ମସ୍‌ଜିଦ ଓ ମଦ୍ରାସାରେ ହେଉ କ୍ବାରେଣ୍ଟାଇନ୍‌ ସେଣ୍ଟର

କୋଲକାତା : ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ପଶ୍ଚିମବଙ୍ଗରେ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଅଧିକରୁ ଅଧିକ କ୍ବାରେଣ୍ଟାଇନ୍‌ ସେଣ୍ଟରର ଆବଶ୍ୟକତା ପଡୁଛି। ଏଥିପାଇଁ ମସ୍‌ଜିଦ୍‌ ଓ ମଦ୍ରାସାରେ କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲାଯିବାକୁ ପ୍ରସ୍ତାବ ଦିଆଯାଇଛି। କ୍ବାରେଣ୍ଟାଇନ୍‌ ସେଣ୍ଟର ଭାବେ ପଶ୍ଚିମବଙ୍ଗ ଇମାମ୍‌ ସଂଘ ରାଜ୍ୟର ମସଜିଦ୍‌ ‌ଓ ମାଦ୍ରାସା କମିଟିକୁ ନିଜ ପରିସରକୁ ବ୍ୟବହାର ପାଇଁ ହସ୍ତାନ୍ତର କରିବାକୁ କୁହାଯାଇଛି।
ପଞ୍ଚିମବଙ୍ଗ ଇମାମ୍‌ ସଂଘର ଅଧ୍ୟକ୍ଷ ମହମ୍ମଦ ୟାହିଆ କୋଲକାତାରେ ଥିବା ପ୍ରାୟ ୨,୬୦୦ ମସଜିଦ୍‌ ଓ ମାଦ୍ରାସା‌ଗୁଡ଼ିକୁ କ୍ବାରେଣ୍ଟାଇନ୍‌ ସେଣ୍ଟର କରିବା ଲାଗି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଦେଶରେ ଚାଲିଥିବା କରୋନା ମହାମାରୀର ମୁକାବିଲା କରିବା ପାଇଁ ମସ୍‌ଜିଦ୍‌ ଓ ମାଦ୍ରାସା ପରିସରକୁ କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ ଜଣାଇଛନ୍ତି। ଏଥିପାଇଁ ସେ ଚିଠି ଲେଖି ମାଦ୍ରାସା ଓ ମସ୍‌ଜିଦ୍‌ କମିଟିକୁ ଅନୁରୋଧ କରିଛନ୍ତି। ‘ଯଦି ଆମ ପାଖରେ ହଜାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସମ୍ବଳ ନାହିଁ। ଇସ୍‌ଲାମ ଧର୍ମ ଅନୁଯାୟୀ, ଜଣେ ଲୋକ ଅନ୍ତତଃ ୫୦ ଲୋକଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କରିବା ଉଚିତ। ମାନବିକତାକୁ ଏପରି ଭାବେ ବାଣ୍ଟିବା ଦରକାର।’ କୋଲକାତା ମହାନଗର ନିଗମ ପକ୍ଷରୁ କୁହାଯାଇଛି କି ଗାର୍ଡେନ୍‌ ରିଚ୍‌ ଅଞ୍ଚଳରେ ଥିବା ବେଙ୍ଗଲୀ ବଜାର ମସ୍‌ଜିଦ୍‌ କମିଟି ଏହି ପ୍ରସ୍ତାବରେ ରାଜି ହୋଇ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି।

Comments are closed.