ଚଳିତବର୍ଷ ଅନଲାଇନରେ ହେବ ଧାନ କିଣା; ଧାନ ବିକ୍ରିର ୨୪ଘଣ୍ଟା ମଧ୍ୟରେ ମିଳିବ ପ୍ରାପ୍ୟ

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ଗତ୨୫ତାରିଖରୁ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପ୍ରକିୟା ଶୁଭାରମ୍ଭ ହୋଇଛି ।ଆଜି ହରଭଙ୍ଗା ବ୍ଲକରୁ ଧାନକ୍ରୟ ଆରମ୍ଭ ହୋଇଛି ।ବ୍ଲକର ଲୁଣିବାହାଲ ପ୍ୟାକ୍ସରୁ ଧାନ କ୍ରୟ ଆରମ୍ଭ ହୋଇଛି ।ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସରକାର ଧାନ କିଣାରେ ସ୍ୱଛତା ପାଇଁ ଅନଲାଇନ ପଦ୍ଧତିରେ ଧାନ କ୍ରୟ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅନଲାଇନ ଧାନ କ୍ରୟ ସହିତ ଆଇ.ଆର.ଆଇ.ଏସ ସ୍କାନର ଭଳି ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରାଯାଛି ।ଏହାଦ୍ୱାରା ମଣ୍ଡିକୁ ଧାନ କ୍ରୟ ପାଇଁ ଆସୁଥିବା ଚାଷୀଙ୍କ ଆଖିକୁ ସ୍କାନ କରାଯିବ । ଯାହାଦ୍ୱାରା ଚାଷୀଙ୍କ ସମସ୍ତ ଠିକଣା ସହିତ ଜମି ପରିମାଣ କେତେ ଧାନ ବିକ୍ରି କରିପାରିବେ ତାହାର ସବିଶେଷ ତଥ୍ୟ ଅନଲାଇନରେ ମିଳିପାରିବ। ଏହା ସହିତ ଅନଲାଇନ ଟୋକନ ବ୍ୟବସ୍ଥା ମଧ୍ୟ ଲାଗୁକରାଯାଇଛି। ଏହି ନୂତନ ପଦ୍ଧତି ଦ୍ୱାରା ଧାନବିକ୍ରି ପାଇଁ ଚାଷୀଙ୍କୁ ୭ଦିନ ପୂର୍ବରୁ ସେ କେଉଁ ଦିନ କେତେ ପରିମାଣର ଧାନ କେଉଁ ମଣ୍ଡିରେ ବିକ୍ରି କରିବେ ଏସବୁ ବିଷୟରେ ସିଧାସଳଖ ମୋବାଇଲ ମାଧ୍ୟମରେ ମେସେଜ ପ୍ରଦାନ କରାଯିବ ।

ଅନଲାଇନ ଟୋକନ ମିଆଦି ୩୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯାହାଦ୍ୱାର ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଛେଦ କରାଯାଇଛି। ଗତବର୍ଷ ଜଣେ ଚାଷୀ ଗୋଟିଏ ଦିନରେ ସର୍ବାଧିକ ୮୦କ୍ୱିଂଟାଲ ଧାନ ବିକ୍ରି କରିପାରୁଥିବାବେଳେ ଚଳିତବର୍ଷ ଜଣେ ଚାଷୀ ଗୋଟିଏ ଦିନରେ ସର୍ବାଧିକ ୭୦କ୍ୱିଂଟାଲ ଧାନ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି ।ଏହା ସହିତ ୨୪ ଘଣ୍ଟା ମଧ୍ୟରେ ଧାନ ବିକ୍ରି ବାବଦ ଅର୍ଥ ତାଙ୍କ ବ୍ୟାଙ୍କ ଜମା ଖାତାରେ ସିଧାସଳଖ ଜମା କରାଯିବ ।ଜଳସେଚିତ ଜମି ଥିବା ଚାଷୀ ଏକରକୁ ୧୯କ୍ୱିଣ୍ଟାଲ ଏବଂ ଅଣଜଳସେଚିତ ଜମିଥିବା ଚାଷୀ ଏକରକୁ ୧୨କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ବ୍ୟବସ୍ଥା ହୋଇଛି ।ଏହାସହିତ ଏଫ.ଏ.କ୍ୱ୍ୟୂ ମାନର ଧାନ କ୍ୱିଣ୍ଟାଲ ପିଛା ୧୮୧୫ ରୁ ୫୩ଟଙ୍କାବୃଦ୍ଧି ଘଟି ୧୮୬୩ଟଙ୍କା ଧାର୍ଯ୍ୟ ହୋଇଛି ଏବଂ ଗ୍ରେଡ୍ (ଏ )ମାନର ଧାନ କ୍ୱିଂଟାଲ ପିଛା ୧୮୩୫ ଟଙ୍କାରୁ ୫୩ଟଙ୍କା ବୃଦ୍ଧି ଘଟି ୧୮୮୮ ଟଙ୍କା ଧାର୍ଯ୍ୟ କରାଯାଇଛି ।ଧାନ କିଣା ତଦାରଖ ପାଇଁ ୫ଜଣ ଚାଷୀ, ସମବାୟ ସଂପାଦକ, ସଭାପତି, ରାଜସ୍ୱ ନିରୀକ୍ଷକ, ପଂଚାୟତ ପିଇ.ଓଙ୍କୁ ନେଇ ଏକ କ୍ରୟ କମିଟି ଗଠନ କରାଯିବାକୁ ନିର୍ଦ୍ଦେଶ ରହିଛି । ଧାନ କ୍ରୟ ସମୟରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାସ୍ତରରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି ।

ସୂଚନା ଅନୁସାରେ, ଚଳିତବର୍ଷ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଏବଂ ବୌଦ୍ଧ ବ୍ଲକ ଅଧିନରେ ଥିବା ୪୨ଟି ସମବାୟ ସମିତି ଅଧିନରେ ୬୦ଟି ଧାନକ୍ରୟ କେନ୍ଦ୍ର ଜରୀଆରେ ଧାନ ସଂଗ୍ରହ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଗତବର୍ଷ ୨୭ହଜାର ୩୨୮ଜଣ ଚାଷୀ ନାମପଞ୍ଜିକରଣ କରିଥିବାବେଳେ ଚଳିତବର୍ଷ ଧାନବିକ୍ରି ପାଇଁ ଚାଷୀଙ୍କ ପଞ୍ଜିକରଣ ସଂଖ୍ୟା ଅଧିକ ୭ହଜାର ୨୨କୁ ବୃଦ୍ଧି ଘଟିବା ସହିତ ୩୪ହଜାର୩୫୦ଜଣ ଚାଷୀ ନାମପଞ୍ଜିକରଣ କରିଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ୭୯ହଜାର୪୧୧ କ୍ୱିଂଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟଧା୍ର୍ଯ୍ୟ କରାଯାଇଛି। ଜିଲ୍ଲାରେ ୯ଟି ମିଲସ୍ ଧାନ କିଣାରେ ସାମିଲ ହେବା ସହିତ ବାହାର ଜିଲ୍ଲାର ୧୫ଟି ମିଲକୁ ମଧ୍ୟ ଏଥର ଧାନ କିଣା ପାଇଁ ସାମିଲ କରାଯିବା ପାଇଁ ବୌଦ୍ଧ ସି.ଏସ.ଓ ବିଷ୍ଣୁଚରଣ ପ୍ରଧାନ ସୂଚନା ଦେଇଛନ୍ତି । ସେହିପରି ହରଭଙ୍ଗା ବ୍ଲକରେ ଗତବର୍ଷ ୭ହଜାର ୫୭୧ଜଣ ଚାଷୀ ନାମ ପଞ୍ଜିକରଣ କରିଥିବାବେଳେ ଚଳିତ ବର୍ଷ ମଧ୍ୟରେ ପଞ୍ଜିକରଣ ସଂଖ୍ୟାରେ ବୃଦ୍ଧି ଘଟି ୯ହଜାର୨୨୨ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ଜଣାପଡିଛି । ବ୍ଲକରେ ୧୩ଟି ସମବାୟ ଅଧିନରେ ୧୯ଟି ଧାନ କ୍ରୟ କେନ୍ଦ୍ର ଦ୍ୱାରା ୧୯ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଯାହାକି ଗତବର୍ଷ ତୁଳନାରେ ବହୁତ ଅଧିକ ।ଜିଲ୍ଲାରେ ଗତ ୬ତାରିଖ ସୁଦ୍ଧା ୩୧ ହଜାର କ୍ୱିଂଟାଲ ଧାନ କ୍ରୟ ହୋଇଥିବା ସୂଚନା ମିଳିଛି ।

Comments are closed.