ଗୋଚର ଜମିରେ ବିଦ୍ୟୁତ୍‍ ଟ୍ରାନ୍ସଫର୍ମର ବିରୋଧରେ ଅଭିଯୋଗ

ଆଠଗଡ : ଆଠଗଡ ତହସିଲ ଅନ୍ତର୍ଗତ କୁମାରପୁର ପଞ୍ଚାୟତର ବଳିପୁର ମୌଜାରେ ଥିବା ୩୮ଏକର ଗୋଚର ଜମିରେ ଦୁଇ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ନେଇ ଗ୍ରାମବାସୀ ବିରୋଧ କରିବା ସହ ଏ ସଂପର୍କରେ ଟାଟା ପାୱାର ବିଦ୍ୟୁତ ବଣ୍ଟନ କମ୍ପାନୀର ଆଠଗଡ ନିର୍ବାହୀ ଯନ୍ତ୍ରୀ ଏବଂ ଓପିଟିସିଏଲର ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବଳିପୁର ମୌଜା ଖାତା ନଂ ୬୧ ଏବଂ ପ୍ଲଟ ନଂ ୧୪୬ ଓ ୧୫୨ରେ ରହିଥିବା ୩୮ଏକର ଗୋଚର ଜମିକୁ କୁମାରପୁର ଅଞ୍ଚଳର ଜଣେ ବ୍ୟକ୍ତି ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜବରଦଖଲ କରିଥିବାବେଳେ ପୂର୍ବରୁ ଗ୍ରାମବାସୀ ଆଠଗଡ ତହସିଲରେ ଅଭିଯୋଗ କରିଥିଲେ। ତେବେ ସେହି ଗୋଚର ଜମିରେ ରହିଥିବା ଏକ ଫାର୍ମ ହାଉସକୁ ବିଜୁଳି ସଂଯୋଗ ଦେବାକୁ ଯାଇ ଟାଟା ପାୱାର କର୍ତ୍ତୃପକ୍ଷ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ଦୁଇ ଦୁଇଟା ଉଚ୍ଚ ଶକ୍ତିସଂପନ୍ନ ବିଦ୍ୟୁତ୍‍ ଟ୍ରାନ୍ସଫର୍ମର କିପରି ଓ କାହା ସ୍ୱାର୍ଥରେ ପ୍ରତିଷ୍ଠା କରାଯାଇଛି ତାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଯୁବ ସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ବଳିପୁର ଓ କୁମାରପୁର ଗ୍ରାମର ବହୁ ଲୋକ ଆଠଗଡ ଟାଟା ପାୱାର ବିଦ୍ୟୁତ୍‍ ବଣ୍ଟନ କମ୍ପାନୀ ନିର୍ବାହୀ ଯନ୍ତ୍ରୀ ପବିତ୍ର କୁମାର ସାହୁଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିବା ସହ ସେଠାରୁ ବିଦ୍ୟୁତ୍‍ ଟ୍ରାନ୍ସଫର୍ମର ଅପସାରଣ କରିବା ପାଇଁ ଦାବି କରିଥିଲେ । ଆଗାମୀ ୭ଦିନ ମଧ୍ୟରେ ସେଠାରୁ ଟ୍ରାନ୍ସଫର୍ମର ଅପସାରଣ କରାନଗଲେ ସେମାନେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାଇ ଦେଇଛନ୍ତି । ଅଭୟଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ କବି ସାହୁ, ପ୍ରଦୀପ୍ତ ସାହୁ, ପ୍ରତାପ ନାୟକ, ରବିନ୍ଦ୍ର ସାହୁ, ସୁନିଲ ସୁତାର ଓ ଯୁବ ସମାଜସେବୀ ସରୋଜ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.