ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ; ଲ୍ୟାମ୍ପ୍ସ ଏମ୍‍.ଡି ଓ ଏମ୍‍.ଆଇଙ୍କୁ ବୈଠକକୁ ବାରଣ

ନବରଙ୍ଗପୁର : ମିଶନ ଶକ୍ତି ହଲଠାରେ ଜିଲାସ୍ତରୀୟ ଖରିଫ ଧାନସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶଚନ୍ଦ୍ର ମାଝୀ, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପାଢୀ, ନବରଙ୍ଗପୁର ବିଧାୟକ ପ୍ରତିନିଧି ପ୍ରହଲ୍ଲାଦ ତ୍ରିପାଠୀ, କୃଷକ ପ୍ରତିନିଧି ଝାଡେଶ୍ୱର ଖାଡଙ୍ଗା, ଆରଏମସି ଉପସଭାପତି ଆଶୀଷ ରଞ୍ଜନ ପଟ୍ଟନାୟକ ,ଉପଜିଲାପାଳ ଭାସ୍କର ରଇତ, ଜିଲା ଯୋଗାଣ ଅଧିକାରୀ ସଞ୍ଜିବ କୁମାର ସାହୁ, ଜିଲା କୃଷି ଅଧିକାରୀ ଆନନ୍ଦ ରାଓ, ଜିଲା ସମାଜ କଲ୍ୟାଣ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଏଆରସିଏସ ଚନ୍ଦ୍ର ସେଠିଆ, ଆରଏମସି ସମ୍ପାଦକ ଓ ଜିଲା ଯୋଗାଣ ବିଭାଗ ଅଧିକାରୀ ଓ କର୍ମଚାରୀ ପ୍ରମୂଖ ଯୋଗ ଦେଇଥିଲେ। ଚଳିତ ଖରିଫ ଋତୁରେ ନିର୍ଦ୍ଧାରିତ ଧାନ ମଣ୍ଡିରେ ଚାଷୀ ତାଙ୍କର ଧାନ ବିକ୍ରୟ କରି ସରକାରୀ ଧାର୍ଯ୍ୟମୁତାବକ ଉଚିତ ମୂଲ୍ୟ ଯେପରି ପାଇପାରିବେ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଏଥିରେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚଳିତ ଖରିଫ ଋତୁୁରେ ଜିଲାରେ ୨ହଜାର ୮ଶହ ୧୭୨ ଜଣ ଚାଷୀ ତାଙ୍କର ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଥିବା ଜିଲା ଯୋଗାଣ ଅଧିକାରୀ ପ୍ରକାଶ କରିଥିଲେ। କେତେକ ଚାଷୀ ନାମ ପଞ୍ଜିକରଣରୁ ବଞ୍ଚିତ ହୋଇଥିବା ନେଇ ବୈଠକରେ ବିଧାୟକ ଏବଂ ସାଂସଦ ପ୍ରତିନିଧି ଓ ବିଧାୟକ ପ୍ରତିନିଧି ଉଦ୍‌ବେଗ ପ୍ରକାଶ କରିଥିଲେ। ତେବେ ୨୬୩୮ ଜଣ ଚାଷୀଙ୍କର ପଞ୍ଜିକରଣ ହୋଇ ପାରିନଥିବା ଏଆରସିଏସ ପ୍ରକାଶ କରିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ପଞ୍ଜିକୃତ ହୋଇନଥିବା ଚାଷୀଙ୍କର ପଞ୍ଜିକରଣ ପାଇଁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳ ଡ଼. ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ୫୫ଟି ମଣ୍ଡିରେ ଆସନ୍ତା ଡିସେମ୍ବର ୧ ତାରିଖରୁ ଖରିଫ ଧାନ ସଂଗ୍ରହ କରାଯିବା ପାଇଁ ସ୍ଥିରିକୃତ କରାଯାଇଛି। ପି-ପାସ ମାଧ୍ୟମରେ ଚାଷୀ ତାଙ୍କର ଧାନ ମଣ୍ଡିରେ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ମଣ୍ଡିରେ କୈାଣସି ଦଲାଲ ଯେପରି ପ୍ରବେଶ ନକରନ୍ତି ସେଥିପାଇଁ କଡା ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚଳିତ ଖରିଫ ଋତୁରେ ସରକାରୀ ଧାନ କ୍ୟୁଣ୍ଟାଲ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ ହୋଇଥିବେବେଳେ ଗ୍ରେଡ-ଏ’ଧାନ କ୍ୟୁଣ୍ଟାଲ ପିଛା ୧୮୮୮ ଟଙ୍କା ଧାର୍ଯ୍ୟ କରାଯାଇଛି। ମଣ୍ଡିରୁ ଠିକ୍‍ ସମୟରେ ଧାନ ଉଠାଇବା ସହିତ ଉନ୍ନତ ମାନର ଚାଉଳ ଯୋଗଇବା ପାଇଁ ସଂପୃକ୍ତ ମିଲରସ୍‍ ମାନଙ୍କରୁ ଜିଲାପାଳ ପରାମର୍ଶ ଦେଇଥିଲେ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କରୋନ ନାଁରେ ଜିଲାର ସମସ୍ତ ୧୩ ଟି ଲାମ୍ପ୍ସର ପରିଚାଳନା ନିର୍ଦ୍ଦେଶକ, ୧୦ବ୍ଲକର ଯୋଗାଣ ନିରୀକ୍ଷକ ମାନଙ୍କୁ ବୈଠକକୁ ବାରଣ କରାଯାଇଥିଲା। ଫଳରେ ସେମାନେ ସଭା ଗୃହ ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୂୁ ମଧ୍ୟ ବାରଣ କରାଯାଇଥିଲ।।

Comments are closed.