ପୋଖରୀରେ ବୁଡ଼ି ଯୁବକ ମୃତ

ଯାଜପୁର: ଯାଜପୁର ଜିଲା ମଙ୍ଗଳପୁର ଥାନା ଛଞ୍ଚିଣା ଗାଁ’ରେ ବୁଧବାର ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗୌରଶ୍ୟାମ ରାଉତଙ୍କ ପୁଅ ପବିତ୍ର ରାଉତ।
ସୂଚନା ଅନୁସାରେ, ପବିତ୍ର ଆଜି ସକାଳୁ ଘର ପଛପଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ସମୟରେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀ କୂଳରେ ପବିତ୍ରଙ୍କ ଲୁଗାପଟା ପଡ଼ିଥିବା ଦେଖି ଗ୍ରାମବାସୀ ଦଶରଥପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ପବିତ୍ରଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମଙ୍ଗଳପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Comments are closed.