‘ବନ୍ଦେ ଭାରତ ମିଶନ’ : ବିଦେଶରେ ଅଟକି ରହିଥିବା ଭାରତୀୟଙ୍କ ପାଇଁ ଆଶାର କିରଣ

୨ୟ ପର୍ଯ୍ୟାୟରେ ୧୦୬ଟି ବିମାନରେ ଫେରିବେ ୨୫,୦୦୦ଭାରତୀୟ

ନୂଆଦିଲ୍ଲୀ : ‘ବନ୍ଦେ ଭାରତ ମିଶନ’ ବିଦେଶରେ ଅଟକି ରହିଥିବା ଭାରତୀୟଙ୍କ ପାଇଁ ଆଶାର କିରଣ ପାଲଟିଛି । ଗତ ୭ ତାରିଖରୁ ଏହି ମିଶନ ଅଧୀନରେ ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ଫେରାଇ ଅଣାଯାଉଛି । ୧୨ଟି ଦେଶରୁ ୧୫,୦୦୦ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି ।

ଶନିବାର ମିଶନର ତୃତୀୟ ଦିନରେ ୮୫୦ ଜଣ ଭାରତୀୟ ବିଭିନ୍ନ ଉପସାଗରୀୟ ଦେଶରୁ ଲକ୍ଷ୍ନୌ, ହାଇଦ୍ରାବାଦ ଓ କୋଚିରେ ଆସି ପହଞ୍ଚିଛନ୍ତି । ସାରଜାରୁ ଏକ ସ୍ୱତନ୍ତ୍ର ବିମାନ ୧୭୫ ଜଣ ଭାରତୀୟଙ୍କୁ ଧରି ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଛି। କୁଏତ୍ ୧୫୦ ଜଣ ଭାରତୀୟଙ୍କୁ ହାଇଦ୍ରାବାଦକୁ
ପଠାଉଥିବା ବେଳେ ଅନ୍ୟ ୧୭୨ଜଣ ଭାରତୀୟଙ୍କୁ କୋଚିକୁ ପଠାଉଛି । ସେହିଭଳି ଦୋହାରୁ ୧୭୫ ଜଣ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ
କରିବେ ।

ଅନ୍ୟପକ୍ଷରେ ଢାକାରୁ ୧୨୯ ଜଣ ଭାରତୀୟଙ୍କୁ ଆଣି ଦ୍ୱିତୀୟ ବିମାନଟି ଆଜି ଦିଲ୍ଲୀରେ ପହଞ୍ଛିଛି । ବନ୍ଦେ ଭାରତ ମିଶନରେ ୯ଟି ବିମାନ ଯାତ୍ରା କରିବାର କାର୍ଯ୍ୟସୂଚୀ ରହିଛି । ଉପସାଗରୀୟ ଦେଶଗୁଡ଼ିକରୁ ଆଉ ୫ଟି ବିମାନ ଆଜି ଆସି ଭାରତରେ ପହଞ୍ଚିବ । ଆଜି ମଧ୍ୟରାତ୍ର ପରେ ଆଉ ତିନୋଟି ବିମାନ ମଧ୍ୟ ଭାରତରେ ଆସି ଅବତରଣ କରିବ । ବିଦେଶରୁ ଆସିଥିବା ସମସ୍ତ ଲୋକମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବ ଓ ନିୟମାବଳୀ ଅନୁସାରେ ସେମାନଙ୍କୁ ପୃଥକୀକରଣ କେନ୍ଦ୍ରଗୁଡ଼ିକରେ ରଖାଯିବ।

ସେହି ଦେଶଗୁଡ଼ିକରେ ଥିବା ଭାରତୀୟ ଦୂତାବାସଗୁଡ଼ିକ ପକ୍ଷରୁ ଅସୁବିଧାରେ ଥିବା ଲୋକ, ବରିଷ୍ଠ ନାଗରିକ, ତୁରନ୍ତ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଓ ଅସୁବିଧାରେ ଥିବା ଅନ୍ୟ ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦେଶକୁ ପଠାଇବାକୁ ଉଦ୍ୟମ କରାଯାଉଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଏହିଭଳି ଅନେକ ବିମାନ ଭାରତୀୟମାନଙ୍କୁ ଧରି ଭାରତରେ ଆସି ପହଞ୍ଚିବ ।

ଅନ୍ୟପକ୍ଷରେ ଆସନ୍ତା ୧୬ ତାରିଖଠାରୁ ବନ୍ଦେ ଭାରତ ମିଶନର ୨ୟ ପର୍ଯ୍ୟାୟରେ ୧୦୬ଟି ବିମାନରେ ୨୫,୦୦୦ଭାରତୀୟଙ୍କୁ ଫେରାଇ ଆଣିବାର ଯୋଜନା କରାଯାଇଛି।

Comments are closed.