ପାଣି ବିନା ସବୁ ଶୂନ୍ୟ, ମନ କି ବାତରେ ମୋଦୀ କହିଲେ ଜଳ ସଂରକ୍ଷଣ କଥା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ କି ବାତରେ ଭାରତର ପରମ୍ପରା ଓ ସଂସ୍କୃତି ସହ ଜଳର ସମ୍ପର୍କ ବିଷୟରେ କହିବା ସହ ଜଳ ସଂରକ୍ଷଣର ଗୁରୁତ୍ୱ ବୁଝାଇ ଦେଇଛନ୍ତି। ସେ କହିଛନ୍ତି, ମାଘ ମାସ ବିଶେଷ ରୂପେ ନଦୀ, ପୁଷ୍କରିଣୀ ଓ ଜଳସ୍ରୋତଗୁଡ଼ିକ ସହ ସଂପୃକ୍ତ ବୋଲି ଧରାଯାଏ। ଆମ ଶାସ୍ତ୍ରରେ କୁହାଯାଇଛି, ମାଘେ ନିମଗ୍ନାଃ ସଲିଳେ ସୁଶୀତେ, ବିମୁକ୍ତପାପାଃ ତ୍ରିଦିବମ୍ ପ୍ରୟାନ୍ତି। ଅର୍ଥାତ୍‌, ମାଘ ମାସରେ ଯେ କୌଣସି ପବିତ୍ର ଜଳାଶୟରେ ସ୍ନାନକୁ ପୂଣ୍ୟ ବୋଲି ଧରାଯାଏ। ପୃଥିବୀର ପ୍ରତ୍ୟେକ ସମାଜରେ ନଦୀ ସହିତ ଜଡ଼ିତ କୌଣସି ନା କୌଣସି ପରମ୍ପରା ରହିଛି। ନଦୀତଟରେ ଅନେକ ସଭ୍ୟତାର ମଧ୍ୟ ବିକାଶ ଘଟିଛି। ଆମ ସଂସ୍କୃତି ହଜାର ହଜାର ବର୍ଷ ପୁରାତନ ହୋଇଥିବାରୁ ଏହାର ବିସ୍ତୃତି ଆମ ଏଠି ଅଧିକ ମିଳିଥାଏ।

ଶ୍ରୀ ମୋଦୀ କହିଛନ୍ତି, ଭାରତରେ ଏପରି କୌଣସି ଦିନ ନଥିବ, ଯେଉଁ ଦିନ ଜଳ ସହ ଜଡ଼ିତ ଉତ୍ସବଟିଏ ପାଳନ କରାଯାଉନଥିବ। ମାଘ ମାସରେ ଲୋକେ ନିଜ ଘର ପରିବାର, ସୁଖସୁବିଧା ତ୍ୟାଗକରି ପୁରା ମାସଟି ନଦୀକଳୂରେ କଳ୍ପବାସ କରିବା ପାଇଁ ଯାଆନ୍ତି। ଏଥର ହରିଦ୍ୱାରରେ କୁମ୍ଭମେଳା ମଧ୍ୟ ହେଉଛି। ଜଳ ଆମ ପାଇଁ କେବଳ ଜୀବନ ନୁହେଁ, ଆସ୍ଥା ଆଉ ବିକାଶର ଧାରା ମଧ୍ୟ। ପାଣି ଏକ ପ୍ରକାର କଷଟି ପଥରଠୁ ବି ବେଶି ମହତ୍ୱପୂର୍ଣ୍ଣ। କୁହାଯାଏ ଯେ କଷଟି ପଥର ସ୍ପର୍ଶରେ ଲୁହା ସୁନାରେ ପରିବର୍ତିତ ହୋଇଯାଏ। ସେହିପରି ଜଳର ସ୍ପର୍ଶ ଜୀବନ ପାଇଁ ଯେତିକି ଜରୁରୀ, ବିକାଶ ପାଇଁ ମଧ୍ୟ ସେତିକି ଜରୁରୀ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାଘ ମାସକୁ ଜଳ ସହ ଯୋଡ଼ିବାର ସମ୍ଭବତଃ ଆଉ ଏକ କାରଣ ମଧ୍ୟ ରହିଛି ଯେ ଏହା ପରଠାରୁ ଶୀତ ଶେଷ ହୁଏ ଆଉ ଗରମ ଆରମ୍ଭ ହୁଏ; ତେଣୁ ପାଣିର ସଂରକ୍ଷଣ କରିବା ପାଇଁ ଆମକୁ ଏବେଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଦରକାର। କିଛିଦିନ ପରେ ମାର୍ଚ ୨୨ ତାରିଖରେ ‘ବିଶ୍ୱ ଜଳ ଦିବସ’ ବି ପାଳନ କରାଯିବ।

ଏହି ଅବସରରେ ଶ୍ରୀ ମୋଦୀ ଉତ୍ତରପ୍ରଦେଶର ଆରାଧ୍ୟାଙ୍କ ବାର୍ତ୍ତା ପଢି ଶୁଣାଇଛନ୍ତି। ଆରାଧ୍ୟା ଲେଖିଛନ୍ତି ଯେ ବିଶ୍ୱର କୋଟିକୋଟି ଲୋକ ନିଜ ଜୀବନର ବହୁଳାଂଶ ପାଣିର ଅଭାବକୁ ପୂରା କରିବାରେ ହିଁ ଲଗାଇଥାନ୍ତି। ‘ବିନ୍ ପାନି ସବ୍ ସୁନ୍‌’ କେବଳ ସେମିତି କୁହାଯାଇନାହିଁ। ଜଳ ସଙ୍କଟର ସମାଧାନ ପାଇଁ ପଶ୍ଚିମବଙ୍ଗର ଉତ୍ତର ଦୀନାଜ୍‌ପୁରରୁ ସୁଜିତଙ୍କ କଥାକୁ ବ୍ୟାଖ୍ୟା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଲାହିଛନ୍ତି ଯେ ପ୍ରକୃତି ଜଳ ରୂପରେ ଆମକୁ ଏକ ସାମୂହିକ ଉପହାର ଦେଇଛି, ତେଣୁ ଏହାର ସଂରକ୍ଷଣ କରିବାର ଦାୟିତ୍ୱ ମଧ୍ୟ ସାମୂହିକ। ମୋଦୀ କହିଛନ୍ତି, ଯେପରି ସାମୂହିକ ଉପହାର, ସେହିପରି ସାମୂହିକ ଉତରଦାୟିତ୍ୱ ମଧ୍ୟ ଜରୁରୀ। ନଦୀ, ପୋଖରୀ, ହ୍ରଦ, ବର୍ଷା ବା ଭୂତଳ ଜଳ, ଏସବୁ – ସମସ୍ତଙ୍କ ପାଇଁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିନ ଥିଲା ଯେତେବେଳେ ଗାଁରେ କୂଅ, ପୋଖରୀର ସମସ୍ତେ ମିଳିମିଶି ଯତ୍ନ ନେଉଥିଲେ। ଏବେ ତାମିଲନାଡୁର ତିରୁୱନ୍ନାମଲାଇରେ ଏପରି ଏକ ପ୍ରୟାସ ହେଉଛି। ସେଠାରେ ସ୍ଥାନୀୟ ଲୋକ ନିଜ ନିଜର କୂଅକୁ ସଂରକ୍ଷିତ କରି ରଖିବା ପାଇଁ ଅଭିଯାନ ଚଳାଇଛନ୍ତି। ଏହି ଲୋକ ନିଜ ଅଂଚଳର ବର୍ଷବର୍ଷ ଧରି ବ୍ୟବହାର ହେଉନଥିବା ସାର୍ବଜନୀନ କୂଅଗୁଡ଼ିକୁ ପୁଣିଥରେ ଜୀବନ୍ତ କରୁଛନ୍ତି।

ମଧ୍ୟପ୍ରଦେଶର ଅଗରୋଥା ଗାଁର ବବିତା ରାଜପୁତଙ୍କ କଥା ପ୍ରଧାନମନ୍ତ୍ରୀ କହିଛନ୍ତି ଯାହା ଅତ୍ୟନ୍ତ ପ୍ରେରଣାଦାୟୀ। ବବିତା ଜୀ’ଙ୍କ ଗାଁ ବୁନ୍ଦେଲଖଣ୍ଡରେ ଅଛି। ତାଙ୍କ ଗାଁ ପାଖରେ ଏକଦା ଗୋଟିଏ ବହୁତ ବଡ଼ ହ୍ରଦ ଥିଲା, ଯାହା ଶୁଖିଯାଇଥିଲା। ସେ ଗାଁର ଅନ୍ୟ ମହିଳାମାନଙ୍କୁ ସାଥୀ କଲେ ଏବଂ ହ୍ରଦ ପର୍ୟ୍ୟନ୍ତ ପାଣି ଯିବା ପାଇଁ ଏକ ନାଳ ତିଆରି କରିଦେଲେ। ଏହି ନାଳଯୋଗେ ବର୍ଷାଜଳ ସିଧା ହ୍ରଦକୁ ଯିବାକୁ ଲାଗିଲା। ଏବେ ଏହି ହ୍ରଦରେ ପାଣି ଭର୍ତ୍ତି ହୋଇରହିଛି।

ଶ୍ରୀ ମୋଦୀ କହିଛନ୍ତି ଯେ ପାଣିକୁ ନେଇ ଆମେ ଏହିଭଳି ନିଜର ସାମୂହିକ ଦାୟିତ୍ୱକୁ ବୁଝିବାକୁ ପଡ଼ିବ। ଭାରତର ଅଧିକାଂଶ ଅଂଚଳରେ ମଇ-ଜୁନ୍ ମାସରେ ବର୍ଷା ଆରମ୍ଭ ହୁଏ। ଆମେ ଏବେଠାରୁ ନିଜ ଆଖପାଖର ଜଳାଶୟଗୁଡ଼ିକର ସଫା କରିବା ପାଇଁ, ବର୍ଷାଜଳ ସଂରକ୍ଷଣ ପାଇଁ ୧୦୦ ଦିନିଆ କୌଣସି ଅଭିଯାନ ଆରମ୍ଭ କରିପାରିବା କି? ଏହି ଭାବନାକୁ ନେଇ କିଛିଦିନ ପରେ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଜଳଶକ୍ତି ଅଭିଯାନ ଉବଗ୍ଧମଷ ଗ୍ଧଷର କ୍ସବସଦ୍ଭ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନର ମୂଳମନ୍ତ୍ର ହେଉଛି Catch the rain, where it falls, when it falls। ଆମେ ଏବେଠୁ ଏକାଠି ହେବା, ଆମେ ଆଗରୁ ଥିବା ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥାକୁ ମରାମତି କରିଦେବା, ଗାଁର ଗାଡ଼ିଆ ପୋଖରୀକୁ ସଫା କରିଦେବା, ଜଳାଶୟ ପର୍ୟ୍ୟନ୍ତ ପାଣି ଯାଇପାରିବା ଭଳି ରାସ୍ତାରୁ ପ୍ରତିବନ୍ଧକ ହଟାଇଦେବା, ତେବେ ଅଧିକରୁ ଅଧିକ ବର୍ଷାଜଳ ସଂରକ୍ଷଣ କରିପାରିବା।

Comments are closed.