରୋଗ ଯନ୍ତ୍ରଣାରେ ମୃତ୍ୟୁକୁ ଅପେକ୍ଷା କରୁଛନ୍ତି ସେମାନେ କିଏ? ସେମାନଙ୍କ ପ୍ରତି କ’ଣ କାହାର ଦାୟିତ୍ଵ ନାହିଁ ।

କେବଳ ଏହି ଗୋଟିଏ ଘଟଣା ନୁହେଁ; ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ଗଡଗଡିଆ ମନ୍ଦିର ନିକଟସ୍ଥ ଡିସିପି ଅଫିସ ନିକଟରେ। ସେଠାରେ ମଧ୍ୟ ଜଣେ ଅସହାୟ ସେମିତି ରାସ୍ତାପାର୍ଶ୍ବରେ ପଡିରହିଛନ୍ତି। ଗଣିବସିଲେ ଏମିତି ରାସ୍ତା ପାର୍ଶ୍ବ, ବସଷ୍ଟାଣ୍ଡ, ପରିତ୍ୟକ୍ତ ସ୍ଥାନରେ ଅନେକ ଅସହାୟ, ନିରାଶ୍ରୟ ଓ ଭୋକିଲା ମଣିଷଙ୍କର ସଂଖ୍ୟା ବହୁତ ଲମ୍ବା। ସ୍ୱେଚ୍ଛାସେବୀଙ୍କ ସେବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି। ପୂର୍ବରୁ ଉଣାଅଧିକେ କେହି ସ୍ୱେଚ୍ଛାସେବୀ, ପୁଲିସ କିମ୍ବା ସାମାଜିକ ସଂଗଠନର କର୍ମକର୍ତ୍ତା ଅସହାୟ ଓ ନିରାଶ୍ରୟଙ୍କୁ ଉଦ୍ଧାର କରି ମେଡିକାଲ କିମ୍ବା ବୃଦ୍ଧାଶ୍ରମରେ ଛାଡୁଥିଲେ। ଏବେ କରୋନା ମହାମାରୀ ସେଥିରେ କଣ୍ଟା ସାଜିଛି। ସଂକ୍ରମଣ ଭୟରେ କେହି ଏମାନଙ୍କୁ ସହାୟତା କରିବାକୁ ଆଗ୍ରହ ଦେଖାଉନାହାନ୍ତି। ପ୍ରଶାସନର ଉଦାସୀନତା ସେମାନଙ୍କ ପାଇଁ କ୍ରୂର ଉପହାସ ସଦୃଶ ହୋଇଛି।

ଗତକାଲି ସନ୍ଧ୍ୟାରେ ଡିସିପିଙ୍କ ଅଫିସ ନିକଟରେ ପଡି ରହିଥିବା ବୃଦ୍ଧଙ୍କୁ ଉଦ୍ଧାର ପାଇଁ ପୁଲିସର ପିସିଆର ଭ୍ୟାନ୍‌ ପହଞ୍ଚିଥିଲା; କିନ୍ତୁ ସେମାନଙ୍କ ନିକଟରେ ସହରରେ କେତୋଟି ବୃଦ୍ଧାଶ୍ରମ ରହିଛି, କେଉଁମାନେ ଅସହାୟ ଲୋକଙ୍କୁ ଥଇଥାନ କରୁଛନ୍ତି ଏମିତିକି କେଉଁ କେଉଁ ସ୍ୱେଚ୍ଛାସେବୀ ସଂଗଠନ ଏ ଦିଗରେ କାର୍ଯ୍ୟ କରୁଛି, ତାହାର ତାଲିକା ନ ଥିଲା। ଫଳରେ ସେମାନେ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି କେଉଁଠାରେ ଛାଡିବେ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଥିଲେ। ସେହିପରି କରୋନା ସଂକ୍ରମଣ ଭୟ ବି ପୁଲିସ କର୍ମଚାରୀଙ୍କୁ ରହିଥିଲା। କାହା ନିକଟରେ ପିପିଇ କିଟ, ମାସ୍କ, ସାନିଟାଇଜର କିମ୍ବା ଅନ୍ୟ କୌଣସି ସୁରକ୍ଷା ସାମଗ୍ରୀ ନଥିଲା। ଫଳରେ ସେମାନେ ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସାହସ ଜୁଟାଇ ପାରି ନଥିଲେ। ସେହିପରି ଗୁରୁବାର ଯୋବ୍ରା ଅଞ୍ଚଳରେ ରାସ୍ତାରେ ପଡି ରହିଥିବା ବୃଦ୍ଧଙ୍କ କ୍ଷେତ୍ରରେ ମଧ୍ୟ ଘଟିଥିଲା। ଖବର ପାଇ ଆମ୍ବୁଲାନ୍ସ ପହଞ୍ଚିଲା। ଆମ୍ବୁଲାନ୍ସ କର୍ମଚାରୀମାନେ ବୃଦ୍ଧଙ୍କୁ ଉଦ୍ଧାର କରିବାକୁ ଚାହୁଥିଲେ। ହେଲେ କେଉଁଠିକୁ ନେବେ ଜାଣିପାରୁ ନ ଥିଲେ।

ପ୍ରତିଦିନ ବିଭିନ୍ନ ସହରରେ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି। ଅସହାୟଙ୍କୁ ଥଇଥାନ କରିବା ନାଁରେ ସରକାରଙ୍କଠାରୁ ସହାୟତା ନେଉଛନ୍ତି ଅନେକ ସେଚ୍ଛାସେବୀ ସଂଗଠନ; କିନ୍ତୁ ଏ ସମ୍ପର୍କରେ ସେହିସବୁ ସଂଗଠନ ଗୁଡିକ ସର୍ବସାଧାରଣରେ ସୂଚନା ଦେଉନାହାନ୍ତି। ଫଳରେ ଯେଉଁ ସାମାଜିକ ସଂଗଠନ କିମ୍ବା ସ୍ୱେଚ୍ଛାସେବୀ କାହାକୁ ଉଦ୍ଧାର କଲେ କେଉଁଠାରେ ତାଙ୍କୁ ଛାଡିବେ ତାହାକୁ ନେଇ ଦ୍ୱନ୍ଦ୍ୱରେ ରହୁଛନ୍ତି। ଏ ଦିଗରେ ବି ପ୍ରଶାସନ ନିଜ ଆଡୁ ତତ୍ପରତା ଦେଖାଉନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦେଶ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ସତ୍ତ୍ବେ ସରକାରୀ ସହାୟତାପ୍ରାପ୍ତ ସଂଗଠନ ଗୁଡିକ ସେମାନଙ୍କ ସୂଚନା ସାର୍ବଜନୀନ କରୁନାହାନ୍ତି। ପ୍ରଶାସନିକ ଉଦାସୀନତା ଯୋଗୁଁ ଅସହାୟ ଓ ନିରାଶ୍ରୟ ବ୍ୟକ୍ତି ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷରେ ସାମାଜିକ ମୂଲ୍ୟବୋଧ ବି ହ୍ରାସ ପାଇବାରେ ଲାଗିଛି।

ପ୍ରଥମେ ପ୍ରଥମେ ଅନେକ ପୁଲିସ କର୍ମଚାରୀ, ଅଧିକାରୀ ଏଭଳି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଅସହାୟ ଲୋକଙ୍କୁ ଖାଦ୍ୟସାମଗ୍ରୀ ବାଣ୍ଟୁଥିଲେ। ଏବେ ମଧ୍ୟ କିଛି ଉଣା ଅଧିକେ ଚାଲିଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଘୂରୁଛି। ଅସଲରେ କିନ୍ତୁ ସେମାନଙ୍କ ଥଇଥାନ ଓ ସୁରକ୍ଷା ସଂକ୍ରାନ୍ତ ବିଧିବଦ୍ଧ ବ୍ୟବସ୍ଥା ଲାଗି ସର୍ବସାଧାରଣ ଓ ସରକାରୀ ସ୍ତରରେ ଆନ୍ତରିକତା ପ୍ରକାଶ ପାଇପାରୁ ନ ଥିବା ଅନୁଭୂତ ହେଉଛି। ପୁଣି କରୋନା କାଳରେ ସଂକ୍ରମଣ ଡ଼ର ଏଭଳି ଅସଂଖ୍ୟ ପଥକଡ଼ ଅସହାୟଙ୍କୁ ମାନବିକ କରୁଣାରୁ ଊଣା କରିଛି। କେବେ ମଣିଷ ବୁଝିବ ମାନବିକତାର ମୂଲ !!!

ଏହି ଘଟଣାର ପାର୍ଶ୍ଵପଟକୁ ଦେଖିଲେ ଆଉ ଏକ ଘଟଣା ନଜରକୁ ଆସେ । ରାଜ୍ୟରେ ହଜାର ହଜାର ସ୍ବୀକୃତିପ୍ରାପ୍ତ ସ୍ଵେଚ୍ଛାସେବୀ ସଙ୍ଗଠନ ରହିଛି । ଏହାମଧ୍ୟରୁ ବହୁ ସଂସ୍ଥା ଜାତୀୟ ଓ ଆନ୍ତର୍ଜାତିକସ୍ତରରୁ ଅନୁଦାନ ପାଉଛନ୍ତି । ମାତ୍ର ସରକାରଙ୍କ ପାଖରେ ଏହି ସଂସ୍ଥାମାନେ ନା ଉତ୍ତରଦାୟୀ ହେଉଛନ୍ତି ନା ସାଧାରଣଲୋକଙ୍କ ନିକଟରେ । ୨୦୧୩ରୁ ୨୦୧୬ ମସିହା ମଧ୍ୟରେ କେନ୍ଦ୍ର ସରକାର ଜାତୀୟ ଓ ଆନ୍ତର୍ଜାତୀୟ ଅନୁଦାନ ପାଉଥିବା ସଂସ୍ଥା ସମ୍ପର୍କରେ ବିଭିନ୍ନ ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିଥିଲେ । ମାତ୍ର ଏହି ତଥ୍ୟ ଦିଆଗଲା କି ନାହିଁ ତାହା ଏଯାଏ ଜଣାପଡ଼ିଲା ନାହିଁ ।

ଏକ ସୂତ୍ର ଅନୁସାରେ ରାଜଧାନୀରେ ରହିଛି ଶତାଧିକ ଜରା ନିବାସ । ଏହାମଧ୍ୟରୁ ପ୍ରାୟ ୫୩ଟି ହେଉଛି ଦେୟଯୁକ୍ତ । ଯେଉଁ ବୟସ୍କ ଲୋକମାନେ ଏଠାରେ ରହୁଛନ୍ତି ସେମାନଙ୍କ ପାଇଁ ତାଙ୍କ ପରିଜନ, ନିକଟ ସମ୍ପର୍କୀୟ ବା ସେମାନେ ନିଜେ ଅନ୍ତେବାସୀ ଅର୍ଥ ଭରଣା କରୁଛନ୍ତି । ଏଥିପାଇଁ ପ୍ରାରମ୍ଭରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ସିକ୍ୟୁରିଟି ଦିଆଯିବାର ବ୍ୟବସ୍ଥା ଅଛି ଏବଂ ମାସିକ ୩ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପାଉଣା । ମାତ୍ର ଆଉ କିଛି ବଦାନ୍ୟ ବ୍ୟକ୍ତି ବା ଅନୁଷ୍ଠାନ  ଜରା ନିବାସ ଚଳାଉଛନ୍ତି ସେଠାରେ ରାସ୍ତା କଡ଼ର ଗରିବ ଲୋକମାନଙ୍କୁ ଆଣି ଥଇଥାନ କରାଯାଉଛି । ମାତ୍ର ଏହି ସଂସ୍ଥା ନିକଟରେ ରାସ୍ତା କଡ଼ରେ ଖରା କାକରରେ ପଡ଼ୁଥିବା ଲୋକଙ୍କୁ ପହଞ୍ଚାଇବ କିଏ ? ତାହା ଛାଡ଼ି ଯାଇଛି ଅୟୁତ ପ୍ରଶ୍ନ ।

 

Comments are closed.