ଫେସବୁକ୍ ଫେରାଇ ଦେଲା ପରିବାର, ୪୮ବର୍ଷ ପରେ ପରିବାର ସହ ମିଳନ

ଢ଼ାକା: ଦୀର୍ଘ ୪୮ବର୍ଷ ପୂର୍ବେ ନିଖୋଜ ହୋଇଥିବା ବାଂଲାଦେଶର ଜଣେ ବ୍ୟକ୍ତିଙ୍କର ଏବେ ପରିବାର ସହିତ ମିଳନ ହୋଇଛି।ଫେସବୁକରେ  ପ୍ରସାରିତ ତାଙ୍କ ଅସୁସ୍ଥତାର ଭିଡିଓ ହିଁ ଏହାକୁ ସମ୍ଭବ କରିଛି। ସୂଚନାନୁଯାୟୀ, ସିଲହଟ୍‌ର ପୂର୍ବତନ ବ୍ୟବସାୟୀ ହବିବୁର ରହମନ୍‌ ୧୯୭୨ରେ କୌଣସି କାର୍ଯ୍ୟରେ ଚିତ୍ତଗଙ୍ଗ ଯାଇଥିବାବେଳେ ସେଠାରୁ ନିଖୋଜ ହୋଇଯାଇଥିଲେ। ସେତେବେଳେ ତାଙ୍କୁ ୩୦ବର୍ଷ ହୋଇଥିଲା। ସେ ୪ ସନ୍ତାନଙ୍କ ବାପା ଥିଲେ। ପରିବାର ପକ୍ଷରୁ ଅନେକ ସନ୍ଧାନ ସତ୍ତ୍ବେ ତାଙ୍କର ଖବର ମିଳି ନ ଥିଲା। ଇତିମଧ୍ୟରେ ତାଙ୍କ ପିଲାମାନେ ବଡ଼ ହୋଇ ଆମେରିକା ଓ ବ୍ରିଟେନ୍‌ ଚାଲିଯାଇଥିଲାବେଳେ ମୋଟ ୧୩ ନାତିନାତୁଣୀ ବିଭିନ୍ନ ସ୍ଥାନରେ ଅଛନ୍ତି। ରହମନ ଗତ କିଛି ବର୍ଷ ହେଲା ମୌଲବୀବଜାରସ୍ଥିତ ଏକ ସୁଫି ପୀଠରେ ଅବସ୍ଥାନ କରୁଥିଲେ। ଏଠାକୁ ସେ କିଭଳି ଆସିଲେ ତା’ର କିଛି ଖବର ମଧ୍ୟ କାହାରି ପାଖରେ ନାହିଁ। ବାର୍ଦ୍ଧକ୍ୟ ଯୋଗୁଁ ଗତ ୫ବର୍ଷ ଧରି ଅସୁସ୍ଥ ରହମନଙ୍କ ସେବା ସୁଶ୍ରୁଷା କରୁଥିଲେ ରାଜିଆ ବେଗମ୍‌ ନାମ୍ନୀ ଜଣେ ମହିଳା। ଚଳିତ ମାସ ପ୍ରାରମ୍ଭରେ ସେ ଅଧିକ ଅସୁସ୍ଥ ହୋଇପଡ଼ିବାରେ ସିଲହଟ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପାଇଁ ଅର୍ଥାଭାବ ହେବାରୁ ରାଜିଆ ସାହାଯ୍ୟ ପାଇଁ ଅନ୍ୟ ଜଣେ ରୋଗୀ ସମ୍ପର୍କୀୟଙ୍କୁ ସାହାଯ୍ୟ ମାଗିଥିଲେ। ମୋବାଇଲ ଫୋନରେ ଭିଡିଓ ଉତ୍ତୋଳନ କରି ଫେସବୁକରେ ପ୍ରସାର କରାଇବାକୁ ସେ ନିବେଦନ କରିଥିଲେ। ଫେସବୁକରେ ଏହା ପ୍ରସାରିତ ହେବା ପରେ ଆମେରିକାରେ ବାସ କରୁଥିବା ରହମନଙ୍କ ନାତୁଣୀବୋହୂଙ୍କ ନଜର ଏହା ଉପରେ ପଡ଼ିଥିଲା। ସେ ତୁରନ୍ତ ସିଲହଟ୍‌ରେ ଥିବା ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ରହମନଙ୍କର ଜଣେ ୨୦ବର୍ଷୀୟ ନାତି କେଫାୟତ ହୁସେନ୍‌ ଡାକ୍ତରଖାନା ଯାଇ ଜେଜେବାପାଙ୍କୁ ଚିହ୍ନଟ କରିଥିଲେ। ରହମନ ତାଙ୍କ ପତ୍ନୀ ଓ ପିଲାମାନଙ୍କ ନାମ କହିବା ସହ ପୁରୁଣା ସ୍ମୃତି ପଖାଳିଥିଲେ ଏବଂ ସାଥୀଙ୍କୁ ଚିହ୍ନିପାରି କାନ୍ଦିଥିଲେ।

Comments are closed.