ମାସ୍କ କିଣା ପ୍ରସଙ୍ଗ, ତଥ୍ୟ ଦେବାକୁ ମନା କଲା ରାଜ୍ୟ ଔଷଧ ନିଗମ

ବଲାଙ୍ଗିର: କରୋନା ମୁକାବିଲା ପାଇଁ କୋଟି କୋଟି ଟଙ୍କାର ମାସ୍କ ଏବଂ ପିପିଇ କିଟ୍‍ ରାଜ୍ୟ ସରକାର କିଣିଛନ୍ତି। ରାଜ୍ୟ ସରକାର କଣିଥିବା ମାସ୍କ ଓ ପିପିଇ କିଟ୍‍ର ଦର ଏବଂ ସମୂଦାୟ ଖର୍ଚ୍ଚ ସମ୍ବନ୍ଧୀୟ ସବିଶେଷ ତଥ୍ୟ ରାଜ୍ୟ ଔଷଧ ନିଗମକୁ ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡା ଗତ ମଇ ମାସରେ ତଥ୍ୟ ମାଗିଥିଲେ। ରାଜ୍ୟ ଔଷଧ ନିଗମ କରୋନା ଜନିତ ଜରୁରୀ ପରିସ୍ଥିତି ଯୋଗୁଁ ତଥ୍ୟ ଦେବା ପାଇଁ ନିର୍ଦ୍ଧାରିତ ସମୟଠାରୁ ଅଧିକ ଏକ ମାସ ସମୟ ଲାଗିବ ବୋଲି ପଣ୍ଡାଙ୍କୁ ଜଣାଇଥିଲେ। କିନ୍ତୁ ଏହି ସମୟ ଅବଧି ମଧ୍ୟ ଶେଷ ହେଲା ପରେ ତଥ୍ୟ ପ୍ରଦାନ ପାଇଁ ପୁଣି ଅଧିକ ଏକ ମାସ ଲାଗିବ ବୋଲି ଔଷଧ ନିଗମ ପକ୍ଷରୁ ସୂଚନା କର୍ମି ପଣ୍ଡାଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଅଯାଇଥିଲା। କିନ୍ତୁ

ଶେଷରେ ଔଷଧ ନିଗମ ଚିଠି ନଂ ୧୧୭୯୪/ ଓଏସଏମସିଏଲ ତା- ୧୪/୯/୨୦ ଯୋଗେ ଜଣାଇଛନ୍ତି ଯେ, ଏହି ବିଷୟ ହାଇକୋର୍ଟରେ ବିଚାରଧୀନ ଥିବା ଯୋଗୁଁ ଏ ସମ୍ପର୍କରେ ତଥ୍ୟ ଦିଆଯିବ ନାହିିଁ। କିନ୍ତୁ ଏ ସମ୍ପର୍କରେ ହାଇକୋର୍ଟ ତଥ୍ୟକୁ ସାର୍ବଜନୀନ କରିବା ପାଇଁ ବାରଣ କରି ନାହାନ୍ତି। ହାଇକୋର୍ଟ ଯେଉଁ ତଥ୍ୟକୁ ପ୍ରଘଟ କରିବା ପାଇଁ ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିବେ ସେହି ତଥ୍ୟକୁ ସାର୍ବଜନୀନ କରାଯାଇପାରିବ ନାହିଁ ଏବଂ ଏ କ୍ଷେତ୍ରରେ ଏଭଳି ନିର୍ଦ୍ଦେଶ ହାଇକୋର୍ଟ ଦେଇନଥିବା ପଣ୍ଡା କହିଛନ୍ତି। ରାଜ୍ୟ ଔଷଧ ନିଗମ କେବଳ ତଥ୍ୟକୁ ସାର୍ବଜନୀନ ନକରି ଲୁଚାଇଦେବା ପାଇଁ ଏଭଳି ବାହାନା କରୁଛି ବୋଲି ସୂଚନା କର୍ମି ପଣ୍ଡା ଅଭିଯୋଗ କରିଛନ୍ତି।

Comments are closed.