ସ୍ଥାନାନ୍ତର ହେବନି ଘୋଡ଼ା, ଓଡ଼ିଶାର ସ୍ମାରକୀ ହେବ

ଭୁବନେଶ୍ବର: ବିଳମ୍ବରେ ହେଲେ ବି ବଦଳିଲା ନିଷ୍ପତ୍ତି। ଅକ୍ଷୁଣ୍ଣ ରହିବ ଐତିହ୍ୟ। ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡ଼ା ମୂର୍ତ୍ତିକୁ ସ୍ଥାନାନ୍ତର କରାଯିବ ନାହିଁ ବରଂ ଏହାକୁ ନୂଆ ରୂପ ଦିଆଯାଇ ଅଧିକ ଆକର୍ଷଣୀୟ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିବା ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି।

ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ସ୍ମାର୍ଟ ଜନପଥର ବିକାଶ ନିମନ୍ତେ ଘୋଡ଼ା ସ୍ଥାନାନ୍ତର ଯୋଜନା ହୋଇଥିଲା। ରାଜଭବନ ଛକରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟକୁ ସ୍ଥାନାନ୍ତର ପାଇଁ ନୀଳନକ୍ସା ପ୍ରସ୍ତୁତ କରାଯାଇଥିଲା। ଏନେଇ ବହୁ ବାଦବିବାଦ ସହିତ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅନେକ ରାଜନୈତିକ ଦଳ ସହିତ ସାମାଜିକ ସଙ୍ଗଠନ ମୂର୍ତ୍ତି ନିକଟରେ ପ୍ରତିବାଦ କରି ଧାରଣା ଦେଇଥିଲେ। ଏହାପରେ ବି ସରକାର ନିଷ୍ପତ୍ତିରେ ଅଟଳ ଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ପରେ ଘୋଡ଼ା ସ୍ଥାନାନ୍ତର ନିଷ୍ପତ୍ତି ପରିବର୍ତ୍ତନ ହୋଇଛି। ଏନେଇ ମଙ୍ଗଳବାର ସରକାରୀଭାବେ ବିଏମ୍‌ସି ଆୟୁକ୍ତ ସୂଚନା ଦେଇଛନ୍ତି।

ବିଏମ୍‌ସି ଆୟୁକ୍ତ କହିଛନ୍ତି, ଘୋଡ଼ାର ପୁନରୁଦ୍ଧାର ସହ ଏହାର ଚତୁଃପାର୍ଶ୍ବକୁ ଆକର୍ଷଣୀୟ କରାଯିବ। ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ପ୍ରସ୍ତୁତ କରାଯାଇଥିବା ନକ୍ସା ବିଏମ୍‌ସିକୁ ମଗାଯାଇଥିଲା। ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିବା ପରେ ସ୍ଥାନାନ୍ତର ନିଷ୍ପତ୍ତି ବଦଳାଇଥିଲେ। ସୂଚନା ଅନୁସାରେ ଏହି ମୂର୍ତ୍ତିକୁ ୧୯୮୮ରେ ସ୍ଥାପନ କରାଯାଇଥିଲା। ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏହି ମୂର୍ତ୍ତି ନିର୍ମାଣ କରିଥିଲେ।

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା
ପଦ୍ମବିଭୂଷଣ ଦିବଂଗତ ସ୍ଥପତି ସ୍ବର୍ଗୀୟ ରଘୁନାଥ ମହାପାତ୍ରଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶିଳ୍ପୀ ମହଲରେ ମତପ୍ରକାଶ ପାଇଛି। ଓଡ଼ିଶା ଶାସନ ତଥା ଆମ ବୀରତ୍ବର ପ୍ରତୀକ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି ନେଇଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସଂଯୋଜକ ନାରାୟଣ ଚନ୍ଦ୍ର ଓଝା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସହ ବହୁ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେହିପରି ଉତ୍କଳ ସମ୍ମିଳନୀ ପକ୍ଷରୁ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.