ଜୁନ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ, ୟୁଟ୍ୟୁବ ମାଧ୍ୟମରେ ନବମ ଓ ଦଶମ ଶ୍ରେଣୀ ହେବ ପାଠପଢ଼ା

ବିଶେଷଜ୍ଞ କମିଟି ରିପୋର୍ଟ ଆସିବା ପରେ ଯୁକ୍ତ ୨ ପାଇଁ ପଦକ୍ଷେପ ନିଆଯିବ

ଭୁବନେଶ୍ୱର : ନିର୍ଦ୍ଧାରିତ ସମୟରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି। ଏଥିପାଇଁ ଜୋରସୋରରେ ମୂଲ୍ୟାୟନ ପ୍ରକ୍ରିୟା ଚାଲିଛି। ଜୁନ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ କରାଯିବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ୟୁଟ୍ୟୁବରେ ହେବ ଏବଂ ପୂର୍ବାହ୍ନ ୧୦ଟା.୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପାଠପଢ଼ା ପାଇଁ ସମୟ ଧାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଆସନ୍ତା ୧୭ ତାରିଖରୁ ୟୁଟ୍ୟୁବ୍‌ ମାଧ୍ୟମରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ। ଏଥିପାଇଁ ସମସ୍ତ ଜିଲା ଶିକ୍ଷା ଅଧିକାରୀମାନେ ଏହି ପାଠପଢ଼ାର ଆନୁଷଙ୍ଗିକ ବ୍ୟବସ୍ଥା କରିବେ। ପୂର୍ବାହ୍ନ ୧୦ଟାରୁ ଦିନ ୧ଟା ଭିତରେ ୟୁଟ୍ୟୁବ ମାଧ୍ୟମରେ ପାଠପଢ଼ା ହେବ। ପ୍ରତିଦିନ ୪ଟି ପିରିୟଡ କରାଯିବ। ପ୍ରତି କ୍ଲାସର ବ୍ୟବଧାନ ୩୦ ମିନିଟ ରହିବ। ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହକୁ ୨୦ ଟି ପିରିୟଡ଼ ପାଠ ପଢାହେବ। ସବୁ ଜିଲାର ଡିଇଓମାନଙ୍କୁ ବିଷୟ ବସ୍ତୁ ସ୍ଥିର କରିବାକୁ କୁହାଯାଇଛି। ୧୮ ତାରିଖରେ ଡିଇଓମାନଙ୍କର ଏକ ବୈଠକ ରଖାଯାଇଛି। ରାଜ୍ୟର ସମସ୍ତ ୩୦ଟି ଜିଲାର ଡିଇଓ ଏଥିରେ ଅଂଶଗ୍ରହଣ କରିବେ। ଏହି ବୈଠକରେ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ସଂପର୍କିତ ପ୍ରସ୍ତୁତି ସଂପର୍କରେ ବୈଠକରେ ଆଲୋଚନା କରାଯିବ। କରୋନା ସହିତ ପିଲାମାନଙ୍କ କିପରି ପାଠପଢ଼ା ଯାଇପାରିବ, ସେ ସଂପର୍କରେ ମଧ୍ୟ ଆଲୋଚନା କରାଯିବ। କରୋନା କାଳରେ ସ୍କୁଲ କେବେ ଖୋଲିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ସ୍କୁଲ ଖୋଲିବା ନେଇ ଏବେ କିଛି କହିହେବ ନାହିଁ। ତେବେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଚେଷ୍ଟା ଚାଲିଛି।

ଅପରପକ୍ଷରେ ଯୁକ୍ତ ଦୁଇ ତଥା ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ କେବେ ପ୍ରକାଶ ପାଇବ ସେ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଯୁକ୍ତ ଦୁଇ ତଥା ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଁ ବିଶେଷଜ୍ଞ କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେମାନଙ୍କଠାରୁ ମୂଲ୍ୟାୟନ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

Comments are closed.