ଆଖି ବୁଜିଲେ ‘ହାଡ଼ ବଗିଚା’ର ସ୍ରଷ୍ଟା ମନୋଜ ପଣ୍ଡା

ବଲାଙ୍ଗିର :ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଣାଶୁଣା ତଥା ଶାରଳା ପୁରସ୍କାର ପ୍ରାପ୍ତ ଗାଳ୍ପିକ ମନୋଜ କୁମାର ପଣ୍ଡା(୬୬)ଙ୍କର ଗୁରୁବାର ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଗୁରୁବାର ଦିନ ସାଢେ ୫ଟାରେ ସେ ଅସୁସ୍ଥ ଅନୁଭବ କରିଥିଲେ। ହୃଦଘାତ ହୋଇଥିବା ସନ୍ଦେହ କରି ସମ୍ପର୍କୀୟମାନେ ଶ୍ରୀ ପଣ୍ଡାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ସାଗରପଡ଼ା ସ୍ଥିତ ଇଗ୍‍ଲୁ ଘରକୁ ତାଙ୍କ ମରଶରୀର ଅଣାଯାଇଥିଲା। ଶବାଧାର ପାଖରେ ପତ୍ନୀ ମଞ୍ଚଳା ପଣ୍ଡା ଓ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଶ୍ରୀ ପଣ୍ଡାଙ୍କ ମୃତ୍ୟୁ ଖବର ପାଇ ସହରର ବହୁ ସାହିତ୍ୟିକ ଓ ଶୁଭେଚ୍ଛୁ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସ୍ୱର୍ଗତ ପଣ୍ଡାଙ୍କ ଶେଷକୃତ୍ୟ ବିଭୂତିପଡ଼ା ଶ୍ମଶାନରେ କରାଯାଇଛି। ସୂଚନାଯୋଗ୍ୟ ଯେ, ଜୁନ ୩୦ ତାରିଖରେ ସେ ୩୧ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ ରହୁଥିବା ଶ୍ରୀ ପଣ୍ଡା ଗୁରୁବାର ସକାଳ ୧୦ଟା ବେଳେ ଶେଷ ପୋଷ୍ଟ କରିଥିଲେ।
ଓଡ଼ିଆ କଥାସାହିତ୍ୟ କ୍ଷେତ୍ରରେ ମନୋଜ କୁମାର ପଣ୍ଡା ଏକ ବିରଳ ବ୍ୟତିକ୍ରମ। କୌଣସି କଥାକୁ ସେ ଯେଉଁ ଭାଷା, ଭାବ ଓ ଶୈଳୀରେ ପ୍ରକାଶ କରନ୍ତି, ତାହା ଏକାନ୍ତ ମନୋଜୀୟ। ବିଶେଷକରି ଓଡ଼ିଆ ଗଳ୍ପରେ ସମ୍ବଲପୁରୀ ଶବ୍ଦ ଓ ଭାଷାକୁ ପ୍ରୟୋଗ କରିବାରେ ସେ ଥିଲେ ଅସାଧାରଣ। ଓଡ଼ିଆ ସାହିତ୍ୟକୁ ସେ ଯେଉଁ ଦାନ ଦେଇଯାଇ ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି, ତାହାର ତୁଳନା ନାହିଁ। ‘ହାଡ଼ ବଗିଚା’, ‘ବର୍ଣ୍ଣବଗିଚା’, ‘ମାୟା ବଗିଚା’ (ଗଳ୍ପ ସଙ୍କଳନ), ଶବ୍‍ଦ ଶସ୍ୟ(ପ୍ରବନ୍ଧ), ବସୁଧୈବ କୁଟୁମ୍ବକମ୍‍(ଅରଥର ମିଲରଙ୍କ ‘ଅଲ୍‍ ମାଇ ସନ୍ସ୍‍’ର ଅନୁବାଦ), ଲୁଚକାଳି ଖେଳ(ଆଲବେୟାର କାମ୍ୟୁଙ୍କ ନାଟକ ‘କ୍ରିସ୍‍ ପରପଜ’ର ଅନୁବାଦ), ଦ ବୋନ ଗାର୍ଡେନ, ୱାନ୍‍ ଥାଉଜେଣ୍ଡ ଡେଜ୍‍ ଇନ୍‍ ଏକ ରେଫ୍ରିଜରେଟର ପ୍ରଭୃତି ପୁସ୍ତକର ରଚୟିତା ଭାବେ ତାଙ୍କର ସୁଖ୍ୟାତି ଅବିସମ୍ବାଦିତ। ସାହିତ୍ୟ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ଲାଭ କରିଛନ୍ତି। ଗଳ୍ପସଂଗ୍ରହ ‘ହାଡ଼ ବଗିଚା’ ଓ ‘ବର୍ଣ ବଗିଚା’ର ତେରଟି ନିର୍ବାଚିତ ଗଳ୍ପକୁ ନେଇ ‘ରୂପାନ୍ତର’ ପକ୍ଷରୁ ଇଂରାଜୀରେ ‘ଦି ବୋନ୍‍ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରି’ ପ୍ରକାଶ ପାଇବା ପରେ ଏହା ଆୟାରଲ୍ୟାଣ୍ଡରେ ଅବସ୍ଥିତ ‘ଫ୍ରେଙ୍କ ଓ’କନର ଅନ୍ତର୍ଜାତୀୟ ଗଳ୍ପ ପୁରସ୍କାର ୨୦୧୦’ ପାଇଁ ମନୋନୀତ ହୋଇଥିଲା। ସମଗ୍ର ପୃଥିବୀରୁ ୫୪ ଜଣ ଓ କେବଳ ଏସିଆ ମହାଦେଶରୁ ଛଅ ଜଣଙ୍କ ମଧ୍ୟରେ ଶ୍ରୀ ପଣ୍ଡାଙ୍କ ‘ଦି ବୋନ୍‍ ଗାର୍ଡ଼େନ’ ସ୍ଥାନିତ ହେବା ନିଶ୍ଚିତ ଭାବେ ଗୌରବର ବିଷୟ।
୧୯୫୪ ଅକ୍ଟୋବର ୪ ତାରିଖରେ ରାଧାମଣି ପଣ୍ଡା ଓ ନୀଳମଣି ପଣ୍ଡାଙ୍କ କୋଳ ମଣ୍ଡନ କରିଥିଲେ ମନୋଜ ପଣ୍ଡା। ସେ ଘରର ବଡ଼ ପୁଅ ଥିଲେ। ପିଲାଟି ଦିନରୁ ସେ ସାହିତ୍ୟ ମନସ୍କ ହୋଇଥିଲେ। ଅନୁସନ୍ଧାନମୂଳକ ଉପନ୍ୟାସ ପଢିବାର ସଉକ ରଖିଥିଲେ। ଏଇଠୁ ହିଁ ତାଙ୍କର ସାହିତ୍ୟ ଅନୁରାଗ ବଢିଥିଲା। କେବଳ ଓଡ଼ିଆ ନୁହେଁ ଇଂଲିଶ ଲେଖକଙ୍କ ବିଭିନ୍ନ ଲେଖା ସେ ନିୟମିତ ଭାବେ ପଢୁଥିଲେ। ସୋନପୁର କଲେଜ ଓ ରାଜେନ୍ଦ୍ର କଲେଜରେ ଉଚ୍ଚ ଶିକ୍ଷା ସହ ବି.ଇଡି କରିଥିଲେ। ୧୯୮୪ ମସିହାରେ ହରିଶଙ୍କର ନାମକ ଏକ ପତ୍ରିକାରେ ତାଙ୍କର ପ୍ରଥମ ଲେଖା ବାହାରିଥିଲା। ଯାହା ସେ ସମୟର ଜଣାଶୁଣା ଲେଖକଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ତାଙ୍କର ପ୍ରଥମ ଗଳ୍ପ ସଂକଳନ ଥିଲା ‘ହାଡ଼ ବଗିଚା’। ୨୦୧୫ ମସିହାରେ ମାୟା ବଗିଚା ଗଳ୍ପ ସଂକଳନ ପାଇଁ ଇମ୍ଫା ପକ୍ଷରୁ ସମ୍ମାନଜନକ ସାରଳା ପୁରସ୍କାର ପାଇଥିଲେ।
ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କବି ରାଜେନ୍ଦ୍ର କିଶୋର ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ଜିଲା ଲେଖକ ପରିଷଦ ଓ ଜିଲା ସାମ୍ବାଦିକ ସଂଘ ଶୋକ ପ୍ରକଟ କରି ତାଙ୍କ ମୃତ୍ୟୁ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

Comments are closed.