କରୋନା କଷ୍ଟ: ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଯୁବକଙ୍କ ଆତ୍ମହତ୍ୟା

  • ରୋଜଗାରର ମାଧ୍ୟମ ହୋଟେଲ ଲକ୍ ଡ଼ାଉନ ଯୋଗୁଁ ବନ୍ଦ ହୋଇ ଯାଇଥିଲା

  • ବ୍ୟାଙ୍କ ଋଣର ବୋଝ ସାଙ୍ଗକୁ ପରିବାର ଚଳାଇବା ପାଇଁ ଥିଲା ଅର୍ଥର ଅଭାବ

ସୋଲାପୁର: ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ଜଣେ ୩୭ ବର୍ଷୀୟ ଯୁବକ ପ୍ରଥମେ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ଏହି ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଛି । ସୂଚନା ପାଇ ପୁଲିସ ମଙ୍ଗଳବାର ୪ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ଲାଇଫ ବେରୀରେ ପ୍ରକାଶିତ ଖବର ଅନୁସାରେ  ଥାନା ଅଧିକାରୀ ଇନ୍ସପେକ୍ଟର ସଞ୍ଜୟ ସାଲୁଙ୍ଖେ ମୃତ ଯୁବକଙ୍କ ନାମ ଅମୋଲ ଜଗତାପ ବୋଲି କହିଛନ୍ତି  । ପୁଲିସ ସୂଚନା ଅନୁସାରେ ସେ ଗୋଟିଏ ଛୋଟ ହୋଟେଲ ଚଳାଉଥିଲେ । ଏଥିପାଇଁ ଲକ୍ଷଲକ୍ଷ ଟଙ୍କା କରଜ କରିଥିଲେ । ମାତ୍ର ଲକ୍ଡ଼ାଉନ ଯୋଗୁଁ ତାଙ୍କର ହୋଟେଲ ବନ୍ଦ ହୋଇ ଯାଇଥିଲା । ଏପଟେ ଋଣ ବୋଝ, ସେପଟେ ପରିବାରର ଆର୍ଥିକ ବୋଝ, ଏହାକୁ ସହ୍ୟ କରି ନ ପାରି ସେ ଆତ୍ମହତ୍ୟା କରିଥିଲେ ।

ଅମୋଲ ଜଗତାପ ନିଜ ପତ୍ନୀ ମୟୂରୀ (୨୭), ପୁଅ ଆଦିତ୍ୟ (୭) ଓ ଆୟୁଷ (୪)ଙ୍କ ସହ ପୁରୁଣା ପୁନେ-ନାସିକ ରାସ୍ତାରେ ଏକ ଭଡ଼ାଘରେ ରହୁଥିଲେ । ପ୍ରଥମେ ଅମୋଲ ଗଳାଟିପି ପତ୍ନୀ ଓ ଦୁଇ ପିଲାଙ୍କୁହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଦେଇଥିଲା । ମଙ୍ଗଳବାର ସକାଳେ ତାଙ୍କ ଘର କବାଟ ଝରକା ବନ୍ଦ ଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ କବାଟ ଭାଙ୍ଗି ଘରେ ପଶିବା ପରେ ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା ।

ଅମୋଲ ଏକ ସୁଇସାଇଡ଼୍ ନୋଟ ଛାଡ଼ି ଯାଇଥିବା ପୁଲିସ ସୂଚନା ଦେଇଛି । ଯାହା ଆଧାରରେ ଏହି ଘଟଣାକୁ ଆର୍ଥିକ ସମସ୍ୟାରୁ ଆତ୍ମହତ୍ୟା ବୋଲି ପୁଲିସ ମନେ କରୁଛି । ପୋଷ୍ଟ ମର୍ଟମ ରିପୋର୍ଟ ପରେ ସବୁ କଥା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Comments are closed.