ବିଦେଶୀ ପକ୍ଷୀଙ୍କ ଆଗମନରେ ମଙ୍ଗଳାଯୋଡ଼ି ଚଳଚଞ୍ଚଳ: ବିଶ୍ବ ଐତିହ୍ୟ ଗ୍ରାମରେ ପର୍ଯ୍ୟଟକ, ପରିବେଶବିତ୍‌ ଓ ଗବେଷକଙ୍କ ଭିଡ଼

ଟାଙ୍ଗୀ : ବିହଙ୍ଗ ବିହାର ରୂପେ ପରିଚିତ ପ୍ରସିଦ୍ଧ ଚିଲିକା ଉପକୂଳର ଆଦ୍ରଭୂମି ମଙ୍ଗଳାଯୋଡ଼ି ବିଦେଶାଗତ ଅତିଥିପକ୍ଷୀ ଓ ପକ୍ଷୀପ୍ରେମୀ ପର୍ଯ୍ୟଟକଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି। ବିଗତ ୨ ବର୍ଷ ଧରି ମହାମାରୀ କରୋନା ସଂକ୍ରମଣ ଯୋଗୁ ମଙ୍ଗଳାଯୋଡ଼ିର ପର୍ଯ୍ୟଟନ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଥିଲା। ଫଳରେ ଏହା ଉପରେ ନିର୍ଭରଶୀଳ ବିଭିନ୍ନ ଅତିଥିଶାଳା, ଜୈବ ପର୍ଯ୍ୟଟନ ଗୋଷ୍ଠୀ, ଗାଇଡ ଓ ନାଉରିଆଙ୍କ ସ୍ୱାଭାବିକ ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଥିଲା।
ଚଳିତବର୍ଷ ଶୀତର ଆଗମନ ସାଙ୍ଗକୁ ବିଦେଶୀପକ୍ଷୀଙ୍କର କଳରବରେ ମଙ୍ଗଳାଯୋଡ଼ି ହୋଇଉଠିଛି ଚଳଚଞ୍ଚଳ। ଏଠାକୁ ସୁଦୂର ଇରାକ, ଇରାନ, ମଙ୍ଗୋଲିଆ, ଇଜିପଟ, ସାଇବେରିଆ, କାଜାଖସ୍ତାନ, ୟୁରୋ, ଅଷ୍ଟ୍ରେଲିଆ ଇତ୍ୟାଦି ଦେଶରୁ ବିଭିନ୍ନ ରଙ୍ଗବେରଙ୍ଗ ପ୍ରଜାତିର ପକ୍ଷୀମାନେ ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବା ସହିତ ଖାଦ୍ୟ ଅନ୍ୱେଷଣରେ ଆସିଥାନ୍ତି। ବିଭିନ୍ନ ବିଦେଶାଗତ ଓ ଆବାସିକ ପକ୍ଷୀମାନେ ମଙ୍ଗଳାଯୋଡ଼ି ସେମାନଙ୍କ ପାଇଁ ସବୁ ଦୃଷ୍ଟିରୁ ସୁରକ୍ଷିତ ସ୍ଥାନ ରୂପେ ପସନ୍ଦ କରୁଥିବା ହେତୁ ପକ୍ଷୀମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ୟୁନେସ୍କୋ ଦ୍ୱାରା ମଙ୍ଗଳାଯୋଡ଼ିକୁ ବିଶ୍ୱଐତିହ୍ୟ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟ ସରକାର ମଧ୍ୟ ମଙ୍ଗଳାଯୋଡ଼ିକୁ ପରିବେଶ ପର୍ଯ୍ୟଟନ ରୂପେ ଘୋଷଣା କରିଛନ୍ତି। ଫଳରେ ମଙ୍ଗଳାଯୋଡ଼ିକୁ ପକ୍ଷୀପ୍ରେମୀ ପର୍ଯ୍ୟଟକ, ଗବେଷକ, ପରିବେଶବିତଙ୍କ ଭିଡ଼ କ୍ରମଶଃ ବୃଦ୍ଧି ପଉାଥିବାର ଦେଖାଯାଉଛି।
ଗମନାଗମନ ଦୃଷ୍ଟିରୁ ମଙ୍ଗଳାଯୋଡି ଏକ ସୁବିଧାଜନକ ସ୍ଥିତିରେ ରହିଛି। ଭୁବନେଶ୍ୱରଠାରୁ ୧୬ ନମ୍ବର ଜାତୀୟ ରାଜପଥରେ ଟାଙ୍ଗୀ ହେଉଛି ୬୫ କି.ମି. ଦୂରତା। ଟାଙ୍ଗୀଠାରୁ ମଙ୍ଗଳାଯୋଡ଼ିର ଦୂରତା ମାତ୍ର ୩ କି.ମି.। ପର୍ଯ୍ୟଟକଙ୍କ ରହଣି ପାଇଁ ଏଠାରେ ରାଜ୍ୟ ସରକାରଙ୍କ ବନ୍ୟପ୍ରାଣୀ ବିଭାଗ ତରଫରୁ ପ୍ରକୃତିନିବାସ ଅତିଥିଭବନ ନିର୍ମିତ ହୋଇଛି। ଏତଦ୍‍ ବ୍ୟତୀତ ବେସରକାରୀ ଉଦ୍ୟମରେ ଏଠାରେ ବାର୍ଡ ଭିୟୁ ରିସର୍ଟ, ଇକୋ ଟୁରିଜିମ୍‍, ଗଡ଼ଓ୍‍ବିଟ ଇକୋ କଟେଜ ଓ ବାର୍ଡ କଞ୍ଜରଭେସନ ଆଣ୍ଡ ଟୁରିଜିମ ଟ୍ରଷ୍ଟ ଇତ୍ୟାଦି ପର୍ଯ୍ୟଟକଙ୍କୁ ଆତିଥ୍ୟ ପ୍ରଦାନ କରିଥାଆନ୍ତି।

ଏହି ଗ୍ରାମାଞ୍ଚଳ ପରିବେଶରେ ସହାରାଞ୍ଚଳର ପଞ୍ଚତାରକା ହୋଟେଲ ଭଳି ସୁବିଧା ସୁଯୋଗ ମିଳିବାରେ କୌଣସି ଅସୁବିଧା ନାହିଁ। ଏହି ସବୁ ଅତିଥିଶାଳାରେ ଶହେ ଜଣ ପର୍ଯ୍ୟଟକ ରହିବାର ସୁବିଧା ରହିଛି। ବିଦେଶାଗତ ଅତିଥିଙ୍କ ମନୋରମ ଦୃଶ୍ୟ ଉପଭୋଗ କରିବାର ପ୍ରକୃଷ୍ଟ ସମୟ ହେଉଛି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ। ସୂର୍ଯୋଦୟ ପରେ କଳକଳରବରେ ଦଳଦଳ ହୋଇ ପକ୍ଷୀମାନେ ଆକାଶକୁ ଉଡ଼ିବା ଓ ସୂର୍ଯ୍ୟାସ୍ତ ସମୟରେ ଦଳବଦ୍ଧ ଭାବରେ ଫେରିବାର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର। କେବଳ ରାତ୍ରି ରହଣି କଲେ ଏହି ଚିତ୍ତାକର୍ଷକ ଦୃଶ୍ୟ ଦେଖିବାକୁ ମିଳିବ।
ପକ୍ଷୀମାନଙ୍କ ଶାନ୍ତ ପରିବେଶରେ ବାଧା ସୃଷ୍ଟି ନକରିବା ପାଇଁ ଏଠାରେ ମେସିନ ଚାଳିତ ଡଙ୍ଗାକୁ ନିଷେଧ କରାଯାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନାଉରିଆମାନେ ସେମାନଙ୍କ ଡଙ୍ଗାକୁ ରଙ୍ଗବେରଙ୍ଗ କରି ସଜାଇଥିବା ଦେଖାଯାଉଛି। ବନ୍ୟପ୍ରାଣୀ ବିଭାଗର ସୂଚନା ଅନୁସାରେ ଗତବର୍ଷ ୯୦ ପ୍ରଜାତିର ୨ ଲକ୍ଷ ୪୨ ହଜାର ୬୨୦ ପକ୍ଷୀଙ୍କ ସମାଗମ ମଙ୍ଗଳାଯୋଡ଼ିରେ ହୋଇଥିଲା। ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ମୁଖ୍ୟତଃ ରୁଡି ସେଲଡକ, ବାରହେଡେଡ ସୁଜ, ନଦର୍ଣ୍ଣ ପିଷ୍ଟେଲ, ନଦର୍ଣ୍ଣ ସୋଭଲର, ଗଡ଼ୱିଟ୍‍, ବ୍ଲାକ ହେଡେଡ ଆଇବିସ, ପର୍ପଲହେରନ, ଗ୍ରେହେରେନ, ବ୍ଲକ ଫ୍ୱିଙ୍ଗଡ୍‍ ଷ୍ଟିଲ ଓ ପେଲିକାନ ଇତ୍ୟାଦିଙ୍କର ଆଗମନ ହୋଇଥାଏ।
ଚିଲିକା ବନ୍ୟପ୍ରାଣୀ ବାଲୁଗାଁ ଉପଖଣ୍ଡର ସହକାରୀ ବନ ସଂରକ୍ଷକ ଅଧିକାରୀ ଶରତଚନ୍ଦ୍ର ମିଶ୍ରଙ୍କ ସୂଚନା ଅନୁସାରେ ଏବେ ପ୍ରାୟ ୭ ହଜାରରୁ ଅଧିକ ବିଦେଶୀ ଓ ଦେଶୀ ପକ୍ଷୀଙ୍କ ସମାଗମ ମଙ୍ଗଳାଯୋଡ଼ିରେ ହୋଇଛି। ପକ୍ଷୀଙ୍କ ସୁରକ୍ଷା ନିମିତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳରେ ୧୧ଟି ଅସ୍ଥାୟୀ ସୁରକ୍ଷା ଶିବିର ସ୍ଥାପନ କରାଯାଇଛି। ପକ୍ଷୀ ସୁରକ୍ଷା ସମିତିର ସଭ୍ୟଙ୍କୁ ଏଥିରେ ସାମିଲ କରାଯାଇଛି। ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱରେ ଥିବା ଏହି ସୁରକ୍ଷା ଶିବିରରେ ବନ୍ୟପ୍ରାଣୀ କର୍ମଚାରୀଙ୍କ ସମେତ ୪ ଜଣ ଲେଖାଏଁ ସହାୟକ ଏଥିରେ ନିଯୁକ୍ତ ହୋଇଛନ୍ତି। ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଚୁଡ଼ାରାଣୀ ମୁର୍ମୁ ଏହି ସବୁ ଶିବିରକୁ ତଦାରଖ କରିବାର ଦାୟିତ୍ୱରେ ଅଛନ୍ତି। ପକ୍ଷୀ ଶିକାରୀଙ୍କୁ ଏହି ନୃଶଂସ କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ଚିଲିକା ଉପକୂଳସ୍ଥ ଗ୍ରାମବାସୀ, ସ୍ୱେଚ୍ଛାସେବୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନିର୍ବାହ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏ ଦିଗରେ ବନ ବିଭାଗ ଓ ପୁଲିସ ପକ୍ଷରୁ କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Comments are closed.