୫ ବର୍ଷରେ ୩୮ ଟେଷ୍ଟ, ୪୨ ଦିନିକିଆ, ୬୧ ଟ୍ବେଣ୍ଟି୨୦ ଖେଳିବ ଭାରତ

ନୂଆଦିଲ୍ଲୀ : ୨୦୨୩ ମେ’ରୁ ୨୦୨୮ ଏପ୍ରିଲ ପର୍ଯ୍ୟନ୍ତ ୫ ବର୍ଷରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ୧୪୧ଟି ଦ୍ବିପାକ୍ଷିକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବ। ବୁଧବାର ପ୍ରକାଶିତ ଆଇସିସିର ଭବିଷ୍ୟତ ଗସ୍ତ ଓ କାର୍ଯ୍ୟସୂଚୀ (ଏଫ୍‌ଟିପି)ରୁ ଏହା ପ୍ରକାଶ। ଏହି ୧୪୧ଟି ମ୍ୟାଚ୍‌ରେ ଅଛି ୩୮ଟି ଟେଷ୍ଟ, ୪୨ଟି ଦିନିକିଆ, ୬୧ଟି ଟ୍ବେଣ୍ଟି୨୦ ମ୍ୟାଚ୍‌। ଏଥିରୁ ସ୍ପଷ୍ଟ ଯେ ଆଗାମୀ ଦିନରେ ସୀମିତ ଓଭର କ୍ରିକେଟ୍‌; ବିଶେଷକରି ଟ୍ବେଣ୍ଟି୨୦ ଉପରେ ଆଇସିସି ଅଧିକ ଗୁରୁତ୍ବ ଦେଇଛି। ଭାରତ ଖେଳିବାକୁ ଥିବା ଦ୍ବିପାକ୍ଷିକ ଦିନିକିଆରେ ପ୍ରାୟତଃ ୩ଟି ଲେଖାଏଁ ମ୍ୟାଚ୍‌ ରହିବ। ତେବେ ଏହି ୫ ବର୍ଷରେ ଭାରତୀୟ ଦଳର ପାକିସ୍ତାନ ବିପକ୍ଷରେ କୌଣସି ଦ୍ବିପାକ୍ଷିକ ଶୃଙ୍ଖଳା ନାହିଁ।
ଆଇସିସିର ୧୨ଟି ସଦସ୍ୟ ରାଷ୍ଟ୍ର ମୋଟ ୭୭୭ଟି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବେ। ଏଥିରେ ଅଛି ୧୭୩ଟି ଟେଷ୍ଟ, ୨୮୧ଟି ଦିନିକିଆ ଓ ୩୨୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌। ବର୍ତ୍ତମାନ ଚାଲିଥିବା ୫ ବର୍ଷର ଏଫ୍‌ଟିପିରେ ୬୭୪ଟି ମ୍ୟାଚ୍‌ ଥିବା ବେଳେ ଆଗାମୀ ଏଫ୍‌ଟିପିରେ ଏହାକୁ ୭୭୭କୁ ବଢ଼ାଇ ଦିଆଯାଇଛି। ଏଥିରେ ରହିଛି ୨ଟି ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ, ଏକାଧିକ ଆଇସିସି ଟୁର୍ଣ୍ଣାମେଣ୍ଟ, ଦ୍ବିପାକ୍ଷିକ ଶୃଙ୍ଖଳା ଓ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ। ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିରେ ଶୃଙ୍ଖଳାରେ ୪ଟି ଟେଷ୍ଟ ରହିଥିବା ବେଳେ ଏଥର ଏହା ୫ ମ୍ୟାଚ୍‌ ବିଶି​‌ଷ୍ଟ ଟେଷ୍ଟ ଶୃଙ୍ଖଳା ହେବ। ଉଭୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଭାରତ ଏହି ୫ ବର୍ଷରେ ମୋଟ ୫ଟି ଟେଷ୍ଟ ଶୃଙ୍ଖଳା ଖେଳିବ। ପୁଣି ଭାରତ ଖେଳିବାକୁ ଥିବା ଅଧିକାଂଶ ଟ୍ବେଣ୍ଟି୨୦ ଶୃଙ୍ଖଳା ୫ ମ୍ୟାଚ୍‌ ବିଶିଷ୍ଟ ହେବ। ୨୦୨୩ ଅଗ​‌ଷ୍ଟରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଯାଇ ୨ଟି ଟେଷ୍ଟ ଏବଂ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। ୨୦୨୪ ଜାନୁଆରୀରୁ ମାର୍ଚ୍ଚ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଭାରତ ଘରୋଇ ମାଟିରେ ୫ଟି ଟେଷ୍ଟମ୍ୟାଚ୍‌ର ଶୃଙ୍ଖଳା ଖେଳିବ। ଆସନ୍ତାବର୍ଷ ଭାରତ ଆସି ୪ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ ଅଷ୍ଟ୍ରେଲିଆ ଦଳ। ୨୦୨୪-୨୫ରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ। ୨୦୨୪ ସେପ୍ଟେମ୍ବରରେ ୨ଟି ଟେଷ୍ଟମ୍ୟାଚ୍‌ ଖେଳିବାକୁ ବାଂଲାଦେଶ ଦଳ ଭାରତ ଆସିବ। ଆସନ୍ତାବର୍ଷ ଭାରତରେ ହେବାକୁ ଥିବା ୫୦ ଓଭରର ବିଶ୍ବକପ୍‌ ପୂର୍ବରୁ ଭାରତ ୨୭ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଗୁରୁବାରଠାରୁ ଘରୋଇ ଜିମ୍ବାୱେ ବିପକ୍ଷରେ ଏହାର ଆରମ୍ଭହେବ। ଚଳିତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇମାଟିରେ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିବ। ସମସ୍ତ ଦଳଙ୍କ ମଧ୍ୟରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଯଥାକ୍ରମେ ୪୦ଟି ଓ ୪୩ଟି ଟେଷ୍ଟମ୍ୟାଚ୍‌ ଖେଳିବେ। ଭାରତର ୩୮ଟି ଟେଷ୍ଟ ପରେ ନ୍ୟୁଜିଲାଣ୍ଡ ୩୨ଟି, ଦକ୍ଷିଣ ଆଫ୍ରିକା ୨୯ଟି, ପାକିସ୍ତାନ ୨୭ଟି ଏବଂ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍‌ ୨୫ଟି ଲେଖାଏଁ ଟେଷ୍ଟମ୍ୟାଚ୍‌ ଖେଳିବେ।

Comments are closed.