ସିମ୍ପାଞ୍ଜିକୁ ଅନୁକରଣ କଲା ମଣିଷ

୧୯୩୧ ଜୁନ୍ ୨୬ର ଘଟଣା, ଆମେରିକାର ଗବେଷକ ଦମ୍ପତି ୱିନ୍‌ଥ୍ରପ୍ ନିଲସ୍ କେଲୋଜ୍ ଓ ଲୁଏଲା ଡୋରୋଥି ଆଗୋର୍‌ ଶିଶୁ ପୁତ୍ର ଡୋନାଲ୍ଡର ବାପା-ମା’ ହେବାର ସୌଭାଗ୍ୟ ପାଇଲେ। ଏଇ ଦମ୍ପତି ବିବାହ ସମୟରୁ ହିଁ ସ୍ଥିର କରିଥିଲେ, ସେମାନଙ୍କ ସନ୍ତାନ ଜନ୍ମ ପରେ ଏକ ଗବେଷଣା ଆରମ୍ଭ କରିବେ। ଗବେଷଣାରେ ସେମାନେ ସାମିଲ କରିଥିଲେ ସିମ୍ପାଞ୍ଜି ଗୁଆକୁ, ଏହି ସିମାଞ୍ଜି ଓ ସେମାନଙ୍କ ପୁଅର ବୟସ ପାଖାପାଖି ସମାନ ଥିଲା। ଦୁହିଁଙ୍କୁ ଏକାଠି ଲାଳନପାଳନ କରିବା, ଶିକ୍ଷା ଦେବା ଇତ୍ୟାଦିର ଲକ୍ଷ୍ୟରେ ଥିଲେ ଗବେଷକ ଦମ୍ପତି। ମଣିଷ ଠାରୁ ସିମ୍ପାଞ୍ଜି କିଭଳି ଗ୍ରହଣ କରୁଛି, ତାହା ଜାଣିବାକୁ ସେମାନେ ଚାହୁଁଥିଲେ। ନିଲସ୍‌-ଲୁଏଲା, ଗୁଆକୁ ନିଜ ଝିଅ ଭଳି ଗେହ୍ଲା ଆଦର କଲେ, ଗୁଆ-ଡୋନାଲ୍ଡକୁ ସବୁବେଳେ ଏକାଠି ଖେଳାଇବା, ବୁଲାଇବା, ଶୋଇବାରେ ଅଭ୍ୟସ୍ତ କଲେ। ସମୟକ୍ରମେ ସେମାନେ ଲକ୍ଷ୍ୟ କଲେ, ଗୁଆ ପ୍ରତ୍ୟେକ କାମକୁ ନିଖୁଣତାର ସହ କରୁଛି। ଡୋନାଲ୍ଡ ଓ ଗୁଆକୁ ନେଇ କେତୋଟି ପରୀକ୍ଷା କଲେ, ମଜାଦାର କଥା ଥିଲା ଗୁଆ ସବୁଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଲା। କିଛି ସପ୍ତାହ ପରେ ଲୁଏଲା ଦେଖିଲେ ପୁଅ ଡୋନାଲ୍ଡ ଧୀରେଧୀରେ ଗୁଆକୁ ଅନୁକରଣ କରିବାକୁ ଆରମ୍ଭ କଲାଣି। ଗୁଆ ପରି ଡୋନାଲ୍ଡ ମଧ୍ୟ ସ୍ବର ବାହାର କରି ଚିତ୍କାର କରିବା, ଡୋନାଲ୍ଡ କଥା କହିବା ବନ୍ଦ କରିବା ଦେଖିବା ପରେ ଦମ୍ପତି ଚିନ୍ତାରେ ପଡ଼ିଗଲେ। ଅଧିକ ଗବେଷଣା କରି ଆଉ ଜାଣିବେ କ’ଣ, ବରଂ ଏଇ କାମରେ ଡୋରି ବାନ୍ଧିବାକୁ ସେମାନେ ଉଚିତ୍ ମଣିଲେ। ବେଶୀ ବିଳମ୍ବ ନ କରି ଗୁଆକୁ ସେମାନେ ନ୍ୟୁୟର୍କର ପ୍ରାଣୀ ସହାୟତା କେନ୍ଦ୍ରରେ ଛାଡ଼ିବା ସହ ପୁଅ ଡୋନାଲ୍ଡର ମାନସିକ ଓ ଶାରୀରିକ ବିକାଶ ନିମନ୍ତେ ଯଥା ପଦକ୍ଷେପ ନେଲେ। ପରବର୍ତ୍ତୀ ସମୟରେ ନିଜର ଏଇ ଗବେଷଣାର ଅନୁଭୂତିକୁ ପୁସ୍ତକ ମାଧ୍ୟମରେ ପ୍ରକାଶ କରିଥିଲେ ନିଲୋସ୍ କେଲୋଜ୍, ୧୯୩୩ରେ ଏହି ପୁସ୍ତକ ପ୍ରକାଶିତ ହୋଇଥିଲା।

Comments are closed.