୧୦୦ରୁ ମିଳିବ ବିବାହ ଅନ୍ତ୍ୟେଷ୍ଟିକ୍ରିୟା ଅନୁମତି

ଭୁବନେଶ୍ୱର: ତାଲାବନ୍ଦ ସମୟରେ ଘରୁ ବାହାରିବା ଉପରେ କଟକଣା ରହିଛି। ମଙ୍ଗଳବାର କମିସନରେଟ ପୁଲିସ ଜନସାଧାରଣଙ୍କ ଦୁଆର ମୁହଁକୁ ଯାଇ ଅଭିଯୋଗ ଗ୍ରହଣ କରିବା ଭଳି ଅଭିନବ ଉପାୟ ଆରମ୍ଭ କରିଥିବାବେଳେ ବୁଧବାର ଜନସାଧାରଣଙ୍କୁ ବିବାହ ଏବଂ ଅନ୍ତ୍ୟେଷ୍ଟିକ୍ରିୟା ଭଳି କାର୍ଯ୍ୟକ୍ରମ ଲାଗି ଅନୁମତି ନେବା ଲାଗି ନୂଆ ବ୍ୟବସ୍ଥା ଆରମ୍ଭ କରିଛି। ସେହିପରି କରୋନା କଟକଣା ସମୟରେ ବାହାଘର ୫୦ ଏବଂ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୨୦ଜଣଙ୍କୁ ନେଇ କୌଣସି କାର୍ଯ୍ୟ ନିମନ୍ତେ ସ୍ୱୀକୃତିପତ୍ର ପାଇବା ଲାଗି ମଧ୍ୟ ଉପ ପୁଲିସ ଆୟୁକ୍ତ (ଡିସିପି)ଙ୍କ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ।

ଏହି ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି। ଏଥିପାଇଁ ଅନୁମତି ନେବା ଲାଗି ପୁଲିସର ସହାୟକ ସଂଖ୍ୟା ୧୦୦କୁ ଯୋଗାଯୋଗ କରି ଏ ସମ୍ପର୍କରେ ସହାୟତା ନେଇ ହେବ ବୋଲି କହିଛନ୍ତି ଉପ ପୁଲିସ ଆୟୁକ୍ତ। ତାଙ୍କ କାର୍ଯ୍ୟାଳୟରେ ଥିବା ସରକାରୀ ଅନୁମତି (ଲାଇସେନ୍ସ) କେନ୍ଦ୍ରକୁ ଯାଇ ଭିଡ଼ କରିବା ଆଉ ଦରକାର ନାହିଁ। ଜନସାଧାରଣ ଦୂରଭାଷରେ ଅନୁମତି ନେଇପାରିବେ। ସିଧାସଳଖ ଅନୁମତି ବିଭାଗର ଥିବା ବରିଷ୍ଠ ଅଧିକାରୀଙ୍କୁ ଦୂରଭାଷ ସଂଖ୍ୟା-୮୧୪୪୨୦୭୧୦୦ରେ ମଧ୍ୟ ଯୋଗାଯୋଗ କରିପାରିବେ। ପୂର୍ବାହ୍ନ ୧୦ରୁ ଅପରାହ୍ଣ ୫ଟା ମଧ୍ୟରେ ଏହି ସଂଖ୍ୟାକୁ ଯୋଗାଯୋଗ କରିବା ଲାଗି ଉପ ପୁଲିସ ଆୟୁକ୍ତ କହିଛନ୍ତି। ଏହି ସଂଖ୍ୟାକୁ ଯୋଗାଯୋଗ କଲେ ଆପଣଙ୍କ ସାମାଜିକ ଗଣମାଧ୍ୟମ ସଂଖ୍ୟାରେ ଏକ ଆବେଦନପତ୍ର ଆସିବ। ଯାହାକୁ ପୂରଣ କରି ପଠାଇଲେ ସ୍ୱୀକୃତିପତ୍ର ମିଳିବ।

ବିବାହ ଓ ଦଶାହ କାର୍ଯ୍ୟକ୍ରମର ୪୮ଘଣ୍ଟା ପୂର୍ବରୁ ଯୋଗାଯୋଗ କରି ସ୍ୱୀକୃତିପତ୍ର ନେବାକୁ କୁହାଯାଇଛି। ସେହିପରି ବିବାହ ଓ ଦଶାହ କାର୍ଯ୍ୟକ୍ରମ ଲାଗି କାହାରିକୁ ଦୂର ଦୂରାନ୍ତ ଯିବାକୁ ଥିଲେ ସେମାନଙ୍କୁ ସ୍ୱୀକୃତିପତ୍ରର ନକଲ ଦେଖାଇବାକୁ ହେବ। ବିବାହ କିମ୍ବା ଦଶାହ କାର୍ଯ୍ୟ ଲାଗି ସ୍ଥାନୀୟ ଥାନାରୁ ମିଳିଥିବା ସ୍ୱୀକୃତିପତ୍ରର ନକଲ ମଗାଇ ସାଙ୍ଗରେ ନେଇ ଯିବାକୁ ହେବ। ଉକ୍ତ ସ୍ୱୀକୃତି ପତ୍ରରେ ଯାତ୍ରା କରୁଥିବା ବ୍ୟକ୍ତିବିଶେଷଙ୍କ ନାମ ରହିଥିବା ଜରୁରୀ ବୋଲି ଉପ ପୁଲିସ ଆୟୁକ୍ତ କହିଛନ୍ତି।

Comments are closed.