ମନରେଗା ଯୋଜନାରେ ପାରିଶ୍ରମିକ ନପାଇ ଗରିବ ଶ୍ରମିକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଦ୍ୱାରସ୍ଥ              

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକର ତେଣ୍ଡରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ହରିହରପୁର ଗ୍ରାମରେ  ୨୦୨୦-୨୧ ଆର୍ଥିକ ବର୍ଷରେ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ କଲମୀ କାଜୁ ଚାରା ରୋପଣର ଏକ ପ୍ରକଳ୍ପ ୧୩ ହେକଟର ପରିମିତ ଜମିରେ କରାଯାଇଛି । ବିଭାଗ ତରଫରୁ ଏହି କାର୍ଯ୍ୟର ସୁପରିଚାଳନା ଦାୟିତ୍ୱରେ ପୂର୍ଣ୍ଣଚନ୍ଦ୍ର ବେହେରା ନିୟୋଜିତ ଥିଲେ । କିନ୍ତୁ ସେ ନିଜେ ଏହାର ତଦାରଖ ନ କରି ସମ୍ପୂର୍ଣ୍ଣ ଦାୟିତ୍ୱ ହରିହରପୁର ଗ୍ରାମର ହେମନ୍ତ କୁମାର ମାଝୀଙ୍କୁ ଦେଇ ନିଜେ ଦାୟିତ୍ୱମୁକ୍ତ ହେଇଥିଲେ । ଦାୟିତ୍ୱ ପାଇବା ପରେ ଶ୍ରୀ ମାଝୀ ମନଇଚ୍ଛା ଏବଂ ଜବ କାର୍ଡ ନଥିବା ଲୋକ, ଶିଶୁ ଶ୍ରମିକ ଓ କିଛି ଜବ କାର୍ଡ ଧାରୀ ଶ୍ରମଜୀବୀଙ୍କୁ ନେଇ କାର୍ଯ୍ୟ କରିଥିଲେ । ଶିଶୁ ଶ୍ରମିକ ଓ ଜବକାର୍ଡ ନଥିବା ଲୋକଙ୍କୁ ନଗଦ ମଜୁରି ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା ।  କିନ୍ତୁ କାର୍ଯ୍ୟ କରି ସାରିବା ପରେ ସେ ନିଜ କଥାରୁ ଓହରିଗଲେ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । କୌଣସି ଉପାୟ ନ ପାଇ ଶ୍ରମିକମାନେ ନିଜ ପାରିଶ୍ରମିକ ପାଇବା ଆଶାରେ ଗତ ଅକ୍ଟୋବର ୧୯ ତାରିଖରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲା ଶ୍ରମି ଅଧିକାରୀ ଏହାର ସମାଧାନ ପାଇଁ ଦୁଇ ପକ୍ଷଙ୍କୁ କେନ୍ଦୁଝର କାର୍ଯ୍ୟାଳୟକୁ ଗତ ୮ ତାରିଖ ଡାକିଥିଲେ ତେବେ ଭାରତ ବନ୍ଦ ଯୋଗୁଁ ସେଦିନ କାର୍ଯ୍ୟାଳୟ ଛୁଟି ରହିବାରୁ ୯ ତାରିଖ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଆସନ୍ତା ୧୭ ତାରିଖକୁ ସମାଧାନ ପାଇଁ ଶ୍ରମ ବିଭାଗ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ମୋଟ ୧୨ ଜଣ ଶ୍ରମଜୀବୀ ଦୁଇ ସପ୍ତାହରୁ ୧୧ ସପ୍ତାହ ଯାଏଁ ଏହି ପ୍ରକଳ୍ପ ରେ କାମ କରିଥିଲେ ମଧ୍ୟ ସେମାନଙ୍କୁ ମଜୁରି ମିଳି ନଥିବା ଅଭିଯୋଗ ହୋଇଥିଲା ।

Comments
Loading...