ସ୍ତ୍ରୀକୁ ହତ୍ୟା କରି ସାପ ମୁଣ୍ଡରେ ଦୋଷ ଲଦିଲା ସ୍ବାମୀ, ପ୍ରକୃତ ସତ ଜଣାପଡିଲା ପରେ ଗିରଫ କଲା ପୁଲିସ

ଇନ୍ଦୋର: ପ୍ରେମିକା ସହ ରହିବା ପାଇଁ ଜଣେ ସ୍ବାମୀ ଏଭଳି ଏକ ଜଘନ୍ୟକାଣ୍ଡ ଘଟାଇଛି ଯାହା ସମସ୍ତଙ୍କୁ ଚକିତ କରିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଏହାର ସମ୍ପୂର୍ଣ୍ଣ ଦୋଷ ଏକ ସାପ ମୁଣ୍ଡରେ ଲଦି ନିଜେ ଖସିବାକୁ ଉଦ୍ୟମ କରିଥିଲା। ଏଥିପାଇଁ ସେ ୫ ହଜାର ଟଙ୍କା ଦେଇ ଏକ ନାଗ ସାପକୁ କିଣି ଆଣି ଘରେ ରଖିଥିଲା। ପ୍ରାୟ ୧୧ ଦିନ ଧରି ସାପଟିକୁ ଘରର ଆଲମାରିରେ ରଖିବା ପରେ ନିଜ ଯୋଜନାର ସଫଳ ରୂପ ଦେଇଥିଲା। ଏହା କୌଣସି ଗାଁ ଗହଳିର ଅପାଠୁଆ ସ୍ବାମୀର ଯୋଜନା ନୁହେଁ ବରଂ ସହରୀ ପାଠୁଆ ସ୍ବାମୀର ବୁଦ୍ଧିମାନ୍‌ ଯୋଜନା। ଏଥିରେ ତାଙ୍କୁ ତାଙ୍କ ଭଉଣୀ ମଧ୍ୟ ସହଯୋଗ କରିଥିଲେ। ଘଟଣାର ପ୍ରକୃତ ସତ ସାମ୍ନାକୁ ଆସିଲା ପରେ ପୁଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।

ଘଟଣା ଏହିପରି, ମଧ୍ୟପ୍ରଦେଶ ଇନ୍ଦୋରରେ ରହୁଥିବା ଜଣେ ବିବାହିତ ବ୍ୟାଙ୍କ ଅଧିକାରୀ ଅମିତେଷଙ୍କ ପ୍ରେମ ସମ୍ପର୍କ ଅନ୍ୟ ଜଣେ ଯୁବତୀଙ୍କ ଗଢି ଉଠିଥିଲା। ଏହାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କଳି ଝଗଡା ହେଉଥିଲା। ତେଣୁ ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ଅମିତେଷ ଯୋଜନା କରିଥିଲେ। ଦିନେ ସ୍ତ୍ରୀ ଘରେ ଶୋଇଥିବା ବେଳେ ନିଜ ପିଲା ଓ ବାପାକୁ ଚାଲାକ୍ କରି ବାହାରକୁ ପଠାଇ ଦେଇଥିଲେ। ପରେ ସ୍ତ୍ରୀର ମୁହଁକୁ ତକିଆରେ ଚାପି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ। ହତ୍ୟାକାଣ୍ଡରୁ ଖସିବା ପାଇଁ ଘରେ ଲୁଚାଇ ରଖିଥିବା ନାଗ ସାପକୁ ଆଣି ସ୍ତ୍ରୀ ହାତକୁ କମୁଡାଇ ଥିଲେ। ଏହା ଦ୍ବାରା ସେ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ଯେ ସାପ କାମୁଡାରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। କିନ୍ତୁ ବେଶି ଦିନ ସେ ନିଜକୁ ବଞ୍ଚାଇ ରଖି ପାରିନଥିଲେ। ପୁଲିସ ତଦନ୍ତ କରି ଏହି ଘଟଣାର ପର୍ଦ୍ଦାଫାଶ କରିଥିଲା। ଶେଷରେ ହତ୍ୟାକାରୀ ସ୍ବାମୀକୁ ପୁଲିସ ଗିରଫ କରିଛି। ଟିଭି ସିରିୟଲ ଦେଖି ସେ ଏହି ଯୋଜନା କରିଥିଲେ ବୋଲି ପୁଲିସକୁ କହିଛନ୍ତି। ଅଭିଯୁକ୍ତ ସହ ତାର ଭଉଣୀ ଓ ବାପାକୁ ମଧ୍ୟ ପୁଲିସ ଗିରଫ କରିଛି।

Comments are closed.