ପାକିସ୍ତାନରେ ଏନଆରସି ଚର୍ଚ୍ଚା କଲେ କଂଗ୍ରେସ ନେତା ମଣିଶଙ୍କର ଆୟାର

ନୂଆଦିଲ୍ଲୀ: ନିଜ ମନ୍ତବ୍ୟକୁ ନେଇ ସବୁବେଳେ ବିବାଦ ଘେରକୁ ଆସୁଥିବା କଂଗ୍ରେସ ନେତା ମଣିଶଙ୍କର ଆୟାର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ପାକିସ୍ତାନରେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଆଲୋଚନା କରି ବିବାଦକୁ ଆସିଛନ୍ତି। ସେ ଲାହୋରରେ ଏକ ଚ୍ୟାନେଲରେ ଆଲୋଚନା ବେଳେ ଏନଆରସି(ଜାତୀୟ ନାଗରିକତା ପଞ୍ଜିକା) ଉପରେ ଚର୍ଚ୍ଚା କରିଛନ୍ତି। ଏହି ଅବସରରେ ସେ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର) ଏବଂ ଏନଆରସି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ବିବାଦ ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଯୋଡ଼ି ଭାରତରେ ହିନ୍ଦୁତ୍ଵର ଚେହେରା ବୋଲି ଆୟାର କହିଛନ୍ତି। ଏହି ଆଲୋଚନାରେ ପାକିସ୍ତାନର ବରିଷ୍ଠ ସାମ୍ବାଦିକ ନଜମ ସେଠୀ ବି ସାମିଲ ଥିଲେ।
ଆୟାର ପାକିସ୍ତାନରୁ ଫେରି ମଙ୍ଗଳବାର ଦିଲ୍ଲୀର ସାହିନବାଗରେ ପହଞ୍ଚିଥିଲେ। ସେଠାରେ ସିଏଏ ଏବଂ ଏନଆରସି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ପ୍ରାୟ ମାସେ ହେଲା ବହୁ ସଂଖ୍ୟକ ମହିଳା ଏବଂ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ଆୟାର ପହଞ୍ଚି କହିଥିଲେ ଯେ, ଆପଣମାନେ ଯେଉଁ ତ୍ୟାଗ କରିବାକୁ ଚାହୁଁଛନ୍ତି ସେଥିରେ ମୁଁ ସାମିଲ ହେବାକୁ ପ୍ରସ୍ତୁତ ରହିଛି। ଏବେ ଦେଖିବା କାହାର ହାତ ମଜଭୁତ ? ଆମର ନା ସେହି ହତ୍ୟାକାରୀଙ୍କର ? ତେବେ ଆୟାରଙ୍କ ଏହି ମନ୍ତବ୍ୟକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି।

Comments are closed.