ଲାଞ୍ଜିଗଡ ବ୍ଲକରେ ପଞ୍ଚାୟତ ସମିତି ବୈଠକ; ବୈଠକରେ ବସୁଧା ପ୍ରକଳ୍ପ ଝଡ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମିତି ବୈଠକରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଞ୍ଚଳର ଅନେକ ସମସ୍ୟାକୁ ନେଇ ଏହି ବୈଠକରେ ଅଲୋଚନା ହୋଇଥିଲା। ମୁଖ୍ୟତଃ ବ୍ଲକ ଅଞ୍ଚଳରେ ଚାଲିଥିବା ମନରେଗା ଯୋଜନା ଓ ପାନୀୟ ଜଳ ସମସ୍ୟା ଉପରେ ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଥିଲା। ମନରେଗା ଯୋଜନାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଠିକାଦାର ମାଧ୍ୟମରେ ଚାଲିଥିବା ଓ ଗାଁ ସାଥିମାନଙ୍କୁ ଏହାର ତଦାରଖ ଦାୟିତ୍ୱ ଦିଆଯାଉ ନଥିବା ଅଭିଯୋଗ କରିଥିଲେ ଜିଲ୍ଲା ପରିଷଦ ସଦସ୍ୟ ଉପେନ୍ଦ୍ର ରାଉତ। ସେହିପରି ବସୁଧା ଯୋଜନା ଏହି ବ୍ଲକ ଅଞ୍ଚଳରେ ସମୂର୍ଣ୍ଣ ଫେଲ ମାରିଥିବା ଓ ଅଞ୍ଚଳର ପାନୀୟ ଜଳ ସମସ୍ୟା କୁ ନେଇ ବୈଠକରେ ହୋ ହାଲ୍ଲା ହୋଇଥିଲା। ସହିପରି ବ୍ଲକରେ ବିଦ୍ୟୁତ ବିର୍ଭାଟକୁ ନେଇ ବୈାଠକରେ ଅସନ୍ତୋଷ ଲାଗି ରହିଥିବା ବେଳେ ବିଦ୍ୟୁତ ବିଭାଗର କୈାଣସି କର୍ମଚାରୀ ଅନୁପସ୍ଥିତ ଥିଲେ। ବ୍ଲକ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ମୋହନ ଚରଣ ସିଅଳ ମାସ ମାସ ଧରି ଅନୁପସ୍ଥିତ ରହୁ ଥିବାରୁ ଏହି ସବୁ ଯୋଜନା ବାଟବଣା ହେଉଛି ବୋଲି ଯନ୍ତ୍ରୀ ଉପରେ ବର୍ଷି ଥିଲେ ଉପସ୍ଥିତ ଜନ ପ୍ରତିନିଧି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କଳାହାଣ୍ଡି ତଥା ଲାଞ୍ଜିଗଡ ବ୍ଲକ ପାଇଁ ଟାର୍ଗେଟ କମିଯାଇଥିବାରୁ ଅନେକ ଗରିବ ହିତାଧିକାରୀ ଏଥିରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। ଏଣୁ ଏହାର ପୁର୍ନବିଚାର କରିବାକୁ ତଥା ଏଥିପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଲୋକସଭା ସାଂସଦଙ୍କ ପ୍ରତିନିଧି ଲଷ୍ମୀଧର ସନ୍ତୋଷ ରାଏ ମତ ପ୍ରକାଶ କରିଥିଲେ। ବ୍ଲକ ଅଞ୍ଚଳରେ ବିଳମ୍ବିତ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ପଛେଇ ଯାଇଥିବାରୁ ଲାଞ୍ଜିଗଡ ବ୍ଲକକୁ ମରୁଡି ଘୋଷଣା ଓ ପଛୁଆ ଚାଷକୁ ସଫଳ କରିବାକୁ ସାର ଓ କୀଟନାଶକ ଯୋଗାଣ ପାଇଁ ସନ୍ତୋଷ ରାଏ ଓ ଲାଞ୍ଜିଗଡ ରୋଡ଼ ସମିତି ସଦସ୍ୟ କନୋଜ ରାଉତ ଦୃଷ୍ଟି ଆକର୍ଷଣ କରିଥିଲେ।ଏହି ବୈଠକରେ ବ୍ଲକର ୨୬ଗୋଟି ପଞ୍ଚାୟତରୁ ଜନ ପ୍ରତିନିଧିମାନେ ଯୋଗଦେଇଥିବା ବେଲେ ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ଜିଲ୍ଲା ପରିଷଦ ସଦସ୍ୟ ଉପେନ୍ଦ୍ର ରାଉତ, ବ୍ଲକ ଉପାଧ୍ୟକ୍ଷ ତୁଳସୀ ନାଏକ, ସାଂସଦ ପ୍ରତିନିଧି ସନ୍ତୋଷ ରାଏ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଗ୍ନରାଜ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ରାଜେଶ ମାଝୀ ଓ ରମେଶ ଚନ୍ଦ୍ର ବିଶ୍ୱାଳ ସହଯୋଗ କରିଥିଲେ।

Comments are closed.