ସାରସ୍ବତ ସାଧକ ମଙ୍ଗଳୁ ବିଶ୍ବାଳଙ୍କ ପରଲୋକ

ସମ୍ବଲପୁର: ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଆଦର୍ଶ ଶିକ୍ଷକ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ତଥା ପ୍ରଥମ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ର ଲେଖକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସମ୍ବଲପୁର ଉପକଣ୍ଠସ୍ଥ ବାରଡୁମୁରି (ପରମାଣପୁର) ବାସଭବନରେ ପ୍ରାୟ ୧ ବ​‌ର୍ଷ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ଶଯ୍ୟାଶାୟୀ ଥିଲେ। ତାଙ୍କ ବିୟୋଗରେ ଶିକ୍ଷା, ସାହିତ୍ୟ, ନାଟ୍ୟ ଓ କଳା ଜଗତରେ ଗଭୀର ଶୋକପ୍ରକାଶ ପାଇଛି। ଶବାଧାର ପାଖରେ ପତ୍ନୀ ଶୈଳବାଳା, ତିନି ପୁଅ ପ୍ରଶାନ୍ତ, ଅମିତାଭ ଓ ସିଦ୍ଧାର୍ଥ, ଏକମାତ୍ର ଝିଅ ପ୍ରତିମା ତଥା ବୋହୂ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ। ପ୍ରତିକୂଳ ପାଗ ଓ ବର୍ଷା ସତ୍ତ୍ବେ ବହୁସଂଖ୍ୟକ ସାହିତ୍ୟ ଓ କଳାପ୍ରେମୀ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ। ଆଜି ଅପରାହ୍ଣରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ବଡ଼ପୁଅ ପ୍ରଶାନ୍ତ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିବା ସହ ଗଳ୍ପ, ସାହିତ୍ୟ, ନାଟକ, ଶିଶୁ ସାହିତ୍ୟ ସହ ସମ୍ବଲପୁରୀ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।
ବହୁମୁଖୀ ହୀରାକୁଦ ନଦୀବନ୍ଧ ଯୋଜନାରେ ଜଳଭଣ୍ଡାରରେ ବିଲୀନ ପିତାପାଲି ଗ୍ରାମରେ ୧୯୩୫ ମସିହା ମେ ମାସ ୪ ତାରିଖରେ ମଙ୍ଗଳୁ ଚରଣ ଜନ୍ମଗ୍ରହଣ କରିଥିଲେ। ବିସ୍ଥାପିତ ହୋଇ ରେଙ୍ଗାଲି ବ୍ଲକ ବାରଡୁମୁରି ଗ୍ରାମରେ ବସବାସ କରିଥିଲେ। ଶ୍ରୀପୁରା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ଭାବେ ଜୀବିକା ଆରମ୍ଭ କରି ପରମାଣପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ଅବସରଗ୍ରହଣ କରିଥିଲେ। ୧୯୪୪ ମସିହାରେ ଜଣେ ଆଦର୍ଶ ଶିକ୍ଷକ ଭାବେ ସ୍ବର୍ଗତ ବିଶ୍ବାଳଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ସାହିତ୍ୟ ସାଧନା ପ୍ରତି ତାଙ୍କ ବିଶେଷ ରୁଚି ରହିଥିଲା। ସେ ଜଣେ ଉଚ୍ଚକୋଟୀର କବି, ଲେଖକ, ଗାଳ୍ପିକ ହେବା ସହ ସମ୍ବଲପୁରୀ ଭାଷା ଓ ସାହିତ୍ୟକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରି ପାରିଥିଲେ। ତାଙ୍କ ସମ୍ବଲପୁରୀ ନାଟକ ‘ଭୁଖା’ ପରବର୍ତ୍ତୀ କାଳରେ ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇ ବେଶ୍ ଆଦୃତି ଲାଭ କରିଥିଲା। ତାଙ୍କ ମହାର୍ଘ୍ୟ ରଚନାବଳୀ ମଧ୍ୟରେ ରହିଛି ୧୨ଟି କବିତା ସଂକଳନ, ୮ ଗଳ୍ପ ସଂକଳନ, ୩ ଉପନ୍ୟାସ, ୫ ଶିଶୁ ସାହିତ୍ୟ, ୬ ପ୍ରବନ୍ଧ ସଂକଳନ, ୪ ଆକାଶବାଣୀ ନାଟକ, ୧୩ ସମ୍ବଲପୁରୀ ନାଟକ, ୨ ଇଂରାଜୀ ଅନୁବାଦ, ଗୋଟିଏ ଆତ୍ମଜୀବନୀ ପୁସ୍ତକ ‘ହଜିଲା ଦିନ’ ଓ ଗୋଟିଏ ଜୀବନୀ ପୁସ୍ତକ ‘ବିରଳ ବିଷ୍ଣୁଶର୍ମା’ ସହ ଏକ ସାକ୍ଷାତକାର ପୁସ୍ତକ ରହିଛି। ୨୦୧୦ ଜୁଲାଇ ୧୪ରେ ତାଙ୍କୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ସାହିତ୍ୟ ସମ୍ମାନ ସ୍ବରୂପ ଡି.ଲିଟ୍‌ ଉପାଧି ପ୍ରଦାନ କରାଯାଇଥିଲା। ସ୍ବର୍ଗତ ବିଶ୍ବାଳଙ୍କ ସାରସ୍ବତ ସାଧନା ଉପରେ ବିଶ୍ବବିଦ୍ୟାଳୟ ପିଏଚ୍‌ଡି ଗବେଷଣା ମଧ୍ୟ କରାଯାଇଛି।
ମଙ୍ଗଳୁଚରଣ ବିଶ୍ୱାଳଙ୍କୁ ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସାମଗ୍ରିକ ସାହିତ୍ୟ ସାଧନା ପାଇଁ ତାଙ୍କୁ ୧୯୯୯ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୩ରେ ଭାରତ ସରକାରଙ୍କ ଶିକ୍ଷା ଏବଂ ସମାଜ କଲ୍ୟାଣ ବିଭାଗ ଦ୍ୱାରା ଲେଖକ ସମ୍ମାନ, ୧୯୭୭ରେ ଏନ୍‌ସିଇଆର୍‌ଟି ନୂଆଦିଲ୍ଲୀ ପକ୍ଷରୁ ସଂସ୍କୃତି ସମ୍ମାନ ଏବଂ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସାହିତ୍ୟ ସମ୍ମାନ ଆଦି ସହ ‘ସେତୁ ସମ୍ମାନ’, ‘ଉଦୟନ ନାଟ୍ୟ ସମ୍ମାନ’, ‘ସୃଷ୍ଟି ସମ୍ମାନ’, ହଳଧର ସାଂସ୍କୃତିକ ସଂସଦ ପକ୍ଷରୁ ‘ନାଟ୍ୟ ହୀରା’ ଭଳି ବହୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଛି।

Comments are closed.