ମାଓବାଦୀଙ୍କ ସହିଦ ସପ୍ତାହ : ମାଳିଯୁବାଙ୍ଗରେ ମାଓ ପୋଷ୍ଟର

ଲାଞ୍ଜିଗଡ଼ : ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୬ ତାରିଖ ଯାଏଁ ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବାବେଳେ ଦୀର୍ଘଦିନର ନିରବତା ପରେ ଲାଲବାହିନୀ ସେମାନଙ୍କ ଉପସ୍ଥିତି ଜାହିର କରିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ନିକଟସ୍ଥ ଏକ ନିର୍ମାଣାଧୀନ ରାସ୍ତାରେ ପୋଷ୍ଟର ମାରି ଠିକାଦାରମାନଙ୍କୁ ଚେତାବନୀ ଦିଆଯାଇଛି। ବ୍ଲକ ଅଞ୍ଚଳରେ ନିମ୍ନମାନର କାମକୁ ବିରୋଧ କରିବା ସହିତ ଅଞ୍ଚଳର ଗରିବ ଶ୍ରମିକମାନଙ୍କୁ ପାଉଣା ନଦେବା, ଟ୍ରାକ୍ଟର ଓ ଜେସିବି ଭଡାରେ ନେଇ ମାଲିକଙ୍କୁ ଭଡା ନଦେବାକୁ ନେଇ ଲାଲବାହିନୀ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ଠିକାଦାରମାନେ ଶ୍ରମିକ ଓ ଟ୍ରାକ୍ଟର-ଜେସିବିର ବକେୟା ଟଙ୍କା ତୁରନ୍ତ ଦେବାକୁ ଚେତାବନୀ ଦେଇଛି। କଳାହାଣ୍ଡି-ରାୟଗଡା ଏରିଆ କମିଟି ଦ୍ୱାରା ଜାରି କରାଯାଇଥିବା ଏହି ପୋଷ୍ଟର ଲାଗିବା ପରେ ଠିକାଦାରମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ସିଆର୍‍ପିଏଫ୍‍, ଡିଭିଏଫ୍‍ ଓ ଜିଲ୍ଲା ପୁଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି।

Comments are closed.