ୟୁରୋପ ଗସ୍ତରେ ପୁରୁଷ ହକି ଦଳ: ଓଡ଼ିଶାରୁ ଅମିତ, ବୀରେନ୍ଦ୍ର ଓ ଦୀପ୍‌ସାନ୍‌

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସ ପୂର୍ବରୁ ଦଳ ପ୍ରସ୍ତୁତି ଓ ଅଭ୍ୟାସ ଲାଗି ଭାରତୀୟ ପୁରୁଷ ହକି ଦଳ ଚଳିତ ଫେବୃଆରୀ ୨୮ରୁ ମାର୍ଚ୍ଚ ୮ ପର୍ୟ୍ୟନ୍ତ ଜର୍ମାନୀ ଓ ଇଂଲଣ୍ଡ ଗସ୍ତ କରିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୨ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ମନପ୍ରୀତ୍‌ ସିଂହଙ୍କ ଅନୁପସ୍ଥିତିରେ ପି.ଆର ଶ୍ରୀଜେଶ ଅଧିନାୟକ ଓ ହରମନପ୍ରୀତ୍‌ ସିଂହ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦଳ​‌ରେ ଓଡ଼ିଶାରୁ ୩ ଖେଳାଳି- ଡିଫେଣ୍ଡର ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା ଓ ଦୀପ୍‌ସାନ ତିର୍କୀ ସ୍ଥାନ ପାଇଛନ୍ତି। ବାଙ୍ଗାଲୋର ସାଇ ସେଣ୍ଟରରେ ଚାଲିଥିବା ଭାରତୀୟ ହକି ଦଳର ସମ୍ଭାବ୍ୟ ଶିବିରରୁ ୟୁରୋପ ଗସ୍ତ ଲାଗି ଖେଳାଳି ମନୋନୟନ କରାଯାଇଛି।

ଦଳରେ ମନପ୍ରୀତ ସିଂହ, ରୁପିନ୍ଦରପାଲ ସିଂହ, ବରୁଣ କୁମାର, ଏସ.ଭି. ସୁନୀଲଙ୍କ ଭଳି ଖେଳାଳି ଅନୁପସ୍ଥିତ ଥିବା ବେଳେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ବ୍ୟକ୍ତିଗତ କାରଣ ପାଇଁ ମନପ୍ରୀତ ଓହରି ଯାଇଛନ୍ତି। ୧୭ ଦିନିଆ ଗସ୍ତରେ ଭାରତ ମାର୍ଚ୍ଚ ୨ ପର୍ୟ୍ୟନ୍ତ ଜର୍ମାନୀ ବିପକ୍ଷରେ ମ୍ୟାଚ ଖେଳିବ। ବେଲଜିୟମ୍‌ରୁ ଭାରତୀୟ ଦଳ ସିଧା ଇଂଲଣ୍ଡ ଯିବ। ସେଠାରେ ଇଂଲଣ୍ଡ ବିପକ୍ଷରେ ମାର୍ଚ୍ଚ ୬ ଓ ୮ରେ ୨ଟି ଅଭ୍ୟାସ ମ୍ୟାଚ ଖେଳିବ। ଭାରତ ଶେଷ ଥର ପାଇଁ ଗତ ୨୦୨୦ ଜାନୁଆରୀରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ ହକିର ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିଥିଲା। ଏକ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛି।

ଭାରତୀୟ ପୁରୁଷ ହକି ଦଳ: ପି.ଆର୍‌. ଶ୍ରୀଜେଶ (ଅଧିନାୟକ ), କୃଷ୍ଣ ବାହାଦୂର ପାଠକ (ଉଭୟେ ଗୋଲ୍‌ରକ୍ଷକ), ଅମିତ ରୋହିଦାସ, ଦୀପ୍‌ସାନ ତିର୍କୀ, ଗୁରିନ୍ଦର ସିଂହ, ହରମାନ୍‌ପ୍ରୀତ ସିଂହ (ଉପଅଧିନାୟକ), ସୁରେନ୍ଦ୍ର କୁମାର, ଜର୍ମାନପ୍ରୀତ୍‌ ସିଂହ, ବୀରେନ୍ଦ୍ର ଲାକ୍ରା (ସମସ୍ତେ ଡିଫେଣ୍ଡର) ଚିଙ୍ଗଲେନ୍‌ସାନା ସିଂହ, ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ରାଜକୁମାର ପାଲ୍‌, ସିମ୍ରନଜିତ୍‌ ସିଂହ, ସମଶେର ସିଂହ, ଆକାଶଦୀପ୍‌ ସିଂହ (ମିଡ୍‌ଫିଲଡର), ଗୁରୁଜାନ୍ତ ସିଂହ, ରମଣଦୀପ୍‌ ସିଂହ, ଦିଲ୍‌ପ୍ରୀତ୍‌ ସିଂହ, ମନଦୀପ୍‌ ସିଂହ ଓ ଲଲିତ କୁମାର ଉପାଧ୍ୟାୟ (ଫରୱାର୍ଡ)।

Comments are closed.