ସରିଲା ମୟୂରଭଞ୍ଜ ଉତ୍ସବ : କିମିଆ କଲେ କଳାକାର

ଭୁବନେଶ୍ବର : ତିନିଦିନିଆ ମୟୂରଭଞ୍ଜ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ବର ମୟୂରଭଞ୍ଜ ସାଂସ୍କୃତିକ ସଂସଦ ପକ୍ଷରୁ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିବାବେଳେ ମୟୂରଭଞ୍ଜର ମହକରେ ମହକିଥିଲା ଉତ୍କଳ ମଣ୍ଡପ। ଶେଷ ଦିନରେ ମୟୂରଭଞ୍ଜର ପାରମ୍ପରିକ ନୃତ୍ୟସଙ୍ଗୀତ ସାଙ୍ଗକୁ ଓଲିଉଡ କଳାକାରଙ୍କ ନୃତ୍ୟ ଏବଂ ହାସ୍ୟରସ ପରିସରକୁ ଆହୁରି ରୁଦ୍ଧିମନ୍ତ କରିଥିଲା। ଏହାସାଙ୍ଗକୁ ଦଳାଖେଚୁଡ଼ି ଏବଂ ମୁଢ଼ି ମାଂସ ମଧ୍ୟ ରାଜଧାନୀବାସୀଙ୍କୁ ଆକର୍ଷିତ କରିଥିଲା। ‌େ‌ଶଷ ସନ୍ଧ୍ୟାରେ ଅତିଥିଭାବେ ଉତ୍ସବ କମିଟିର ଅଧ୍ୟକ୍ଷ ଅରୁଣ କୁମାର ରଥ, ରାଜା ପ୍ରବୀଣ ଭଞ୍ଜଦେଓ ଏବଂ ତାଙ୍କ ପତ୍ନୀ, ଅଭିନେତା ଉତ୍ତମ ମହାନ୍ତି, ଶରତ ଦାସ ପଟ୍ଟନାୟକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୟୂରଭଞ୍ଜ ଶୀର୍ଷକ ସଙ୍ଗୀତ ‘ଭଞ୍ଜଭୂମି ଆମ ମା’ରୁ ଆରମ୍ଭ ହୋଇଥିଲା ସନ୍ଧ୍ୟା। ଏହାପରେ ବାରିପଦା ଦକ୍ଷିଣ ସାହି ଛଉନୃତ୍ୟ ସାଙ୍ଗକୁ ମୟୂରଭଞ୍ଜ ଘୁମର ଦଳର ନୃତ୍ୟ ସନ୍ଧ୍ୟାକୁ ଚିତ୍ତାକର୍ଷକ କରିଥିଲା। ବାରିପଦା ଟ୍ରିପଲ୍ ‘ଏ’ ଦଳର ‘ସ୍ମୃତିରେ ପିଲାଦିନ’, ‘ଯୁଗଳବନ୍ଦୀ’, ‘କଳଙ୍କିତ ନାୟକ’ ଏବଂ ଗୁରୁକୁଳ ଡ୍ୟାନ୍ସ ଭିଜୁଆଲ୍ ଏକାଡେମୀ ତଥା କର୍ଣ୍ଣରୂପା ମହାନ୍ତି ଓ ସାଥୀଙ୍କ ନୃତ୍ୟାଭିନୟ ସମବେତ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଭୁବନେଶ୍ୱରରେ ବାସ କରୁଥିବା ମୟୂରଭଞ୍ଜର ଆଦିବାସୀ ମହାସଂଘ ଏବଂ ବାରିପଦାର ସିଂ ଏକାଡେମୀର କଳାକାର ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର କଳାକାର ସ୍ୱରାଜ ବାରିକ, ବାବୁସାନ, ବରିଷ୍ଠ ଅଭିନେତା ବିଜୟ ମହାନ୍ତି, ଅଜିତ୍ ଦାସ ଏବଂ ଉତ୍ତମ ମହାନ୍ତିଙ୍କ ସହ ହାସ୍ୟ ଅଭିନେତା ପପୁ ପମପମ୍‌ ଦର୍ଶକଙ୍କୁ ଝୁମାଇଥିଲେ। ଉତ୍ସବର ଅନ୍ୟତମ ଆକର୍ଷଣ ଥିଲେ ମହାଚିତ୍ରକର ପଦ୍ମଭୂଷଣ ଯତୀନ ଦାସ। ସଂସଦର ସାଧାରଣ ସଂଯୋଜକ ଗୋକୁଳଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.