ସରିଲା ଅବଧି ; ସରିଲାନି ବୃହତ ପାନୀୟଜଳ ପ୍ରକଳ୍ପ କାମ

ସୁଆଣ୍ଡୋ : ଲୋକଙ୍କ ପ୍ରତି ଘରେ ପାନୀୟ ଜଳ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ପାନୀୟ ଜଳ ପ୍ରକଳ୍ପ ମାନ ନିର୍ମାଣ କରାଯାଉଛି । ପୁରୀ ଜିଲାର ସତ୍ୟବାଦୀ ଅଞ୍ଚଳର ଲୋକମାନେ ବହୁକାଳ ଧରି ଶୁଦ୍ଧ ପାନୀୟ ଜଳ ମୁନ୍ଦେ ପାଇପାରୁ ନଥିଲେ । ଜଳ ସମସ୍ୟାକୁ ନେଇ ଭୋଟ ସମୟରେ ରାଜନେତା ମାନେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥାନ୍ତି । ଏହାକୁ ଦୃୁଷ୍ଟିରେ ରଖି ମୁଖମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ବର୍ଷ ତଳେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଭୁତି ବାଟିକା ପରିସରରେ ଗୋଟିଏ ବୃହତ ପାନୀୟଜଳ ପ୍ରକଳ୍ପ ପାଇଁ ୩୪ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥିପାଇଁ ଲୋକଙ୍କ ମନରେ ଆନନ୍ଦ ପ୍ରକାଶ ପାଇଥିଲା ଓ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇ ଥିଲେ । ଏହି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ ବଳପୁର, ସାରଙ୍ଗଯୋଡି, କାଦୁଆ, ଦୁଗଲ ବିଦ୍ୟାଧରପୁର, ବଳରାମ ପୁର, ଗଡପରଜାପଡା, ରାୟ ଖଣ୍ଡି, ମହୁରା, କେତକିପାଟଣା, ବିଶ୍ୱନାଥପୁର, ଜୟପୁର ଆଦି ୧୫ଟି ପଞ୍ଚାୟତର ୫୦ ହଜାର ଲୋକ ଉପକୃତ ହୋଇପାରିବେ । ପ୍ରକଳ୍ପର ଭୂମିପୂଜା ଅବସରରେ ଆୟୋଜିତ ସଭାରେ ୨ ବର୍ଷ ମଧ୍ୟରେ ଏହି କାମ ସରିବ ଓ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ବୋଲି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଘୋଷଣା କରିଥିଲେ ।

ଇତିମଧ୍ୟରେ ୨ ବର୍ଷର ଅବଧି ସରି ୪ ବର୍ଷ ଚାଲିଲେଣି ପଛେ ହେଲେ କାମ ସରିପାରୁ ନାହିଁ । ଲୋକମାନେ ନଳକୂଅର ଲୁଣିପାଣି ବ୍ୟବହାର କରୁଛନ୍ତି । ଶୁଦ୍ଧ ପାଣି ମୁନ୍ଦିଏ ପାଇବା ପାଇଁ ଲୋକମାନେ ଚାତକ ଭଳି ଚାହିଁ ରହିଛନ୍ତି । ଏଲ ଆଣ୍ଡ ଟି କମ୍ପାନୀ ଏହି କାର୍ଯ୍ୟ କରିବାକୁ ଠିକା ନେଇଛି । ଠିକା ସଂସ୍ଥା ପକ୍ଷରୁ କାମ ଏବେ ସରିଯିବ, ଟିକିଏ ଆଉ ୨ ମାସ ଅପେକ୍ଷା କରନ୍ତୁ ଆମ ତରଫରୁ ଲୋକଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି ୧ ବର୍ଷ ହେଲା ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଛି । ଲୋକଙ୍କ ପାଇଁ ଏହା ଆକାଶ କଇଁଆ ଚିଲିକା ମାଛ ପରି ହୋଇଛି ବୋଲି କୁହାଯାଉଛି । କମ୍ପାନୀର ବେପରୁଆ ମନୋଭାବ ଓ ଅଧିକ ବିଳମ୍ବ ହେଲେ ବ୍ୟୟବରାଦ ଠାରୁ ଅଧିକ ଟଙ୍କା ପ୍ରକଳ୍ପ ପାଇଁ ବଢିବା ଲକ୍ଷ୍ୟରେ ରହିଛି ବୋଲି ଜନସାଧାରଣଙ୍କ ପକ୍ଷରୁ ଅଭିଯାଗ କରାଯାଉଛି। ସତ୍ୟବାଦୀର ସୁବାସ ଚନ୍ଦ୍ର ଜେନା ଭାସ୍କର ମିଶ୍ର ରୁପରାଜ ବେହେରା ଓ ଦୋଳଗୋବିନ୍ଦ ପଣ୍ଡା ପ୍ରମୁଖ ବୁଦ୍ଧଜୀବୀ କହନ୍ତି ପାନୀୟ ଜଳ ପ୍ରକଳ୍ପ କାମ ତୁରନ୍ତ ଶେଷ କରାଯାଇ ଲୋକଙ୍କୁ ପାଣି ଯୋଗାଇ ଦେବା ଦରକାର ।

Comments are closed.