ବିବାହରେ ଯୋଗ ଦିଅନ୍ତି ଠକ ଅତିଥି

ଆମ ଦେଶରେ ବିବାହ, ବ୍ରତ ଆଦି ଉତ୍ସବରେ କେହି ଠକ ଯେପରି ଅତିଥି ଭାବେ ନ ଆସନ୍ତି, ସେଥିପ୍ରତି ଆୟୋଜକଙ୍କ କଡ଼ା ନଜର୍‌ ମଣ୍ଡପରେ ଘୂରି ବୁଲୁଥାଏ। ହେଲେ ଏଇ ଠକଙ୍କ ବୁଦ୍ଧି କିଛି କମ୍ ନୁହେଁ, ଯେନତେନ ପ୍ରକାରେ ବର-ବଧୂର ବନ୍ଧୁ ଭାବେ ପରିଚୟ ଦେଇ ଉତ୍ସବରେ ଯୋଗ ଦେବା ସହ ପେଟ ଭରି ଭୋଜନ ମଧ୍ୟ କରିଥାନ୍ତି। ଆମ ଦେଶରେ ଏଇ ଠକଙ୍କୁ ଦୂର୍‌ଦୂର୍‌ କରାଯାଉଥିବାବେଳେ ବିଦେଶୀ ରାଇଜରେ ବିବାହ ଉତ୍ସବରେ ଏଇଭଳି ଲୋକଙ୍କ ଖୋଜା ପଡ଼େ। ଦକ୍ଷିଣ କୋରିଆ ଏଭଳି ଏକ ରାଷ୍ଟ୍ର, ଯେଉଁଠାରେ ବିବାହରେ ଯୋଗ ଦେବା ପାଇଁ ଏଜେନ୍ସିଗୁଡ଼ିକ ଠକ ବନ୍ଧୁ ଯୋଗାଡ଼ କରିଦିଅନ୍ତି। ଏମାନଙ୍କୁ ‘ଫେକ୍ ଗେଷ୍ଟ’ ଭାବେ ଜଣାଯାଉଥିବାବେଳେ ଗୋଟିଏ ବିବାହରେ ୨-୩ ଘଣ୍ଟା ଅତିଥି ଭାବେ ଉପସ୍ଥିତ ରହିବାକୁ ଜଣ ପିଛା ୪୦୦୦-୬୦୦୦ଟଙ୍କା ପାଉଣା ନିଅନ୍ତି। ବିବାହରେ ବର-ବଧୂ ସହ ଏଇ ଠକମାନେ ଏଭଳି ଅଭିନୟ କରନ୍ତି, ଦେଖଣାହାରୀ ଭାବିବ ବୋଧହୁଏ ଏମାନେ ବର କିମ୍ବା କନ୍ୟାର ପିଲାଦିନର ସାଙ୍ଗ। ସେମାନେ ଯେ ଟଙ୍କା ପାଇଁ ଏସବୁ କାମ କରୁଛନ୍ତି, ତାହା କେହି କଳ୍ପନା ସୁଦ୍ଧା କରିବେନାହିଁ। ୨୦୦୦ମସିହାବେଳକୁ ଦକ୍ଷିଣ କୋରିଆରେ ବିବାହରେ ଏଇ ଠକ ଅତିଥି ଯୋଗ ଦେବା ପରମ୍ପରା ଆରମ୍ଭ ହେଲା ପ୍ରାୟ, ପ୍ରଥମେ ଧନୀ ଲୋକମାନେ ତାଙ୍କ ପିଲାଙ୍କ ବିବାହରେ ଅଧିକ ସଂଖ୍ୟକ ଅତିଥି ଆସିଥିବାର ବାହାଦୂରୀ ନେବା ପାଇଁ ଏଇ ଠକ ଅତିଥିଙ୍କୁ ନିମନ୍ତ୍ରଣ ଜଣାଇଲେ। ଆଜିକାଲି କିନ୍ତୁ ସମୟ ଅଭାବରୁ ଅଧିକାଂଶ ଲୋକ ନିଜ ପ୍ରିୟଜନଙ୍କ ବିବାହରେ ଯୋଗ ଦେଇପାରୁନାହାନ୍ତି, ବିବାହରେ ଅତିଥି, ବନ୍ଧୁ ନଥିଲେ ମଜା ଆସେନି। ଏବେ ଯୁବପିଢ଼ି ନିଜ ବିବାହରେ କୋଳାହଳ ପାଇଁ ଏଜେନ୍ସିଗୁଡ଼ିକରୁ ଠକ ଅତିଥି ଭଡ଼ାରେ ନେଉଛନ୍ତି। ଘଟଣାଟି ସମ୍ପର୍କରେ ଜାଣିବା ପରେ ମଜା ଲାଗୁଛି ସତ, ହେଲେ ଯୁଗ କିଭଳି ପରିବର୍ତ୍ତନ ହେଉଛି, ତାହା ଭାବି ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି।

Comments are closed.