ମନ୍ତ୍ରୀ ଆସିଲେନି, ବୈଠକରୁ ଉଠି ଆସିଲେ କୃଷକ ନେତା

ନୂଆଦିଲ୍ଲୀ : କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆନ୍ଦୋଳନରତ କୃଷକ ପ୍ରତିନିଧିଙ୍କୁ ବୁଧବାର ଆଲୋଚନା ପାଇଁ ଡାକି ବୈଠକରେ ଅନୁପସ୍ଥିତ ରହିବା କୃଷକ ପ୍ରତିନିଧିଙ୍କୁ ଘୋର ଅସନ୍ତୁଷ୍ଟ କରିଛି। କୃଷକ ପ୍ରତିନିଧିମାନେ ପ୍ରସ୍ତାବିତ ବୈଠକ ଛାଡ଼ି ଚାଲିଯିବା ସହ ବୈଠକ ଡକାଇ ଅନୁପସ୍ଥିତ ରହିବା ଅର୍ଥ ସରକାର କୃଷକଙ୍କ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରିଥିଲେ। ବୈଠକ ସ୍ଥଳ କୃଷି ଭବନ ବାହାରେ ସେମାନେ ବିଭିନ୍ନ ସ୍ଲୋଗାନ ଦେବା ସହ କୃଷି ଆଇନର ନକଲ ଚିରି ଥିଲେ। କୃଷକ ବିରୋଧୀ ‘କଳା ଆଇନ’ ପ୍ରତ୍ୟାହାର ନ ହେବା ଯାଏ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ନୂଆ କୃଷି ଆଇନ ବିରୋଧରେ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଥିବା ପଞ୍ଜାବର କୃଷକମାନଙ୍କ ସହିତ କେନ୍ଦ୍ର ସରକାରଙ୍କ ଦ୍ବିତୀୟ ଦଫା ଆଲୋଚନା ଆରମ୍ଭ ହେବା ପୂର୍ବରୁ ଫସର ଫାଟିଥିଲା। ଏଥିନେଇ ଆହୂତ ବୈଠକରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଅନୁପସ୍ଥିତ ରହିବାରୁ ତାଙ୍କ ବଦଳରେ କୃଷି ସଚିବ କୃଷକଙ୍କ ସହ ଆଲୋଚନା ପାଇଁ ଆସିଥିଲେ। ବୈଠକରେ ଅଂଶଗ୍ରହଣ ପାଇଁ ବିଭିନ୍ନ କୃଷକ ସଂଗଠନର ୩୦ଜଣ ପ୍ରତିନିଧି ଆସିଥିଲେ ମଧ୍ୟ ୭ଜଣିଆ ପ୍ରତିନିଧି ଆଲୋଚନା ଟେବୁଲରେ ଉପସ୍ଥିତ ଥିଲେ। ଭାରତୀୟ କିଷାନ ସଂଘ ନେତା ବଲବୀର ସିଂହ ରାଜେୱାଲ ଏହାର ନେତୃତ୍ବ ନେଇଥିଲେ। ମନ୍ତ୍ରୀଙ୍କ ଅନୁପସ୍ଥିତିର ସେମାନେ ପ୍ରତିବାଦ କରିଥିଲେ। ବୈଠକ ଆରମ୍ଭରେ କୃଷି ସଚିବ କୃଷକମାନଙ୍କ ଦାବି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି କହିବାରେ ସେମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। କୃଷି ମନ୍ତ୍ରୀଙ୍କ ଉପସ୍ଥିତି ଦାବିରେ ଜିଦ୍‌ ଧରିବା ସହ କୃଷକ ପ୍ରତିନିଧିମାନେ ବୈଠକ ଛାଡ଼ି ଚାଲି ଆସିଥିଲେ। ଅପରପକ୍ଷରେ ପଞ୍ଜାବ ସରକାର ରାଜ୍ୟରେ ସ୍ବତନ୍ତ୍ର କୃଷି ଆଇନ ଆଣିବେ ବୋଲି ବୁଧବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ। ଏହା କେନ୍ଦ୍ରୀୟ ଆଇନର ପରିପନ୍ଥୀ ହେବ। ଏହି ଉଦ୍ଦେଶ୍ୟରେ ଚଳିତ ମାସ ୧୯ରେ ରାଜ୍ୟ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆହୂତ କରାଯାଇଛି। ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର କେନ୍ଦ୍ରର କୃଷକ ବିରୋଧୀ ଆଭିମୁଖ୍ୟକୁ ପ୍ରତି କ୍ଷେତ୍ରରେ ବିରୋଧ ଜାରି ରଖିବ। ଏହା ହେବ ତ୍ରୟୋଦଶ ସ୍ବତନ୍ତ୍ର ଅଧିବେଶନ। ଅଗଷ୍ଟ ୨୮ରେ ବିଧାନସଭାରେ କେନ୍ଦ୍ର କୃଷି ଆଇନ ବିରୋଧରେ ସଂକଳ୍ପ ଗୃହୀତ ହୋଇଥିଲା।

Comments are closed.