୨୪ ଘଣ୍ଟା ପରେ ବଡଖଣି ଚ୍ୟାକ ଡ୍ୟାମରୁ ମୃତ ଦେହ ଉଦ୍ଧାର

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡଖଣି ଗ୍ରାମର କାଳୁଚରଣ ମଲ୍ଲିକଙ୍କ ମୃତଦେହ ସ୍ଥାନୀୟ ଚେକ୍ ଡ୍ୟାମରୁ ଉଦ୍ଧାର କରାଯାଇଛି। ସେ ନିଖୋଜ ହେବାର ୨୪ ଘଣ୍ଟା ପରେ ଶୁକ୍ରବାର ଆଗ୍ନିଶମ ବିଭାଗ ତାଙ୍କ ମୃତ ଦେହ ଉଦ୍ଧାର କରିଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଗ୍ନିଶମ ବିଭାଗର ଅଧିକାରୀ ସୁଶାନ୍ତ ରଞ୍ଜନ ମହାପାତ୍ର ଓ କର୍ମଚାରୀ ଚେକ ଡ୍ୟାମରେ ଖୋଜିବା ଆରମ୍ଭ କରିଥିଲେ। ପାଣିର ଗଭୀରତା ଅଧିକ ଥିବା ଯୋଗୁଁ ଅକ୍ସିଜେନ ବ୍ୟବହାର କରି କର୍ମଚାରୀ ଜିତେନ୍ଦ୍ର କୁମାର ଭୂୟାଁ ୪୦ ଫୁଟ ତଳେ ଏକ ପଥର ସନ୍ଧିରେ ଫସି ରହିଥବା କାଳୁର ମୃତ ଦେହ ଉଦ୍ଧାର କରିଥିଲେ।
ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଏସ୍‌ଆଇ ପିଙ୍କି ମୁର୍ମୁ ଉପସ୍ଥିତ ରହି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକଲକୁ ପଠାଇଥିଲେ। ଏ ନେଇ ମୋହନା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି। ପ୍ରକାଶ ଥାଉ କି ମୃତ କାଳୁଚରଣ ଗୁରୁବାର ଦିନ ବଗଡ଼ କାମ ସାରି ଗ୍ରାମ ନିକଟରେ ଥିବା ଚେକଡ୍ୟାମକୁ ଗାଧୋଇବା ପାଇଁ ଯାଇଥିଲେ। ଅସାବଧାନତା ଯୋଗୁଁ ପଥରରେ ତାଙ୍କ ଗୋଡ ଖସିଯିବାରୁ ସେ ଗଭୀର ଜଳ ଭିତରକୁ ଚାଲିଯାଇ ବୁଡ଼ି ଯାଇଥିଲେ।

Comments are closed.