ମନରେଗାରେ ମିଳୁନି କାମ ଓ ପୂର୍ବ ପାଉଣା, ଶ୍ରମିକଙ୍କ ଧାରଣା

ବଲାଙ୍ଗିର:-ହାତରେ ରଫା, ଗଏଁତି। ମାଟି ବୁହା ଭାର। ଶୁକ୍ରବାର ବଲାଙ୍ଗିର ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆର୍ଡିଏ) କାର୍ୟ୍ୟାଳୟ ସମ୍ମୁଖରେ ବହୁ ଶ୍ରମିକ ଶ୍ରେଣୀର ଲୋକେ ବସିଥିଲେ। ମାହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରିଥିଲେ ବି ଶ୍ରମିକମାନେ ପାଉଣା ପାଇ ନଥିବା ଅଭିଯୋଗ କରିଥିଲେ। ବ୍ଲକ କର୍ତୃପକ୍ଷଙ୍କୁ ଜଣାଇଲେ ସମୟ ଗଡାଇ ଚାଲୁଛନ୍ତି। ପାଉଣା ସମସ୍ୟାର ସମାଧାନ ହୋଇପାରୁ ନାହିଁ। କୌଣସି ଉପାୟ ନପାଇ ଏଭଳି ଭାବେ ନିଜ ପ୍ରତିବାଦ ଓ କ୍ଷୋଭ ଜଣାଇବା ପାଇଁ ଡିଆର୍ଡିଏ କାର୍ୟ୍ୟାଳୟର ବେଲପଡ଼ା ବ୍ଲକ ସୁଲେକଲା ପଞ୍ଚାୟତର ଝରିଆମୁଣ୍ଡା ଗାଁ ବାସୀ ଧାରଣା ଦେଇଥିବା କହିଥିଲେ।

ପ୍ରାୟ ୨ଶହ ଶ୍ରମିକ ମନରେଗା ଯୋଜନାରେ କାମ କରନ୍ତି। ମାଟି ବୋହି ପରିବାର ପ୍ରତିପୋଷଣ କରନ୍ତି। ଏ ବର୍ଷ ମନରେଗା ଯୋଜନା ଉପରେ ନିର୍ଭର କରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଗଲୁ ନାହିଁ। ଏଠି କାମ ମିଳିବ ବୋଲି ଆଶା ରଖିଥିଲୁ। କିନ୍ତୁ ପ୍ରଶାସନିକ ଉଦାସିନତା ପାଇଁ ନା ଲୋକେ କାମ ପାଇଲେ ନା ପୂର୍ବରୁ କରିଥିବା କାମର ପାଉଣା ପାଇଲେ ବୋଲି ଧାରଣା ଦେଇଥିବା ଶ୍ରମିକମାନେ ଅଭିଯୋଗ କରିଥିଲେ। କାମ କରିବାକୁ ଇଚ୍ଛା ଥିଲେ ବି ଗତ ଜାନୁଆରି ମାସରୁ କୌଣସି କାମ ଦିଆଯାଇ ନାହିଁ। ବେକାର ହୋଇ ବସିଛୁ। ୨୦୨୧ ମସିହାରେ ୯ ମାସର କାମ କରିଥିଲେ ବି ବାକି ଟଙ୍କା ଏଯାଏ ପାଇଲୁ ନାହିଁ। ପଞ୍ଚାୟରୁ ବ୍ଲକ ଅଧିକାରୀଙ୍କୁ ଜଣାଇଲେ ବି କିଛି ହେଲା ନାହିଁ ବୋଲି ଶ୍ରମିକମାନେ ମତ ଦେଇଥିଲେ। ଏହା ପରେ ଡିଆର୍ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପରାମର୍ଶକ୍ରମେ ଅଚ୍ୟୁତ ସିପୁନ ଖମାରୀ, ଗିରିରାଜ ଭୋଇ, ଜଗା ମେହେର ଓ ଅନ୍ୟ ୩ଜଣ ଶ୍ରମିକ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂଙ୍କୁ ସାକ୍ଷାତ କରି ଦାବିପତ୍ର ଓ ଆଲୋଚନା କରିବାକୁ ଯାଇଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରମିକମାନେ କାମ ପାଇ ନଥିବା ଅଭିଯୋଗ ଶୁଣିବା ପରେ ଆଶ୍ଚର୍ୟ୍ୟ ହୋଇଥିଲେ। ବେଲପଡ଼ା ବ୍ଲକ ସୁଲେକେଲା ପଞ୍ଚାୟତ ସହ ନିକଟସ୍ଥ ଅଞ୍ଚଳରେ ଅନେକ ମନରେଗା ପ୍ରକଳ୍ପରେ ମାଟି ସହ ଅନ୍ୟାନ୍ୟ କାମ ଚାଲିଛି। କାମ କାହିଁକି ମିଳିବ ନାହିଁ ବୋଲି କହିଥିଲେ। ଏନେଇ ବିଡିଓ ଭିକ୍ଟର ସୋରେନ୍ଙ୍କ ସହ ଆଲୋଚନା କରିଥିଲେ। ଶ୍ରମିକମାନେ କାମ ଦାବି କରୁଥିବା ବେଳେ ସେମାନଙ୍କୁ କାମ ଯୋଗାଇ ଦେବାକୁ ପିଡି ଶ୍ରୀ ସିଂ ବିଡିଓ ଶ୍ରୀ ସୋରେନଙ୍କୁ କହିଥିଲେ। ଏପଟେ ଶ୍ରମିକ ମିଳୁ ନାହାନ୍ତି କହୁଛନ୍ତି, ଦେଖିଲା ବେଳକୁ ଲୋକେ କାମ ଦାବି କରି ଡିଆର୍ଡିଏ କାର୍ୟ୍ୟାଳୟ ଯାଏ ଆସିଲେଣି। ତେଣୁ କାମ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ବ୍ଲକ କର୍ତୃପକ୍ଷଙ୍କୁ। ସେହିପରି ଗତ ଏପ୍ରିଲ ମାସରୁ ମନରେଗା ଯୋଜନାରେ ଟଙ୍କାଟିଏ ବି ଆସି ନାହିଁ। ତେବେ ପୂର୍ବରୁ ହୋଇଥିବା କାମର ପାଉଣା ଅନ୍ଲାଇନ୍ ଜରିଆରେ ବ୍ୟାଙ୍କରେ ଜମା କରାଯାଇଥିବା ଦାବି କରିଥିଲେ ପିଡି ଶ୍ରୀ ସିଂ। ଶ୍ରମିକ ଓ ଉପସ୍ଥିତ ପ୍ରତିନିଧିମାନେ ପାଇ ନଥିବା କହିବା ପରେ ଏହାର ଯାଞ୍ଚ କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ପ୍ରତିନିଧି ଦଳ ଦାବି ପତ୍ର ଦେଇ ଆଲୋଚନାରୁ ଫେରିଥିଲେ। ଶ୍ରମିକମାନେ ଧାରଣାରୁ ଓହରି ଯାଇଥିଲେ।

Comments are closed.