ନୟାଗଡ଼ରେ ଖୋଲିବ ମେଡ଼ିକାଲ କଲେଜ
୧୦୦ ଶଯ୍ୟା ହେବନୟାଗଡ଼ ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼:ନୟାଗଡ଼ ଜିଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସୁଧୁରିବ। ଏଠାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବା ପାଇଁ ଔପଚାରିକତା ଆରମ୍ଭ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ସେହିଭଳି, ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୬ ମହଲା ବିଶିଷ୍ଟ ଅଟ୍ଟାଳିକା ସ୍ଥାପନ କରାଯାଇ ସେଠାରେ ୧୦୦ ଶଯ୍ୟାର ବ୍ୟବସ୍ଥା କରାଯିବ। ଅନୁରୂପ ଭାବେ ଦଶପଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ସବ୍-ଡ଼ିଭିଜନାଲ ହସ୍ପିଟାଲରେ ପରିଣତ କରାଯିବାର ଆନୁସଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି।
ନୟାଗଡ଼ ସହର ଉପକଣ୍ଠ ଭାଲୁଖୋଲ ନିକଟରେ ଥିବା ୨୩ ଏକର ଜାଗା ମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୨୦ ଏକର ଜମି ସ୍ୱାସ୍ଥ୍ୟ ବିଭାଗକୁ ମଞ୍ଜୁର କରାଯାଇଛି। ଏହି ଜମି ଉପରେ ପ୍ରସ୍ତାବିତ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବାର ସମ୍ଭାବନା ରହିଛି। ସେହିଭଳି, ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା ସର୍ଜରୀ ୱାର୍ଡ଼କୁ ଭଙ୍ଗାଯାଇ ସେଠାରେ ୬ ମହଲା କୋଠା ନିର୍ମାଣ କରାଯିବ। ଏହି ନୂତନ କୋଠାକୁ ୧୦୦ ଶଯ୍ୟାରେ ପରିଣତ କରାଯିବ। ଏଥିପାଇଁ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଅନୁରୂପ ଭାବେ ଦଶପଲାରେ ସବ୍ଡ଼ିଭିଜନ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ପଡୁଥିବା ଜମି ଯଥାଶୀଘ୍ର ଯୋଗାଇଦେବା ପାଇଁ ତହସିଲଦାରଙ୍କୁ ମଧ୍ୟ ଅନୁରୋଧ କରାଯାଇଛି।
ଉଲ୍ଲେଖନୀୟ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାରେ ୫୨ଟି ଗୋଷ୍ଠୀ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ଏସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁମୋଦିତ ୨୬୨ଟି ଏଲୋପାଥିକ ଡ଼ାକ୍ତର ପଦ ରହିଛି । ସେଥିମଧ୍ୟରୁ ୧୭୧ଟି ପଦ ଖାଲିପଡ଼ିଛି।