ବିବାହିତ ଝିଅଙ୍କୁ ମିଳିବ ଅନୁକମ୍ପା ନିଯୁକ୍ତି

ଲକ୍ଷ୍ନୌ : ଜଣେ ସରକାରୀ ଚାକିରିଆଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କର ବିବାହିତା ଝିଅ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ବ୍ୟବସ୍ଥାରେ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏହି ନୂଅା ନିୟମକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ଜଣେ ସରକାରୀ ଚାକିରିଆଙ୍କ ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପାମୂଳକ ନିଯୁକ୍ତି ନିୟମ ଅନୁଯାୟୀ ତାଙ୍କ ପୁଅ, ବିବାହିତ ପୁଅ ଓ ଅବିବାହିତ ଝିଅଙ୍କୁ ସହାନୁଭୂତି ପୂର୍ବକ ଚାକିରି ପ୍ରଦାନ କରାଯାଉଥିଲା। ସହାନୁଭୂତି ଅନୁଯାୟୀ ପୁଅ ଓ ଝିଅଙ୍କ ଯୋଗ୍ୟତା ଆଧାରରେ ଜଣଙ୍କୁ ଗ୍ରୁପ୍ ସି କିମ୍ବା ଗ୍ରୁପ୍ ଡି ଚାକିରି ଦିଆଯାଉଥିଲା। ତେବେ ଏପରି ସହାନୁଭୂତି ପୂର୍ବକ ଚାକିରି ପାଇବା ଲାଗି ବିବାହିତ ଝିଅମାନେ ଯୋଗ୍ୟ ବିବେଚିତ ହେଉ ନଥିଲେ। ଫଳରେ ଯେଉଁ ପରିବାରରେ ଏକମାତ୍ର ବିବାହିତ ଝିଅ ରହିଥିଲେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅସୁବିଧାକୁ ଦୂର କରିବା ଲାଗି ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। ନିକଟରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଥିଲେ ଯେ ‘ପରିବାର’ ସଂଜ୍ଞାରୁ ବିବାହିତ ଝିଅଙ୍କୁ ବାଦ୍‌ ଦେବା ଓ ସେମାନଙ୍କୁ ସହାନୁଭୂତିମୂଳକ ନିଯୁକ୍ତିରୁ ବଞ୍ଚିତ କରିବା ଅସାମ୍ବିଧାନିକ। ଏହା ସମ୍ବିଧାନର ଧାରା ୧୪ ଓ ୧୫କୁ ଉଲ୍ଲଙ୍ଘନ କରୁଛି।

Comments are closed.