ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି ‘ମାଷ୍ଟର’: କରୋନା କାଳରେ ପ୍ରଥମ ଦିନରେ ରେକର୍ଡ଼ ଆୟ କରି ଚର୍ଚ୍ଚାରେ

ମୁମ୍ବଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟଙ୍କ ଅଭିନୀତ ଆକ୍ସନ-ଥ୍ରୀଲର ଚଳଚ୍ଚିତ୍ର ‘ମାଷ୍ଟର’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। କରୋନା କଟକଣା କୋହଳ ହୋଇ ସିନେମା ହଲ୍ ଖୋଲିବା ପରେ ଏହା ହେଉଛି ପ୍ରଥମ ଫିଲ୍ମ, ଯାହା ପ୍ରେକ୍ଷାଳୟରେ ପ୍ରଥମ ଦିନରେ ରେକର୍ଡ଼ ଆୟ କରିଛି। ପ୍ରଥମ ଦିନରେ ଭାରତ ଏବଂ ବିଦେଶ ପ୍ରେକ୍ଷାଳୟରେ ‘ମାଷ୍ଟର’ ପ୍ରାୟ ୫୩ କୋଟି ଟଙ୍କା ଆୟ କରିଛି। କରୋନା ଭୟ ସାଙ୍ଗକୁ ପ୍ରେକ୍ଷାଳୟରେ ୫୦ ପ୍ରତିଶତ ଦର୍ଶକ ଥିବା ବେଳେ ଚଳଚ୍ଚିତ୍ରର ଏଭଳି ଆୟ ସମସ୍ତଙ୍କୁ ଚକିତ କରିଛି। ସୂଚନା ମୁତାବକ, କେବଳ ଭାରତରେ ‘ମାଷ୍ଟର’ ୪୨ କୋଟି ଟଙ୍କା ଆୟ କରିଛି। ଏହା ବ୍ୟତୀତ ବିଦେଶରେ ଏହା ୧୧ କୋଟି ଟଙ୍କାର ବ୍ୟବସାୟ କରିଛି। କେବଳ ଦକ୍ଷିଣ ଭାରତୀୟ ଭାଷା(ତାମିଲ, ତେଲୁଗୁ ଓ କନ୍ନଡ଼)ରେ ରିଲିଜରେ ଏହି ଆୟ ହୋଇଛି। ଗୁରୁବାର ହିନ୍ଦୀ ଭର୍ସନ ରିଲିଜ୍ ହୋଇଥିବା ବେଳେ ଉତ୍ତର ଭାରତୀୟ ପ୍ରେକ୍ଷାଳୟମାନଙ୍କର ଆୟ ହିସାବ ହେବା ବାକି ଅଛି।
ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରରେ ବିଜୟଙ୍କ ସହ ବିଜୟ ସେତୁପତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଲୋକେଶ କନାଗରାଜ ଏହାର ନିର୍ଦ୍ଦେଶନା ଦେଇଛନ୍ତି।