ବୃହତ ଋଣ ଶିବିରରେ ପିଏନବି ଦ୍ୱାରା ୧୭୯୧ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ବୃହତ ଋଣ ଶିବିରରେ ୧୭୯୧ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। ଏହା କେବଳ ଦେଶର ଉତ୍ତର ପୂର୍ବାଞ୍ଚଳ ପାଇଁ ଉଦ୍ଦିଷ୍ଟ। ଏହି କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ରିଜନ (ବିଟିଆର)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରମୋଦ ବୋଡୋ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆସାମ ବାୟୋ ରିଫାଇନାରୀ ସହିତ ପିଏନବିର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ଅଞ୍ଚଳ ମଧ୍ୟରେ ଅର୍ଥନୈତିକ ଓ ଶିଳ୍ପ କ୍ଷେତ୍ରରେ ରହିଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ପ୍ରମୋଦ ବୋଡୋ ଉଲ୍ଲେଖ କରିଥିଲେ। ଆସାମବାସୀଙ୍କୁ ବ୍ୟାଙ୍କ ଆବଶ୍ୟକ ସେବା ଯୋଗାଣ ଅବ୍ୟାହତ ରଖିବ ବୋଲି ପିଏନବିର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଏସ ଏସ ମଲ୍ଲିକାର୍ଜୁନ ରାଓ ପ୍ରତିଶ୍ରୁତି ଦେଇଥିଲେ। ଆସାମ ବାୟୋ ରିଫାଇନାରୀ ଦ୍ୱାରା ରାଜ୍ୟବାସୀ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି ନୁମାଲିଗଡ ରିଫାଇନାରୀ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏସ କେ ବରୁଆ କହିଥିଲେ।

Comments are closed.