ଅନୁମତି ବିନା ଶୋଭାଯାତ୍ରା କଲେ ଦୃଢ କାର୍ଯ୍ୟାନୁଷ୍ଠାନ : ଉପଜିଲ୍ଲାପାଳ

ଆଠଗଡ : ଆଠଗଡରେ ବିନା ଅନୁମତିରେ ବିବାହ ଶୋଭାଯାତ୍ରା ବା ଅନ୍ୟ କୌଣସି ଶୋଭାଯାତ୍ରା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଚେତାଇ ଦେଇଛନ୍ତି । ଆଠଗଡ ସହର ଓ ଗ୍ରାମାଞ୍ଚଳରେ ବିବାହ ବା ଅନ୍ୟାନ୍ୟ ଶୋଭାଯାତ୍ରା ପାଇଁ ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଥାନାରୁ ଆବଶ୍ୟକୀୟ ଅନୁମତି ପତ୍ର ନନେଇ ଶୋଭାଯାତ୍ରା କରାଯାଉଥିବା ଦେଖାଯାଇଛି । ଏଥି ସହିତ ରାତି ୧୦ଟା ପରେ, ଏପରିକି ମଧ୍ୟରାତ୍ରି ପର୍ଯ୍ୟନ୍ତ ଉଚ୍ଚଶବ୍ଦଯୁକ୍ତ ଡିଜେ ଓ ଡାକବାଜି ଯନ୍ତ୍ର ବ୍ୟବହାର କରାଯାଉଥିବାରୁ ସ୍ଥାନୀୟ ବାସିନ୍ଦା ବିଶେଷକରି ବୟସ୍କ ନାଗରିକ, ରୋଗୀ , ବିଦ୍ୟାର୍ଥୀ ଓ ଶିଶୁ ଏଥିପାଇଁ ପ୍ରଭାବିତ ହେଉଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଛି । ଏତଦ୍‍ବ୍ୟତୀତ ଉଚ୍ଚ ଶବ୍ଦଯୁକ୍ତ ବାଣ ଫୁଟାଉଥିବାରୁ ଶବ୍ଦ ଓ ବାୟୁ ପ୍ରଦୂଷଣ ହେଉଛି । ଏ ସବୁକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ଏଥିରେ ତହସିଲଦାର ପ୍ରିୟବ୍ରତ ଦାସ, ପୁଲିସ ଉପନିରୀକ୍ଷକ ବିଶ୍ୱଜିତ୍‍ ଜେନା ଓ ଆଠଗଡର ବିଭିନ୍ନ କଲ୍ୟାଣ ମଣ୍ଡପ ମାଲିକ ଯୋଗଦେଇଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ କୌଣସି ବ୍ୟକ୍ତି ବାହାଘର ଅବା ବ୍ରତଘର ବା ଅନ୍ୟ କୌଣସି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଥାନାରୁ ଉପଯୁକ୍ତ ଅନୁମତି ପତ୍ର ନେବେ। ମଣ୍ଡପ ଭଡାନେବା ପାଇଁ ଅଗ୍ରୀମ ଦେବାବେଳେ ଅନୁମତି ପତ୍ରର ନକଲ ଦେବେ ଅଥବା ବିବାହ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମର ୪୮ଘଣ୍ଟା ପୂର୍ବରୁ ଅନୁମତି ପତ୍ର ଦେବା ପାଇଁ ଚୁକ୍ତିପତ୍ର ଦସ୍ତଖତ କରିବେ। ସେହିପରି ମଣ୍ଡପ ମାଲିକମାନେ ଅଗ୍ରୀମ ଦେଉଥିବା ଲୋକଙ୍କର ଟେଲିଫୋନ ନମ୍ବର ସହିତ ସମସ୍ତ ବିବରଣୀ ଆଗୁଆ ଥାନାକୁ ଜଣାଇବେ। ରାତି ୧୦ଟା ପରେ କୌଣସି ପରିସ୍ଥିତିରେ ବିବାହ ଶୋଭାଯାତ୍ରା ବା ଅନ୍ୟ କୌଣସି ଶୋଭାଯାତ୍ରା ହୋଇପାରିବ ନାହିଁ। ଏହାର ବ୍ୟତିକ୍ରମ ଘଟିଲେ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିବାହ କାର୍ଯ୍ୟ ଆୟୋଜନ କରୁଥିବା ବ୍ୟକ୍ତି ଓ ମଣ୍ଡପ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାତି ୧୦ଟା ପରେ ଉଚ୍ଚଶବ୍ଦଯୁକ୍ତ ଡିଜେ, ବ୍ୟାଣ୍ଡପାଟି, ଅନ୍ୟାନ୍ୟ ବାଜା ଓ ଡାକବାଜି ଯନ୍ତ୍ର ବ୍ୟବହାର କରୁଥିଲେ ସେଗୁଡିକୁ ଜବତ କରାଯିବା ସହ ଜୋରିମନା ଆଦାୟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଏନଏସିର କର୍ମଚାରୀ ଗୋରାଚାନ୍ଦ ପରିଡା, ଶୁଭଦୀପା ମଣ୍ଡପର ମାଲିକ ତ୍ରିଲୋଚନ ବେହେରା, ମହାବୀର ପ୍ଲାଜାର ମୁଖ୍ୟ ପରିଚାଳକ ବିଶ୍ୱଜିତ୍‍ ସିଂହ, ଶ୍ରୀରାମ ପ୍ୟାଲେସର ମାଲିକ ପ୍ରଭୁଦତ୍ତ ଦାସ ଓ ଡିଜେ ମାଲିକ ସୁଶାନ୍ତ କୁମାର ଗୁରୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.