୮ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଜନତା କର୍ଫ୍ୟୁ ପାଇଁ ନିବେଦନ ; ଭକ୍ତଙ୍କ ମଟର ସାଇକଲ ଶୋଭାଯାତ୍ରା

ମମିତା ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା

କଲମପୁର : ମମିତାକୁ ମିଳି ମିଶି ମାରି ଦେଲେ। ପ୍ରମାଣ ନଷ୍ଟ ପାଇଁ ଗୋବିନ୍ଦ ସାହୁକୁ ମିଥ୍ୟା ଫେରାର କରାଇଲେ। ଏଥିରେ କେବଳ ଗୋବିନ୍ଦ ନୁହେଁ ଏହି ଜିଲ୍ଲାର ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମେତ ତାଙ୍କ ଗୋଷ୍ଠୀ ସାମିଲ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ନିରବ ଦର୍ଶକ ସାଜିଛି। ମମିତା ଓ ତାର ପରିବାରକୁ ନ୍ୟାୟ ମିଳି ନାହିଁ। ମମିତାକୁ ନ୍ୟାୟ ଦେବା ପାଇଁ ଆପଣ ମାନେ ସମସ୍ତେ ଆସନ୍ତା ୭ ତାରିଖ ଦିନ ୧୧ ଘଣ୍ଟା ସମୟରେ ଦୁଇ ମିନିଟ ପାଇଁ ମୁଁ ନିବେଦନ କରୁଛି । ସେହିପରି ଆସନ୍ତା ୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ଥରେ ଆସୁଛନ୍ତି । ସେହି ସମୟରେ ଆମେ କଳାହାଣ୍ଡିବାସୀ ଏକତା ପ୍ରଦର୍ଶନ କରିବାକୁ ହେବ। କେବଳ ଘଣ୍ଟାକ ପାଇଁ ଜନତା କର୍ଫ୍ୟୁ କରିବା। ଯାହାଦ୍ୱାରା ନବୀନ ପଟ୍ଟନାୟକ ବୁଝି ପାରିବେ ଜଣେ ନିରୀହ ଝିଅର ହତ୍ୟା ପାଇଁ ଆମେ ସମସ୍ତେ ଏକ ହେଇଛୁ ବୋଲି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ କଲମପୁର ବଜାର ପ୍ରାଙ୍ଗଣରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ମତବ୍ୟକ୍ତ କରିଛନ୍ତି।
ବହୁ ଚର୍ଚ୍ଚିତ ମହାଲିଙ୍ଗ ସନ୍ ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ଭକ୍ତ ଦାସ ଏବେ ରାଜ ରାସ୍ତାରେ। ଏହି ହତ୍ୟା ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ସିଧା ସଳଖ ସମ୍ପୃକ୍ତି ରହିଥିବା ଅଭିଯୋଗ କରିବା ସହ ଏଭଳି ଘୃଣ୍ୟ କାର୍ଯ୍ୟରେ ସମ୍ପୃକ୍ତି ଥିବା ଜଣେ ମନ୍ତ୍ରୀଙ୍କୁ କାହିଁକି ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି। ନବୀନ ବାବୁ ତୁରନ୍ତ ଏଭଳି ଜଣେ ବ୍ୟକ୍ତିଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରିବା ପାଇଁ ଦାବି କରିଥିଲେ।
ଶୁକ୍ରବାର ଭବାନିପାଟଣାରୁ ଏକ ମଟରସାଇକଲ ଶୋଭାଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀଙ୍କ ସହ ଭକ୍ତ ଦାସ ଜୁନାଗଡ ଦେଇ କଲମପୁରଠାରେ ପହଞ୍ଚିଥିଲେ। ବଙ୍କାପଲା ଠାରେ ପୂର୍ବତନ ସମିତି ଅଧ୍ୟକ୍ଷ ବିପିନ ବିହାରୀ ପ୍ରଧାନୀ, ଗଣେଷ ନାଗ, ଶୁସାନ୍ତ ବିହାରୀ, ପବିତ୍ର ବାଗ ପ୍ରମୁଖ ଭକ୍ତ ଦାସଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାରତ ବେମାଲ, ଦିଗାମ୍ବର ଦୁରିଆ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କୁ ସ୍ୱାଗତ ଜଣାଇଥିଲେ। ବିପିନ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ କଲମପୁର ମୁଖ୍ୟ ବଜାର ପ୍ରାଙ୍ଗଣରେ ଏକ ପଥ ପ୍ରାନ୍ତ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। କଲମପୁର ସଭା ପରେ ଭକ୍ତ ଦାସ ପଣ୍ଡିଗାଁ , ବଡକୁଟୃ ବିଜମରା ଦେଇ ଜୟପାଟଣା ଠାରେ ପହଞ୍ଚିଥିଲେ। ଜୟପାଟଣା ଦୁର୍ଗା ମଣ୍ଡପ ଠାରେ ଆୟୋଜିତ ପ୍ରତିବାଦ ସଭାରେ ମଧ୍ୟ ସମସ୍ତଙ୍କୁ ମମିତା ମେହେରର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ଜନତା କର୍ଫ୍ୟୁ କରିବା ପାଇଁ ନିବେଦନ କରିଥିଲେ।

Comments are closed.