MEllora 950×100

ମୂଲ ଲାଗୁଛନ୍ତି ଡାକ୍ତରୀ ଛାତ୍ର ଇଫୁ

ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବାଲିଗୁଡା : କଲେଜ ଟ୍ୟୁସନ ଫି’ ଜମା କରିବାକୁ ଜମିରେ ମୂଲ ଲାଗୁଛନ୍ତି ଜଣେ ଗରିବ ଆଦିବାସୀ ଡାକ୍ତରୀ ଛାତ୍ର। ପିଲାଟି ଦିନୁ ଡାକ୍ତର ହୋଇ ଦୁର୍ଗମ ଆଦିବାସୀ ଅଞ୍ଚଳର ଗିରିଜନଙ୍କ ସେବା କରିବା ପାଇଁ ସେ ଦେଖିଥିଲା ସ୍ବପ୍ନ। କେବଳ ସ୍ବପ୍ନ ଦେଖିନଥିଲା ସେଥିପାଇଁ ମଧ୍ୟ କରିଥିଲା କଠୋର ପରିଶ୍ରମ ଏବଂ ସେଥିରେ କୃତକାର୍ଯ୍ୟ ମଧ୍ୟ ହୋଇଥିଲା। ମେଡିକାଲ କଲେଜରେ ନାମ ଲେଖାଇଥିଲେ ହେଁ ସେମିଷ୍ଟର ଫି’ ଜମା କରିପାରିନଥିଲେ। ଫଳରେ କିଛି ଉପାୟ ନପାଇ ନିଜ ଗଁାକୁ ଚାଲି ଆସିଥିଲେ ମୂଲ ଲାଗିବାକୁ । ଏହି ଛାତ୍ର ଜଣକ ହେଉଛନ୍ତି ଫୁଲବାଣୀ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ବାଗ୍ରାମିଲା ଗ୍ରାମର ଇଫୁ ମଳିକ। ଇଫୁ ଗାଁରେ ରହି ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ। ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ। ଏହାପରେ ଆଉ ପଢିବା ପାଇଁ ଗଁାରେ ସୁବିଧା ନଥିଲା। ଡାକ୍ତରୀ କୋଚିଂ ନେବା ପାଇଁ ପ୍ରବଳ ଇଛା ହେଲା। କୋଚିଂ ନେବାକୁ ରାଜଧାନୀ ଭୁବନେଶ୍ବରକୁ ଧାରଉଧାର କରି ଯାଇଥିଲେ। ଭୁବନେଶ୍ବରରେ ରହି କୋଚିଂ ନେଲେ। ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ। ଡାକ୍ତରୀ ପାଠ ପଢିବା ପାଇଁ ଯୋଗ୍ୟତା ହାସଲ କଲେ। କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହେଲେ। ସେଠାରେ ମଧ୍ୟ ନାମ ଲେଖାଇଲେ। ଏବେ ସେ ଏହି ମେଡିକାଲ କଲେଜର ଛାତ୍ର। ପ୍ରଥମ ବର୍ଷ ପାଠ୍ୟକ୍ରମ ପାଇଁ ଆବଶ୍ୟକ ଫି’ ଭରଣା କରିଥିଲେ ଇଫୁଙ୍କ ବାପାଙ୍କ ଜଣେ ସାଙ୍ଗ। ଏବେ ଦ୍ବିତୀୟ ସେମିଷ୍ଟର ପାଇଁ କୋର୍ସ ଫି’ ପୈଠ କରିବାକୁ ହେବ। କିନ୍ତୁ ତାଙ୍କ ପାଖରେ ଅର୍ଥ ନ ଥିଲା। ଇଫୁଙ୍କ ବାପା ମଧ୍ୟ ଦିନ ମଜୁରିଆ। ପୁଅର ପାଠ ପଢିବା ପାଇଁ ବାପା ମଧ୍ୟ ଅର୍ଥ ଯୋଗାଡ କରିବାକୁ ଅସମର୍ଥ। ତେଣୁ ଇଫୁ ନିଜେ ଏବେ ବିଲରେ ମୂଲ ଲାଗୁଛନ୍ତି। ଏହି ଖବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ଜାଣିବା ପରେ ଇଫୁର ସମସ୍ତ ଖର୍ଚ୍ଚ ବହନ କରିବାକୁ
ଘୋଷଣା କରିଛନ୍ତି।
ସେ ବିଲରେ ଧାନ କାଟିବା ସମୟର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ଦୃ‌ଷ୍ଟିକୁ ଆସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗକୁ ତ୍ବରିତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ମାତ୍ର ୬ ଘଣ୍ଟା ମଧ୍ୟରେ ଇଫୁଙ୍କୁ ପ୍ରଥମ ବର୍ଷ ପାଠପଢ଼ା ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ୬୨ ହଜାର ୯୫୦ ଟଙ୍କା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଇଫୁଙ୍କ ସହିତ କଥା ହୋଇ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହିତ ତାଙ୍କୁ ନବୀନ ନିବାସ ଆସିବାକୁ ନିମନ୍ତ୍ରଣ କରିଛନ୍ତି।

Comments are closed.